ଭୁୁବନେଶ୍ୱର: ରାଜ୍ୟର ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ରାଜନୈତିକ ହସ୍ତକ୍ଷେପରୁ ମୁକ୍ତ ରଖିବାକୁ ବିଭାଗୀୟ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ସାହସିକ ପଦକ୍ଷେପ ନେଇଛନ୍ତି । କୌଣସି କଲେଜର ଗଭର୍ଣ୍ଣିଂ ବଡ଼ି ଅର୍ଥାତ୍ ପରିଚାଳନା କମିଟିରେ ସ୍ଥାନୀୟ ବିଧାୟକ ରହିପାରିବେ ନାହିଁ । ଶିକ୍ଷା ଓ ପରିଚାଳନା କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଶିକ୍ଷାବିତ୍ ଙ୍କୁ ସେହି ଜାଗା ମିଳିବ । କମିଟିରେ ଅଭିଭାବକ ଓ ପୂରାତନ ଛାତ୍ରଙ୍କୁ ବି ସାମିଲ କରାଯିବ ।
ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଖୁବ୍ ଶୀଘ୍ର ଏହାର ବିଜ୍ଞପ୍ତି ପ୍ରକାଶ ପାଇବ । ଅରୁଣଙ୍କ ଏହି ନିଷ୍ପତ୍ତି କଲେଜ ପରିଚାଳନାରେ ରାଜନୈତିକ ହସ୍ତକ୍ଷେପ ଓ ନେତାଙ୍କ ପ୍ରାର୍ଦୁଭାବକୁ ରୋକିବାରେ ଅନେକାଂଶରେ ସକ୍ଷମ ହେବ ବୋଲି କୁହାଯାଉଛି ।
ସେହିଭଳି ସରକାରୀ/ ସରକାରୀ ଅନୁଦାନପ୍ରାପ୍ତ କଲେଜ ଅଧ୍ୟାପକଙ୍କ ଉପରେ ଥିବା ଘରୋଇ ଟିଉସନ୍ କଟକଣାକୁ କଡ଼ାକଡ଼ି କରିଛନ୍ତି ମନ୍ତ୍ରୀ । ଯେଉଁମାନେ ଏହାର ଉଲ୍ଲଂଘନ କରିବେ ସେମାନଙ୍କୁ ଉଚ୍ଚ ଶିକ୍ଷା କୋଡ୍ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି । କୌଣସି ଅଧ୍ୟାପକ ଘରୋଇ ଟିଉସନ୍ ବା କୋଚିଂ ସେଣ୍ଟରରେ ପାଠ ପଢ଼ାଉଥିଲେ ତାଙ୍କ ବିଷୟରେ ଅଭିଭାବକମାନେ ତାଙ୍କୁ ଜଣାଇବାକୁ ମନ୍ତ୍ରୀ ଆହ୍ୱାନ ଦେଇଥିଲେ ।
ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ଭୁବନେଶ୍ୱରଠାରେ ‘ଉଚ୍ଚଶିକ୍ଷାରେ ଅଭିଭାବକଙ୍କ ଭୂମିକା’ ଶୀର୍ଷକରେ ଏକ ଆଲୋଚନାଚକ୍ର ଓ ଭାବ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଅରୁଣ ସାହୁ ତାଙ୍କର ଏହି ନିଷ୍ପତ୍ତି ଜଣାଇଥିଲେ । ବର୍ଷ ବର୍ଷ ଧରି କଲେଜ ପରିଚାଳନା କମିଟିରେ ସ୍ଥାନୀୟ ବିଧାୟକ ସଭାପତି ରହୁଥିବାରୁ ବିଭିନ୍ନ ସମସ୍ୟା ଉପୁଜୁଥିବା ମନ୍ତ୍ରୀ ମାନିଥିଲେ । ଏହା ଉପରେ ରୋକ୍ ଲଗାଇବାକୁ ନିଷ୍ପତ୍ତି ନେଇସାରିଥିବା ଜଣାଇଥିଲେ ।
ସରକାରୀ ଓ ଘରୋଇ କଲେଜ ଶିକ୍ଷକଙ୍କ ପାଇଁ ୭ ଘଣ୍ଟାର ଡ୍ୟୁଟି ସମୟକୁ ବାଧ୍ୟତାମୂଳକ କରିବା ଏବଂ ଛାତ୍ରଛାତ୍ରୀଙ୍କ ଉପସ୍ଥାନକୁ ୭୫% କରିବା ଭଳି କଠୋର ପଦକ୍ଷେପ ନେଇଥିବା ମନ୍ତ୍ରୀ ଡ. ସାହୁଙ୍କର କଲେଜ ପରିଚାଳନାରୁ ବିଧାୟକଙ୍କୁ ହଟାଇବା ନିଷ୍ପତ୍ତି ଏକ ଉଚିତ୍ ପଦକ୍ଷେପ ବୋଲି କୁହାଯାଉଛି । ଉଚ୍ଚଶିକ୍ଷାରେ ସଂସ୍କାର ଆଣିବାରେ ଏହା ଆହୁରି ସହାୟକ ହୋଇପାରିବ ବୋଲି ଆଶା କରାଯାଉଛି ।