ଭୁବନେଶ୍ୱର: ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଠୋର ଆଭିମୁଖ୍ୟ ତାଙ୍କର ଜଣେ ପୂର୍ବତନ ବିଧାୟକଙ୍କୁ ହାତକଡ଼ି ପକାଇଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣାର ଗତଥରର ବିଜେଡ଼ି ବିଧାୟକ ଅନାମ ନାୟକଙ୍କୁ ଆଜି ଗିରଫ କରିଛି ଭିଜିଲାନସ୍ । କିଛି ଦିନ ତଳେ ଆଇଏଏସ୍ ଅଫିସର ବିଜୟ କେତନ ଉପାଧ୍ୟାୟ ଲକ୍ଷେ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଜେଲ୍ ଯାଇଥିବା ବେଳେ ଏବେ ବିଜେଡ଼ିର ଏହି ପୂର୍ବତନ ବିଧାୟକଙ୍କ ଗିରଫ ଘଟଣା ଚର୍ଚ୍ଚାର ବିଷୟ ହୋଇଛି ।
ଅନାମ ବିପୁଳ ପରିମାଣର ଆୟ ବିର୍ହଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ଭିଜିଲାନସ୍ କୁ ଅନେକ ଗୁଡ଼ାଏ ଅଭିଯୋଗ ମିଳିଥିଲା । ଠୋସ୍ ତଥ୍ୟ ପାଇଲା ପରେ ଗତ ୧୭ ତାରିଖରେ ଭିଜିଲାନସ୍ ଟିମ୍ ଭବାନୀପାଟଣାରେ ଥିବା ତାଙ୍କର ତିନି ମହଲା ବିଶିଷ୍ଟ ବିଶାଳ ଅଟ୍ଟାଳିକା ଓ ଅନ୍ୟାନ୍ୟ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢ଼ାଉ କରିଥିଲା । ଭବାନୀପାଟଣା ତାଙ୍କ ଅଟ୍ଟାଳିକା ଛଡ଼ା ନକଟିଗୁଡ଼ାରେ ଏକ କମର୍ସିଆଲ୍ ବିଲଡିଂ, ମଦନପୁର-ରାମପୁର ଟାଉନ୍ ରେ ଏକ ମାର୍କେଟ୍ କମ୍ପ୍ଲେକ୍ସ ଏବଂ ହୋଟେଲ ରହିଛି । ପୁରୁଣାପଡ଼ାରେ ତାଙ୍କର ଏକ ନିର୍ମାଣଧୀନ କୋଠା ବି ଭିଜିଲାନସ୍ ନଜରକୁ ଆସିଥିଲା । ପ୍ରାଥମିକ ତଦନ୍ତ ବେଳେ ଏହିସବୁ ସମ୍ପତ୍ତିର ମୂଲ୍ୟ ୩ କୋଟି ୪୨ ଲକ୍ଷ ଟଙ୍କା ଆକଳନ କରାଯାଇଥିଲା ।
ତଦନ୍ତ ବେଳେ ଅନାମଙ୍କ ବେନାମୀ କାରବାର ସମ୍ପର୍କରେ ଭିଜିଲାନସ୍ କୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ଜଣାପଡ଼ିଛି । ଆଜି ସଂଧ୍ୟାରେ ଜୟପୁର ଭିଜିଲାନସ୍ ର ଏକ ଟିମ୍ ଭବାନୀପାଟଣାରୁ ତାଙ୍କୁ ଗିରଫ କରିଥିଲା । ଭିଜିଲାନସ୍ କୋର୍ଟରେ ତାଙ୍କ ଜାମିନ୍ ନାମଂଜୁର ହେବା ପରେ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନାମ ଜେଲ୍ ଯିବା ପରେ ଶାସକଦଳର ଅନେକ ନେତାଙ୍କ ମନରେ ଛନକା ପଶିଛି । ସରକାରକୁ ନିଜର ସୁରକ୍ଷାକବଚ ଭାବି ନେଇଥିବା ଅସାଧୁ ଦଳୀୟ ନେତାଙ୍କ ମନରେ ଆତଙ୍କ ସୃଷ୍ଟି ହେଲାଣି । ଆଇଏଏସ୍, ପୂର୍ବତନ ବିଧାୟକଙ୍କ ଦେହରେ ହାତ ମରାଯିବା ପରେ ଏହି ଗୋଷ୍ଠୀର ନେତା ନିଜର ସୁରକ୍ଷା ଆଶା ହରାଇଛନ୍ତି ।