ଭୁବନେଶ୍ୱର: କଟକ ବଡ଼ ମେଡ଼ିକାଲ୍ କଲେଜ ଏବଂ ହସ୍ପିଟାଲ୍ (ଏସସିବି)କୁ ବିଶ୍ୱସ୍ତରୀୟ କରିବା କାର୍ଯ୍ୟ ମାର୍ଚ୍ଚ ପହିଲାରୁ ଆରମ୍ଭ ହେବ । ଏଥିସହ କଟକ ସହରର ବିକାଶ ହୋଇ ନୂଆ ରୂପ ଦିଆଯିବ । କଟକ ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, କଟକ ସହର ପାଇଁ ଏକ ବିଧିବଦ୍ଧ ଯୋଜନା କରାଯିବ । ଏଥିରେ ରାସ୍ତାଘାଟର ପ୍ରଶସ୍ତିକରଣ ସହିତ ମୁକ୍ତ ପରିବେଶ, ଉଦ୍ୟାନ ଏବଂ ସବୁଜିମା ସହିତ ଅତ୍ୟାଧୁନିକ ଭିତ୍ତିଭୂମିର ବିକାଶ କରାଯାଇ ସହରକୁ ନୂଆ ରୂପ ଦିଆଯିବ । ହଜାର ବର୍ଷର ଆମ କଟକ ସହର ଅନେକ ଐତିହାସିକ ସ୍ମୃତି ବହନ କରୁଛି । ତେଣୁ ଏହାର ସମୁଚିତ ବିକାଶ ଆମ ସମସ୍ତଙ୍କର ମିଳିତ ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ ସୂଚାଇ ଦେବା ସହ କଟକର ବିକାଶରେ ସହରବାସୀଙ୍କ ସହଯୋଗ ଲୋଡ଼ିଛନ୍ତି ।
ଆଜି ମୁଖ୍ୟମନ୍ତ୍ରୀ କଟକ ଗସ୍ତରେ ଯାଇ ମାତା ମଠ ନିକଟରେ ମହାନଦୀ କୂଳ ବୁଲି ଦେଖିବା ପରେ ସହରର ବିକାଶ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଥିଲେ । ଏସସିବି ମେଡ଼ିକାଲ୍ କଲେଜର ଉନ୍ନତିକରଣ କାର୍ଯ୍ୟ ଆସନ୍ତା ମାର୍ଚ୍ଚରେ ଆରମ୍ଭ କରାଯିବ । ଏଥିସହ କଟକ ସହରର ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ରିଙ୍ଗ ରୋଡ୍ କୁ ୬ ଥାକିଆ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।







