ଭୁବନେଶ୍ୱର: କଲେଜ ପରିଚାଳନା ବା ଗଭର୍ଣ୍ଣଂ ବଡିରୁ ନେତାଙ୍କୁ ହଟାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁ ଗତକାଲି ସୂଚନା ଦେଇଥିଲେ । ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜରିଆରେ ତାହାର କାର୍ଯ୍ୟକାରିତା ଆରମ୍ଭ ହୋଇଛି । ଅନୁଦାନପ୍ରାପ୍ତ ବେସରକାରୀ ଡିଗ୍ରୀ କଲେଜଗୁଡ଼ିକର ଗଭର୍ଣ୍ଣିଂ ବଡିକୁ ଭାଙ୍ଗି ଦିଆଯାଇଛି । ଏହାକୁ ତତକ୍ଷଣାତ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଜିଲ୍ଲା ମୁଖ୍ୟାଳୟରେ ଥିବା ଡିଗ୍ରୀ କଲେଜଗୁଡ଼ିକର ଗଭର୍ଣ୍ଣିଂ ବଡିର ସଭାପତି ଭାବେ ଏଡ଼ିଏମ୍ ଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିଭଳି ଜିଲ୍ଲା ସଦର ମହକୁମା ବାହାରେ ଥିବା କଲେଗଜୁଡ଼ିକରେ ଉପ ଜିଲ୍ଲାପାଳ ଗଭର୍ଣ୍ଣିଂ ବଡିର ସଭାପତି ରହିବେ । ତେବେ ସ୍ୱୟଂଶାସିତ କଲେଜ ପାଇଁ ଏହି ନିୟମ ଲାଗୁ ହେବ ନାହିଁ ।
ତେବେ କଲେଜ ଗଭର୍ଣ୍ଣିଂ ବଡିରୁ ନେତାଙ୍କ ଅପସାରଣ ନେଇ ମନ୍ତ୍ରୀଙ୍କ ଘୋଷଣା ରାଜନୈତିକ ତୁମ୍ବିତୋଫାନ ସୃଷ୍ଟି କରିଛି । ଖୋଦ୍ ଶାସକ ଦଳରେ ଏହାକୁ ନେଇ ଭିନ୍ନ ଭିନ୍ନ ମତ ଆସିଛି । ମନ୍ତ୍ରୀ ସୁଶାନ୍ତ ସିଂ ଆଜି ଗଣମାଧ୍ୟମରେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି । କଲେଜ ଗଭର୍ଣ୍ଣଂ ବଡ଼ିର ସଭାପତି ପଦରେ ବିଧାୟକ ନରହିବା ସ୍ୱାଗତଯୋଗ୍ୟ ହୋଇଥିଲେ ମଧ୍ୟ ବିଧାୟକମାନଙ୍କୁ ସମ୍ପୂର୍ଣ୍ଣ ଭାବେ ବାଦ୍ ଦେବା ନିଷ୍ପତ୍ତି ସହ ଏକମତ ହୋଇନାହାନ୍ତି । କଲେଜର ଭିତ୍ତିଭୂମି ଉନ୍ନୟନ ଓ ଅନ୍ୟାନ୍ୟ ବିକାଶ ପାଇଁ ବିଧାୟକଙ୍କୁ ଗଭର୍ଣ୍ଣିଂ ବଡ଼ିରେ ରଖିବା ନିହାତି ଆବଶ୍ୟକ ବୋଲି ମନ୍ତ୍ରୀ ଶ୍ରୀ ସିଂ ମତ ଦେଇଛନ୍ତି ।
ସେପଟେ ଉଚ୍ଚଶିକ୍ଷା ବିଭାଗର ନିଷ୍ପତ୍ତି ପଛରେ ରାଜନୈତିକ ଗନ୍ଧ ବାରିଛନ୍ତି ବିରୋଧୀ ଦଳ । କଂଗ୍ରେସ ବିଧାୟକମାନେ ଏଭଳି ନିଷ୍ପତ୍ତିକୁ ଖୋଲାଖୋଲି ବିରୋଧ କରୁଥିଲା ବେଳେ ବିଜେପି ରାଜନୈତିକ ହମଲା ଆରମ୍ଭ କରିଛି ।