ଭୁବନେଶ୍ୱର: ପଣ୍ଡା ଇନଫ୍ରା ସହ ପୂର୍ବତନ ଆଇନମନ୍ତ୍ରୀ ଅରୁଣ ସାହୁଙ୍କ ବ୍ୟବସାୟିକ ସମ୍ପର୍କ ନେଇ ବିଜେପି ସିଧାସଳଖ ଅଭିଯୋଗ ଆଣିଛି । ବିଧାନସଭା ବାହାରେ ବିଧାୟକ ପ୍ରଦୀପ ପୁରୋହିତ ଅରୁଣଙ୍କ ନାଁ ନେଇ ବର୍ଷିଛନ୍ତି । ପରେ ବିଜେପି ଅଫିସରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ପୁରୋହିତ ଓ ମୁଖପାତ୍ର ଗୋଲକ ମହାପାତ୍ର ଅରୁଣ ଓ ବିଜେଡ଼ି ସରକାରଙ୍କ ସାତପୁରୁଷ ଉଦ୍ଧାର କରିଛନ୍ତି । ଆଶ୍ଚର୍ଯ୍ୟର କଥା, ଏତେବଡ଼ ସ୍ପର୍ଶକାତର ପ୍ରସଙ୍ଗରେ ଏହି ଜାତୀୟ ଦଳର ନେତାଙ୍କ ପାଟିରେ କଥା ଥିଲେ ମଧ୍ୟ ପାଖରେ ତଥ୍ୟ, ପ୍ରମାଣ ନାହିଁ । ଶୁଣାଶୁଣିରୁ ଯାହା ପାଇଛନ୍ତି ଗପିଛନ୍ତି ।
ପ୍ରଦୀପ ଓ ଗୋଲକଙ୍କ ଯୁକ୍ତି.. ପଣ୍ଡା ଇନଫ୍ରା ମାଲିକଙ୍କ ସହ ଅରୁଣ ସାହୁ ବୁଲାବୁଲି କରନ୍ତି । ତାଙ୍କ ଘରକୁ ଯାଆସ କରନ୍ତି । ଦୁହିଁଙ୍କ ମିଳାମିଶାକୁ ସେମାନେ ଟିଭିରେ ଦେଖିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ସେମାନେ ପୁଣି କହିଥିଲେ କି ଆଉଟଲୁକ୍ ପୁରସ୍କାର ପାଇଲା ପରେ ମୁଖ୍ୟମନ୍ତ୍ରୀଙ୍କୁ ଏୟାରପୋର୍ଟରେ ସମ୍ବର୍ଦ୍ଧନା ବେଳେ ଅରୁଣଙ୍କ ସହ ପଣ୍ଡା ଥିଲେ । ପରେ ଗୋଟିଏ ଗାଡ଼ିରେ ଦୁହେଁ ପୁରୀ ଯାଇଥିଲେ । ଏହି ସମ୍ପର୍କ ଗପି ପଣ୍ଡା ଇନଫ୍ରାରେ ଅରୁଣଙ୍କ ଟଙ୍କା ଲାଗିଥିବା ସେମାନେ ଯୁକ୍ତି ରଖିଥିଲେ । ଅରୁଣ ନିଜ ପ୍ରଭାବ ବଳରେ ଏହି ସଂସ୍ଥାକୁ ସରକାରୀ ଅନୁଗ୍ରହ ଯୋଗାଉଥିଲେ ଏବଂ କମିସନି ପାଉଥିଲେ ବୋଲି ଅଭିଯୋଗ କରିଥିଲେ । ଖାଲି ସେତିକି ନୁହେଁ ଏହି ପଣ୍ଡା ବିଜେଡ଼ିର ସ୍ୱାଭିମାନ ସମାବେଶ ପାଇଁ ୧୦ କୋଟି ଦେଇଥିଲେ । ବିଭିନ୍ନ ସମୟରେ ବିଜେଡ଼ି କାର୍ଯ୍ୟକ୍ରମ ଆୟୋଜନର ପୃଷ୍ଠପୋଷକ ଥିଲେ ବୋଲି ପ୍ରଦୀପ ଓ ଗୋଲକ ଅଭିଯୋଗ ରଖିଥିଲେ ।
ସାମ୍ବାଦିକମାନେ ଏସବୁ ଅଭିଯୋଗର ଭିତ୍ତି ଓ ପ୍ରମାଣ ଚାହିଁବାରୁ ଦୁଇ ବିଜେପି ନେତା ହଡ଼ବଡ଼େଇ ଯାଇଥିଲେ । କହିଥିଲେ, ହଁ ଅରୁଣ-ପଣ୍ଡାଙ୍କ ଫଟୋ ଅଛି । ହେଲେ ଏବେ ପାଖରେ ନାହିଁ । ଆମେ ଯୋଗାଡ଼ କରୁଛୁ । ପରେ ଆପଣଙ୍କୁ ଦେବୁ । ସେହିଭଳି ଅରୁଣଙ୍କ ଟଙ୍କା ଲାଗିଥିବା ନେଇ କୌଣସି ତଥ୍ୟ କିମ୍ବା ବ୍ୟାଙ୍କ ଷ୍ଟେଟମେଣ୍ଟ ଦେଇପାରିବେ କି ବୋଲି ପଚରାଯିବାରୁ, ପରେ ଦେବୁ ବୋଲି ସଫେଇ ଦେଇଥିଲେ । ବିନା ତଥ୍ୟ, ପ୍ରମାଣରେ ଆପଣ କେମିତି ଅରୁଣ ସାହୁଙ୍କ ନାଁ ନେଉଛନ୍ତି ପଚାରିବାରୁ ଦୁହେଁ ହଡ଼ବଡ଼େଇ ଯାଇଥିଲେ । ଅପେକ୍ଷା କରନ୍ତୁ କହି ପ୍ରସଙ୍ଗ ବୁଲାଇଥିଲେ । ରାତିରେ ଟିଭି ଚାନେଲ ବିତର୍କରେ ବସି ପ୍ରଦୀପ ପୁରୋହିତ ସମାନ କଥା ଦୋହରାଇଥିଲେ ମଧ୍ୟ ଅରୁଣଙ୍କ ସହ ପଣ୍ଡାଙ୍କ ବ୍ୟବସାୟିକ ସମ୍ପର୍କର ପ୍ରମାଣ ଦେଇପାରି ନ ଥିଲେ । ବାରମ୍ବାର ଏହି ପ୍ରଶ୍ନରେ ସେ ଛେପ ଢ଼ୋକୁଥିଲେ ।
ସେପଟେ ବିଜେପି ଅଭିଯୋଗକୁ ଅରୁଣ ନିଜେ ଚାଲେଞ୍ଜ କରିଥିବା ବେଳେ ତାଙ୍କ ଦଳର ଅନ୍ୟନେତାମାନେ ବି ଚାଲେଂଜ କରିଛନ୍ତି । ସାହାସ ଥିଲେ ପ୍ରମାଣ ରଖନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି । ଶେଷ ଖବର ଅନୁଯାୟୀ, ପଣ୍ଡା ଇନଫ୍ରା ସହ ଅରୁଣଙ୍କ ବ୍ୟବସାୟିକ ସମ୍ପର୍କର ତଥ୍ୟ ପ୍ରମାଣ ଯୋଗାଡ଼ ପାଇଁ ବିଜେପି ଲାଗିପଡ଼ିଛି ।