ଭୁବନେଶ୍ୱର: ଗୋଟେ ମିଛକଥାକୁ ହଜାର ଥର ଚିଲେଇ କହ । ତାହା ସତ ହୋଇଯିବ । ହିଟଲରଙ୍କ ପ୍ରଚାରମନ୍ତ୍ରୀ ଗୋବେଲସ୍ ଙ୍କ ଏହି ଥିଓରିକୁ ଏବେ ଓଡ଼ିଶାରେ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଜେପି ଆଦରିଛି । ସେଥିପାଇଁ କିଛି ଟିଭି ଚାନେଲକୁ ଆୟୂଧ କରିଛି । ଏହି କାଟାଗୋରିରେ ମନୋଜ ନାୟକଙ୍କ ‘ନିଉଜ୍-୭ ଚାନେଲ୍’ ନିଜର ସର୍ବୋକୃଷ୍ଠ ପ୍ରଦର୍ଶନ କରିଛି । ଗତକାଲି ରାତି ୮ରୁ ୧୦ ପର୍ଯ୍ୟନ୍ତ ଦୀର୍ଘ ଦୁଇଘଣ୍ଟା ଧରି ଟିଭିରେ ବିତର୍କ ଲାଇଭ୍ ସୋ’ ଜରିଆରେ ବିଜେପିର ୧୨୦ ପ୍ଲସ୍ ମିସନ୍ କୁ ଆଗେଇ ନେଇଛି ।
ସୋଆ ବିଶ୍ୱବିଦ୍ୟାଳୟର ଅଡ଼ିଟୋରିୟମ୍ ହଲ୍ ରେ ଆୟୋଜିତ ହୋଇଥିଲା ଏହି ଲାଇଭ୍ ବିତର୍କ । ବିଷୟବସ୍ତୁ ଥିଲା ‘କେନ୍ଦ୍ରୀୟ ଅନୁଦାନ-ହିସାବ ମାଗୁଛି ଓଡ଼ିଶା’ । ବିଜେଡ଼ି ପକ୍ଷରୁ ପାନେଲ୍ ରେ ଥିଲେ ମୁଖପାତ୍ର ପ୍ରତାପ ଦେବ, ଡକ୍ଟର ସସ୍ମିତ୍ ପାତ୍ର ଓ ସୁଲୋଚନା ଦାସ । ବିଜେପି ପକ୍ଷରୁ ଥିଲେ ଗୋଲକ ମହାପାତ୍ର, ପୃଥ୍ୱୀରାଜ ହରିଚନ୍ଦନ ଓ ଲେଖାଶ୍ରୀ ସାମନ୍ତସିଂହାର । ନିରପେକ୍ଷ ପାନେଲିଷ୍ଟ ଭାବେ ଦିଲ୍ଲୀପ ଶତପଥୀ ଓ ରବି ଦାସ ଯୋଗଦେଇଥିଲେ । ହଲ୍ ରେ ଭରପୂର ଦର୍ଶକଙ୍କୁ ଉପସ୍ଥିତ କରାଯାଇଥିଲା । ଆଶ୍ଚର୍ଯ୍ୟର କଥା, ସବୁ ଦର୍ଶକଙ୍କ ମୁହଁରେ ଥିଲା ବିଜେପି ଓ ଧର୍ମେନ୍ଦ୍ରଙ୍କ ଜୟ ଜୟକାର ଗାନ୍ । ଦର୍ଶକମଣ୍ଡଳୀରେ ଉପସ୍ଥିତ ତଥାକଥିତ ବୁଦ୍ଧିଜୀବୀ ବି ଥିଲେ ବ୍ରାଣ୍ଡେଡ଼୍ ନବୀନ ବିରୋଧୀ ଓ ବିଜେପି ସମର୍ଥକ । ଆମ ପାଖରେ ଯାହା ଖବର, ଏମାନଙ୍କୁ ଯୋଗାଡ଼ କରି ସେଠାକୁ ଗାଡ଼ିରେ ନିଆଯାଇଥିଲା । ଅର୍ଥାତ୍ ସୋ’କୁ ସମ୍ପୂର୍ଣ୍ଣ ଭାବେ ପ୍ରାୟୋଜିତ କରାଯାଇଥିଲା । ବିତର୍କକୁ ସଂଚାଳନ କରୁଥିବା ଆଙ୍କର ବି ବିଜେପି ଲାଇନ୍ ରେ ପ୍ରଶ୍ନ ପଚାରୁଥିଲେ ଏବଂ କେବଳ ବିଜେପି ପାନେଲିଷ୍ଟମାନଙ୍କୁ କହିବାର ସୁଯୋଗ ରଖୁଥିଲେ । ନିଜକୁ ଆଙ୍କର ବୋଲି ଭୁଲିଯିବାକୁ ବୋଧହୁଏ ତାଙ୍କୁ ନିର୍ଦ୍ଦେଶ ଥିଲା ।
ବିତର୍କରେ ବିଜେପି ପାନେଲିଷ୍ଟମାନେ ପ୍ରଥମରୁ ମୂଳ ବିଷୟବସ୍ତୁରୁ ହୁଡ଼ି ପଶିଥିଲେ ଦାନା ମାଝୀ, ଜାପାନୀ ଏନସେଫାଲାଇଟସ୍, ବମିଖାଲ୍ ଓଭରବ୍ରିଜ୍ ଦୁର୍ଘଟଣା ପ୍ରସଙ୍ଗକୁ । ମୁଖ୍ୟମନ୍ତ୍ରୀ ଓଡ଼ିଆ କହି ନ ପାରିବା ଭଳି ଅପ୍ରସଙ୍ଗକୁ ଜବରଦସ୍ତ ପୂରାଇଥିଲେ । ବିଜେଡ଼ି ପାନେଲିଷ୍ଟମାନେ ଏହାର ଜବାବ ରଖିବାକୁ ଉଦ୍ୟମ କରୁଥିଲେ ମଧ୍ୟ ବିଜେପିର ଦୁଇ କୁହାଳିଆ ଗୋଲକ ଓ ଲେଖାଶ୍ରୀ କୁହାଇ ଦେଉ ନ ଥିଲେ । ଲେଖାଶ୍ରୀ ତ ପୂରାପୂରି ଅଣ୍ଟା ଭିଡ଼ି ପକାଇଥିଲେ । ପୃଥ୍ୱୀରାଜ ହରିଚନ୍ଦନ ସଂଯମତା ରଖୁଥିଲେ ମଧ୍ୟ ଗୋଲକ ଓ ଲେଖାଶ୍ରୀ ବାଡ଼ବତା ମାନୁ ନ ଥିଲେ । ବିଜେଡ଼ିକୁ ଅଡୁଆରେ ପକାଇବାକୁ ଆଙ୍କର ବି ବଳ ଲଗାଇଦେଇଥିଲେ । ବାରମ୍ବାର ବିଜେପି ପାନେଲିଷ୍ଟଙ୍କ ହାତକୁ ବଲ୍ ଛାଡୁଥିଲେ । ଦର୍ଶକମଣ୍ଡଳୀରୁ ଯେତେ ପ୍ରଶ୍ନ ଆସୁଥିଲା ସବୁ ନବୀନ ଓ ବିଜେଡ଼ି ବିରୋଧରେ । ତଥାକଥିତ ବୁଦ୍ଧିଜୀବୀଙ୍କ ପ୍ରଶ୍ନ ବି ଥିଲା ବିଜେଡ଼ି ବିରୋଧରେ । ସୋମବାର ସଂଧ୍ୟାରେ ସୋଆର ଅଡ଼ିଟୋରିୟମ୍ ପୂରା ଗେରୁଆ ହୋଇଯାଇଥିଲା ।
ବିଜେଡ଼ି ପାନେଲିଷ୍ଟମାନେ ନିଜ ପକ୍ଷ ରଖିବାକୁ ଉଦ୍ୟମ କରି ବିଜେପିଠାରୁ ହାର୍ ମାନିଯାଇଥିଲେ । ଏମିତିକି ନିରପେକ୍ଷ ପାନେଲିଷ୍ଟ ଦିଲ୍ଲୀପ ଶତପଥୀ ଓ ରବି ଦାସଙ୍କ ଭଳି ବରିଷ୍ଠ ସାମ୍ବାଦିକଙ୍କୁ ବିଜେପି ପାନେଲିଷ୍ଟ ବଡ଼ପାଟିରେ ଛନ୍ଦି ଦେଇଥିଲେ । ସେମାନଙ୍କ ଯୁକ୍ତିକୁ ଶୁଣାଇ ଦିଆଯାଉ ନ ଥିଲା । ପୂରା ସୋ’ କୁ ଆଙ୍କର ଛାଡ଼ିଦେଇଥିଲେ ବିଜେପି ପଟକୁ । ଗୋଲକ, ଲେଖାଶ୍ରୀ ଓ ପ୍ରାୟୋଜିତ ଦର୍ଶକମଣ୍ଡଳୀର ଗର୍ଜନ ଓ ପାଟିତୁଣ୍ଡରେ ସେଠାକାର ପରିବେଶ ରଣକ୍ଷେତ୍ରର ଭ୍ରମ ସୃଷ୍ଟି କରିଥିଲା । ହୋହଲ୍ଲା ଓ ନାରାବାଜି ଭିତରେ ହଜିଯାଇଥିଲା ମୂଳ ପ୍ରସଙ୍ଗ ‘କେନ୍ଦ୍ରୀୟ ଅନୁଦାନ’ । ଘରେ ବସି ଟିଭିରେ ବିତର୍କ ଶୁଣୁଥିବା ଲୋକେ ସେଠାରେ ଯାତ୍ରାପାର୍ଟି ଚାଲୁଥିବା ଦେଖି ଟିଭି ବନ୍ଦ କରିଦେଇଥିଲେ ।