ଭୁବନେଶ୍ୱର: ଓଡ଼ିଶା ବିଜେପି କାର୍ଯ୍ୟକର୍ତ୍ତାଙ୍କ ପାଖକୁ ଆସିଛି ମୋଦିଙ୍କ ଅଚ୍ଛେ ଦିନ୍ । ଅମିତ୍ ଶାହାଙ୍କ ମିଶନ୍ ୧୨୦ ପ୍ଲସ୍ ଏହି ଅଚ୍ଛେ ଦିନର ସ୍ୱପ୍ନ ସାକାର କରିଛି । ଓଡ଼ିଶାରେ ୩ ଦିନିଆ ଗସ୍ତରୁ ଶାହା ଫେରିଲା ପରେ ୟୁପିରୁ ଆସି ପହଞ୍ଚିଛି ଧଳା ଚକାଚକ୍ ପ୍ରାୟ
୫୦୦ ଟିଭିଏସ୍ ମଟରସାଇକେଲ୍ । ୟୁପି ନମ୍ବର ସବୁଗାଡ଼ିରେ ‘ସିଏମ୍’ ଲେଖାଯାଇଛି । କିଛି ଗାଡ଼ିରେ ‘ଡିଏକ୍ସ’ ଲେଖାଯାଇଛି । ପାର୍ଟି ଅଫିସରେ ଲମ୍ବା ଲାଇନ୍ ଧରିଥିବା ଏହି ବାଇକ୍ ଗୁଡ଼ିକ ମଣ୍ଡଳ କାର୍ଯ୍ୟକର୍ତ୍ତାଙ୍କୁ ଦିଆଯିବ । ମାଗଣା ବାଇକ୍ ଚଢ଼ି ସେମାନେ ଦଳୀୟ ପ୍ରଚାରରେ ବୁଲିବେ । ତେବେ ଏତିକିରେ ସରିବ ନାହିଁ । ଆଉ ତିିନିଟି ପର୍ଯ୍ୟାୟରେ ଦୁଇ ହଜାର ବାଇକ୍ ଆସିବ ବୋଲି ଦଳର ଜଣେ ରାଜ୍ୟ କର୍ମକର୍ତ୍ତାଙ୍କଠାରୁ ସୂଚନା ମିଳିଛି ।
ଉତ୍ତରପ୍ରଦେଶ ନିର୍ବାଚନ ଫଳାଫଳରେ ଉତ୍ସାହିତ ବିଜେପି ନେତୃମଣ୍ଡଳୀ ସେଠାକାର ପ୍ରଚାର ଢ଼ାଞ୍ଚା ଓଡ଼ିଶାରେ ପ୍ରୟୋଗ କରିବାକୁ ଯୋଜନା କରିଛନ୍ତି । ନବୀନ ପଟ୍ଟନାୟକ ଓ ତାଙ୍କ ବିଜେଡ଼ିକୁ ଧରାଶାୟୀ କରିବାର କୌଣସି ସୁଯୋଗ ହାତଛଡ଼ା କରାଯିବନି । ଏଥିରେ ଖର୍ଚ୍ଚର ବାଧକ ରହିବନି । ୧୪୭ ନିର୍ବାଚନମଣ୍ଡଳୀର ପୁରପଲ୍ଲୀରେ ବୁଲିବ ୟୁନିଫର୍ମ ବାଇକ୍ । ମଣ୍ଡଳ କାର୍ଯ୍ୟକର୍ତ୍ତାଙ୍କୁ ବାଇକ୍ ସହ ତେଲ, ଖାଇବାପିଇବା ଖର୍ଚ୍ଚ ଦିଆଯିବ । ଗମାତ୍ ପାଇଁ ଉକ୍ତ ‘ପ୍ୟାକେଜ୍’ରେ ପକେଟ ଖର୍ଚ୍ଚର ବ୍ୟବସ୍ଥା ବି କରାଯାଇଛି ।
ସାରା ରାଜ୍ୟ ପାଇଁ ଏକ ବାଇକ୍ ବଣ୍ଟନର ଦାୟିତ୍ୱ ପଡ଼ିଛି ବିଜେପି ଅଫିସ୍ ବିଅରର୍ କମ୍ ମୁଖପାତ୍ରଙ୍କ ଉପରେ । ଏହି କାର୍ଯ୍ୟ ଗଣମାଧ୍ୟମଠାରୁ ଯଥାସମ୍ଭବ ଗୋପନ ରଖିବାକୁ ଚେଷ୍ଟା କରାଯାଇଛି । ୟୁପି ବାଇକ୍ ଆମଦାନୀ ଖବରପାଇ ଗତକାଲି ରାତିରେ ପାର୍ଟି ଅଫିସକୁ କିଛି ସାମ୍ବାଦିକ ଫଟୋ ଉଠାଇବାକୁ ଯିବା ବେଳେ ମୁଖପାତ୍ର ରାଗି ପାଚି ଲାଲ ପଡ଼ିଯାଇଥିଲେ । ଖବର କେମିତି ଲିକ୍ ହେଲା ବୋଲି ଅଫିସ ତଳିଆ କର୍ମଚାରୀଙ୍କୁ ବହେ ଶୋଧିଥିଲେ ।
ତେବେ ମୁଖପାତ୍ରଙ୍କ ହାତରେ କେବଳ ବାଇକ୍ ବାଣ୍ଟିବାର ଦାୟିତ୍ୱ ରହିଥିବା ବେଳେ ସାମଗ୍ରିକ ଖର୍ଚ୍ଚବାଚ, ଭଲମନ୍ଦ ବୁଝାସୁଝାର ଦାୟିତ୍ୱ ପୂର୍ବଭଳି ଧର୍ମେନ୍ଦ୍ର ପ୍ରଧାନଙ୍କ ଦୁଇ ଗୁମାସ୍ତା(ପିପି)ଙ୍କ ହାତରେ ରହିବ । ସେମାନଙ୍କ ବିନା ନିର୍ଦ୍ଦେଶ ଓ ହସ୍ତକ୍ଷେପରେ କୌଣସି କାର୍ଯ୍ୟ ହୋଇପାରିବ ନାହିଁ । ମିଡ଼ିଆ ମ୍ୟାନେଜମେଣ୍ଟଠାରୁ ଆରମ୍ଭ କରି ଦଳର ଯାବତୀୟ କାରବାର ଗୁମାସ୍ତା ହିଁ ବୁଝିବେ । ଖୋଦ୍ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖରୁ ଏଭଳି ସାନି ନିର୍ଦ୍ଦେଶ ଆସିଥିବା ଦଳର ଜଣେ ବରିଷ୍ଠ ନେତା କହିଛନ୍ତି ।