ଭୁବନେଶ୍ୱର: ମରଣଯନ୍ତା ବିଛାଇଥିବା ବମିଖାଲ ଓଭରବ୍ରିଜ୍ ନିର୍ମାଣକାରୀ ସଂସ୍ଥା ପଣ୍ଡା ଇନଫ୍ରା ସହ ପୂର୍ବତନ ଆଇନମନ୍ତ୍ରୀ ଅରୁଣ ସାହୁଙ୍କ ବ୍ୟବସାୟିକ ସମ୍ପର୍କର ଅଭିଯୋଗ ଉଠିଛି । ଏହି ସଂସ୍ଥାରେ ଅରୁଣ ଜଣେ ସ୍ଲିପିଂ ପାର୍ଟନର ବୋଲି ବିରୋଧୀ ଦଳ ଅଭିଯୋଗ କରିଛନ୍ତି । ଅରୁଣଙ୍କ ପୃଷ୍ଠପୋଷକତାରେ ପଣ୍ଡା ଇନଫ୍ରା ସଂସ୍ଥା ସମ୍ବଲପୁର, ଜଟଣୀ, ଭୁବନେଶ୍ୱରର ପୋଖରୀପୁଟ, ବମିଖାଲ୍ ଆଦି ବଡ଼ ବଡ଼ ଓଭରବ୍ରିଜ୍ କାମ ହାସଲ କରିଥିବା କୁହାଯାଉଛି । ବମିଖାଲ ଓଭରବ୍ରିଜ୍ ଭୁଶୁଡ଼ିବା ପରେ ବିରୋଧୀ ଦଳର ଟାର୍ଗେଟ୍ ରେ ପଡ଼ିଛନ୍ତି ଅରୁଣ । ଅରୁଣ ଏହାକୁ ଅସ୍ୱୀକାର କରିଥିଲେ ମଧ୍ୟ ବିରୋଧୀ ଦଳ ଚକ୍ରବ୍ୟୁହରେ ଫସିଛନ୍ତି ସେ ।
ଅନୁସନ୍ଧାନରୁ ଜଣାପଡ଼ିଛି, ପଣ୍ଡା ଇନଫ୍ରା ଗୋଟେ ବିରାଟ ଠକ ସଂସ୍ଥା । ନିମ୍ନମାନର ନିର୍ମାଣ କାମରେ ମାହିର । ଖୋଦ୍ ରାଜ୍ୟ ସରକାରଙ୍କୁ ଏହା ଅଜଣା ନାହିଁ । କାରଣ ଅତୀତରେ ନିମ୍ନମାନର କାମ ପାଇଁ ସଂସ୍ଥା ବ୍ଲାକ୍ ଲିଷ୍ଟେଡ଼ ହୋଇଥିଲା । ପରବର୍ତ୍ତୀ ସମୟରେ ହାଇକୋର୍ଟରୁ କ୍ଲିୟରାନ୍ସ ପାଇଥିଲେ ମଧ୍ୟ ରାଜ୍ୟ ସରକାର ସୁପ୍ରିମକୋର୍ଟରେ କେସ୍ ଲଢ଼ି ନ ଥିଲେ । ପଣ୍ଡା ଇନଫ୍ରା ବିରୋଧରେ ଉପରକୋର୍ଟ ନ ଯିବା ପଛରେ ଅରୁଣ ସାହୁଙ୍କ ଭୂମିକାକୁ ସନ୍ଦେହ କରାଯାଉଛି । ଖାଲି ଅରୁଣ ନୁହଁନ୍ତି ମନ୍ତ୍ରୀ ଅଶୋକ ପଣ୍ଡାଙ୍କର ମଧ୍ୟ ସେଥିରେ ସହଯୋଗ ରହିଥିବା କୁହାଯାଉଛି । ପଣ୍ଡା ସଂସ୍ଥା ମାଲିକ ଠିକାଦାର ପ୍ରତାପ ପଣ୍ଡା ସହ ଅଶୋକଙ୍କର ବ୍ୟକ୍ତିଗତ ନିବିଡ଼ ସମ୍ପର୍କ ଥିବା ଅଭିଯୋଗ ଉଠିଛି ।
ସୂଚନାଯୋଗ୍ୟ, ପୋଖରୀପୁଟ ଫ୍ଲାଇ ଓଭରବ୍ରିଜ୍ ନିର୍ମାଣ କରୁଛି ପଣ୍ଡା ଇନଫ୍ରା । ୭ ବର୍ଷ ହେଲାଣି କାମ ଚାଲୁଛି, ସରିପାରୁନାହିଁ । କାମର ମାନ ଉପରେ ବାରମ୍ବାର ଅଭିଯୋଗ ହୋଇଆସୁଛି । ଏପଟେ ବମିଖାଲ୍ ଓଭରବ୍ରିଜ୍ ନିର୍ମାଣ ୨୦୧୨ ମାର୍ଚ୍ଚରୁ ଆରମ୍ଭ ହୋଇ ୨୦୧୪ରେ ଶେଷ କରିବାକୁ ଡେଡଲାଇନ୍ ଦିଆଯାଇଥିବା ବେଳେ କାମ ସରିପାରୁନାହିଁ । କାମର ସବ୍ ଷ୍ଟାଣ୍ଡାର୍ଡ ମାନ ନେଇ ସ୍ଥାନୀୟ ଅଞ୍ଚଳବାସୀ ରାଜ୍ୟ ସରକାରଙ୍କୁ ଅବଗତ କରାଇଥିଲେ । ହେଲେ କିଛି ଫଳ ମିଳି ନ ଥିଲା । ଓଲଟି ଚଳିତବର୍ଷ ଡିସେମ୍ବର ସୁଦ୍ଧା କାମ ସାରିବାକୁ ଠିକାଦାର ପଣ୍ଡାକୁ ସାନି ଡେଡଲାଇନ୍ ଦିଆଯାଇଥିଲା । ଜଟଣୀ ଓଭରବ୍ରିଜ୍ ଓ ସମ୍ବଲପୁର ଓଭରବ୍ରିଜ୍ ନିର୍ମାଣରେ ନିମ୍ନମାନର କାମ ନେଇ ସ୍ଥାନୀୟ ବାସିନ୍ଦା ରାଜ୍ୟ ସରକାରଙ୍କୁ ଅବଗତ କରାଇଥିଲେ ମଧ୍ୟ ସରକାରଙ୍କ ଜୋଇଁପୁଅ ହୋଇଥିଲା ପଣ୍ଡା ।
ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ପୂର୍ତ୍ତ ବିଭାଗର କାମ ଇଏ । ମୁଖ୍ୟମନ୍ତ୍ରୀ ନାଁକୁ ସର୍ବେସର୍ବା ହେଲେ ବିଭାଗରେ ଅଖଣ୍ଡ କ୍ଷମତା ଉପଭୋଗ କରୁଛନ୍ତି ସଚିବ ନଳିନୀ ପ୍ରଧାନ । ନଳିନୀଙ୍କ ସହ ପଣ୍ଡା ଇନଫ୍ରାର ମଧୁର ସମ୍ପର୍କ ନେଇ ବି ଅଭିଯୋଗ ଉଠିଛି । ଓଡ଼ିଶା ଠିକାଦାର ମହାସଂଘ ନଳିନୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଆଗ ତାଙ୍କୁ ଜେଲ୍ ରେ ଠୁଙ୍କିବାକୁ ଅନେକ ଠିକାଦାର ଦାବି କରିଛନ୍ତି । କୁହାଯାଉଛି, ନେତାଙ୍କ ପ୍ରୋତ୍ସାହନ ଓ ସଚିବଙ୍କ ସହଯୋଗ ବଳରେ ପଣ୍ଡା ନିଜର ସାମ୍ରାଜ୍ୟ ତିଆରି କରିଥିଲା । ସଚିବ ଓ କିଛି ଉପରିସ୍ଥ ଅଧିକାରୀ ମାଲେମାଲ୍ ହେଉଥିବା ବେଳେ ତଳିଆ ଇଂଜିନିୟର ଓ କର୍ମଚାରୀ ଛିଟା ପାଉଥିଲେ । ତେଣୁ କାମ ଯେମିତି ଯାଉଛି ଯାଉ ସେଥିପ୍ରତି କାହାରି ନିଘା ନ ଥିଲା । ଯାହାର ଭୟଙ୍କର ପରିଣାମ ଆଜି ଦେଖିବାକୁ ମିଳିଛି । କୁନି ଝିଅ ନିକଟରେ ଗୋଟେ ନିରୀହ ବାପର ଜୀବନ ଚାଲିଯାଇଛି । ବ୍ୟସ୍ତବହୁଳ ଏହି ବମିଖାଲ୍ ରାସ୍ତାରେ ରବିବାର ଦ୍ୱିପହର ନହୋଇ ଅଫିସ୍ ଦିନରେ ଓଭରବ୍ରିଜ୍ ଭୁଷୁଡ଼ିଥିଲେ ଆହୁରି କେତେ ଯେ ଜୀବନ ଯାଇଥାଆନ୍ତା ତାହା ଭାବିହେଉନି ।
Good investigation.