ଭୁବନେଶ୍ୱର: ବମିଖାଲ୍ ଓଭରବି୍ରଜ୍ ଭୁଷୁଡ଼ି ଜଣଙ୍କ ମୃତ୍ୟୁ ଓ ୧୦ରୁ ଅଧିକ ଆହତ ହେବା ଘଟଣା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ମୁଖ୍ୟମନ୍ତ୍ରୀଙ୍କ ଅଧୀନସ୍ଥ ପୂର୍ତ୍ତ ବିଭାଗ ଅଧୀନରେ ଏହି ଓଭରବ୍ରିଜ୍ ର ନିର୍ମାଣ କାମର ଠିକା ନେଇଥିଲା ପଣ୍ଡା ଇନଫ୍ରା । ୨୦୧୪ରେ ନିର୍ମାଣ କାର୍ଯ୍ୟ ସାରିବାକୁ ଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସରିପାରିଲା ନାହିଁ । ଡିସେମ୍ବର ଡେଡଲାଇନ୍ ପାଇ ତରବରିଆ କାମ କରୁଥିଲା ସଂସ୍ଥା । ଏହି ତରବରିଆ ନିର୍ମାଣ ଗୋଟେ ନିରୀହ ବାପର ଜୀବନ ନେଇଗଲା । କୁନି ଝିଅ ଓ ୧୦ରୁ ଅଧିକ ଶ୍ରମିକଙ୍କ ଜୀବନକୁ କ୍ଷତାକ୍ତ କରିଦେଲା । ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିବା ସହ ଦୁଇଜଣ ଇଂଜିନିୟରଙ୍କୁ ସସପେଣ୍ଡ କରିଛନ୍ତି । ତେବେ ଏଥିରେ ସମସ୍ୟାର ସମାଧାନ ହୋଇଗଲା ନାହିଁ । ବରଂ ସରକାରଙ୍କ ଦୋଷ ଦୁର୍ବଳତା ଧରାପଡ଼ିଛି । ସରକାର ଏହି ଅଘଟଣର ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଆଗ ନିର୍ମାଣକାରୀ ଠିକାସଂସ୍ଥା ପଣ୍ଡା ଇନଫ୍ରାଷ୍ଟକଚର ମାଲିକ ଓ ପୂର୍ତ୍ତ ସଚିବଙ୍କୁ ଜେଲ୍ ରେ ପୂରାଇବାକୁ ବିଭିନ୍ନ ସ୍ତରରୁ ଦାବି ହୋଇଛି । ରାଜ୍ୟ ଠିକାଦାର ମହାସଂଘ ପୂର୍ତ୍ତ ସଚିବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ପଣ୍ଡା ଇନଫ୍ରା ସହ ମଧୁଚନ୍ଦ୍ରିକାର ଗୁମର ପେଡ଼ି ଖୋଲିଛନ୍ତି । ସବୁଠାରୁ ଗୁରୁତର କଥା ହେଲା, ପଣ୍ଡା ଇନଫ୍ରା ସହ ନେତା ଓ ଅଫିସରଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏହାର ତଦନ୍ତ ହୋଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସବୁସ୍ତରରୁ ଦାବି ହୋଇଛି ।