ଭୁବନେଶ୍ୱର: ବିଜେପିର କୋଣଠେସା ନେତା ବିଜୟ ମହାପାତ୍ର ଆଜି ଅପରାହ୍ନରେ ଦିଲ୍ଲୀ ଯାତ୍ରା କରିଛନ୍ତି । ସେଠାରେ ସେ ଦଳର ବରିଷ୍ଠ ନେତାମାନଙ୍କୁ ଭେଟିବେ ବୋଲି ତାଙ୍କ ନିକଟତମ ସୂତ୍ରରୁ ଜଣାପଡ଼ିଛି । ପ୍ରତାପ ଷଡ଼ଙ୍ଗୀଙ୍କ ପରେ ବିଜୟ ମହାପାତ୍ରଙ୍କ ଏହି ଅଚାନକ ଦିଲ୍ଲୀ ଭେଟଘାଟ ଯାତ୍ରା ବିଜେପି ରାଜନୀତିକୁ ଆହୁରି ଉଷ୍ମ କରିଛି । ଅରୁଣ ସିଂ ଭୁବନେଶ୍ୱରରେ ଥାଇ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜନ କରୁଥିବା ବେଳେ ବିଜୟଙ୍କ ଦିଲ୍ଲୀ ଗସ୍ତକୁ ବେଶ୍ ଗୁରୁତ୍ୱ ଦିଆଯାଉଛି ।
ସୂଚନା ଅନୁଯାୟୀ, ଦିଲ୍ଲୀରେ ବିଜୟ କିଛି ବରିଷ୍ଠ ନେତାଙ୍କ ସମେତ ଦଳୀୟ ପଦାଧିକାରୀଙ୍କୁ ଭେଟିବେ । ତେବେ ନିଜ ଆଡୁ ବିଜୟ ଦିଲ୍ଲୀ ଯାଇଛନ୍ତି କି ସେଠାରୁ ଡକରା ପାଇଛନ୍ତି ତାହା ସ୍ପଷ୍ଟ ହୋଇନି । ଯଦିଓ ରାଜ୍ୟ ବିଜେପିରେ ବିଜୟ ସମ୍ପୂର୍ଣ୍ଣ କୋଣଠେସା ହୋଇଛନ୍ତି ତେବେ କେନ୍ଦ୍ରୀୟ ତ୍ତାଙ୍କ ସହ ତାଙ୍କ ସମ୍ପର୍କ ଅତୁଟ ରହିଛି । ଏକମାତ୍ର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ତାଙ୍କର ଆଦୌ ପଡୁନି । ଦୁହେଁ ଦୁହିଁଙ୍କୁ ଦେଖିଲେ ଡେଉଁଛନ୍ତି । ଯେଉଁଥିପାଇଁ ବିଜୟ ଦଳରେ ଅଲୋଡ଼ା ହୋଇଛନ୍ତି । ସିଆଡେ କେନ୍ଦ୍ରରେ ଧର୍ମେନ୍ଦ୍ରଙ୍କ ବିରୋଧୀ ଶିବିରରେ ବିଜୟଙ୍କ ଆଦର କମିନାହିଁ । ବିଜୟଙ୍କୁ ମନାଇ ଏକ ସମାଧାନର ବାଟ ଖୋଜିବାରେ ଅଧିକାଂଶ କେନ୍ଦ୍ରନେତା ଆଗ୍ରହୀ । ତିନି ମାସ ତଳେ ବିଜୟ ଦିଲ୍ଲୀ ଯାଇ ଅଧିକାଂଶ କେନ୍ଦ୍ର ନେତାଙ୍କୁ ଭେଟିବା ପରେ ପ୍ରଥମ ଥର ପାଇଁ ଏଭଳି ସୂଚନା ମିଳିଥିଲା । ମାତ୍ର ବିଜୟ ତାଙ୍କ ଜିଦ୍ ରେ ଅଟଳ ରହି ଧର୍ମେନ୍ଦ୍ରଙ୍କ ସହ କାମ କରିବାକୁ ମନା କରିବାରୁ କଥା ଆଗେଇ ପାରି ନ ଥିଲା ।
ଚାରି ଦିନ ତଳେ ପ୍ରତାପ ଷଡ଼ଙ୍ଗୀ ଦିଲ୍ଲୀ ଯାଇ କେନ୍ଦ୍ରୀୟ ନେତାଙ୍କୁ ଭେଟିବା ପରେ ସେ ବସନ୍ତ ପଣ୍ଡାଙ୍କ ଜାଗାରେ ସଭାପତି ହେଉଥିବା ନେଇ ଚର୍ଚ୍ଚା ହୋଇଥିଲା । ମାତ୍ର ଶୁକ୍ରବାର ସଂଧ୍ୟାରେ ଭୁବନେଶ୍ୱର ଆସିଥିବା ପ୍ରଭାରୀ ଅରୁଣ ସିଂ ଏହାକୁ ଖଣ୍ଡନ କରିଛନ୍ତି । ଗୋଟେ ପଟେ ସଂଘ ପରିବାର ବସନ୍ତଙ୍କୁ ଚାହୁଁ ନ ଥିଲା ବେଳେ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୋଷ୍ଠୀ ତାଙ୍କ ପାଇଁ ବିଶେଷ ବ୍ୟଗ୍ରତା ଦେଖାଇଛନ୍ତି । ବସନ୍ତ ପଣ୍ଡାଙ୍କ ଭଳି ସଖୀ କଣ୍ଢେଇଙ୍କୁ ହାତଛଡ଼ା କରିବାକୁ ସେହି ଗୋଷ୍ଠୀ ଚାହୁଁନାହାନ୍ତି । ବରଂ ପ୍ରତାପ ଷଡ଼ଙ୍ଗୀଙ୍କ ଭଳି ନିର୍ବିବାଦୀୟ, ନିଷ୍କଳଙ୍କ ବ୍ୟକ୍ତିତ୍ୱ ଧର୍ମେନ୍ଦ୍ରଙ୍କ ଶିବିର ପାଇଁ ଚକ୍ଷୁଶୀଳ ହୋଇପଡ଼ିଛନ୍ତି ।
ଏହି ପରିପ୍ରେକ୍ଷୀରେ ଧର୍ମେନ୍ଦ୍ର ବିରୋଧୀ ବିଜୟ ମହାପାତ୍ରଙ୍କ ଦିଲ୍ଲୀଗସ୍ତକୁ ନେଇ ସମସ୍ତଙ୍କ ଉତ୍କଣ୍ଠା ବଢ଼ିଯାଇଛି । ଦିନେ ଦୁଇଦିନ ମଧ୍ୟରେ ବୈଜୟନ୍ତ ପଣ୍ଡା ଓ ଦିଲ୍ଲୀପ ରାୟ ମଧ୍ୟ ବିଜେପି ନେତାଙ୍କୁ ଭେଟିବାକୁ ଦିଲ୍ଲୀ ଯାଇପାରନ୍ତି ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି ।