ଭୁବନେଶ୍ୱର: ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର୍ ଟିଟୋ ଲିଙ୍କ୍ ରେ ଆଜି କ୍ରାଇମବ୍ରାଞ୍ଚ ଏସଟିଏଏଫ୍ ଟିମ୍ ପାରାଦ୍ୱୀପର ବାପୁ ପରିଡ଼ାକୁ ଗିରଫ କରିଛନ୍ତି । ଜିତେନ୍ଦ୍ର ସ୍ୱାଇଁ ନାମକ ଜଣେ ବ୍ୟକ୍ତିଙ୍କୁ ଗନ ପଏଣ୍ଟରେ ଧମକ ଦେଇଥିବା ଅଭିଯୋଗର ଖୋଳତାଡ଼ କରୁ କରୁ ଏସଟିଏଫ୍ ତାର ଟିଟୋ ଲିଙ୍କ୍ ଓ ଅପରାଧ ସାମ୍ରାଜ୍ୟର ମୂଳରୁ ଚୂଳ ଯାଏଁ ପାଇଯାଇଛି । ୨୮ ଟି ସଙ୍ଗୀନ ଅପରାଧରେ ଜଡ଼ିତ ଅଛି ବାପୁ । ସେଥିମଧ୍ୟରୁ ଦୁଇଟି କେସ୍ କୁଜଙ୍ଗ ଥାନାରେ, ଗୋଟେ କଟକ ଚାଉଳିଆଗଞ୍ଜ ଥାନାରେ ଏବଂ ଅବଶିଷ୍ଟ କେସ୍ ସବୁ ପାରାଦ୍ୱୀପ ଥାନାର । ଏସବୁ କେସ୍ ସାଦାସିଧା ନୁହେଁ । ହତ୍ୟା, ହତ୍ୟା ଉଦ୍ୟମ, ଫାୟାରିଂ, ଡକାଏତି, ରବରି, ଚୋରି, ଦାଦା ବଟି ଆଦାୟ, ଅପହରଣ, ମୁଣ୍ଡଜାମିନ୍ ଭଳି ସଙ୍ଗୀନ ଅପରାଧ ମାମଲା ରହିଛି ବାପୁ ନାଁରେ । ଟିଟୋର ଜଣେ ପ୍ରମୁଖ ସହଯୋଗୀ ଭାବେ ସେ ଏସବୁ ଅପରାଧ ଚଳାଇଥିଲା ବୋଲି ଏସଟିଏଫ୍ ତଦନ୍ତରୁ ସ୍ପଷ୍ଟ ହୋଇଛି ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବାପୁର ଗିରଫଦାରି ପରେ ଫାୟାର୍ ହୋଇଯାଇଛନ୍ତି ଡାକ୍ତର ଦାମୋଦର ରାଉତ । କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ପ୍ରଶ୍ନ ଲଗାଇ ବାପୁକୁ ତୁରନ୍ତ କ୍ଲିନ୍ ଚିଟ୍ ଦେଇ ଦେଇଛନ୍ତି । କହିଛନ୍ତି, ଟିଟୋ ସହ ବାପୁର ଆଦୌ ସମ୍ପର୍କ ନାହିଁ । ଏପରିକି ଟିଟୋକୁ ସେ ଦେଖିନି । ଟିଟୋ ସହ ସମ୍ପର୍କରେ ଥିବା କିଛି ଲୋକ ଚକ୍ରାନ୍ତ କରିଛନ୍ତି ବୋଲି ଓଲଟି ଓକିଲାତି କରିଛନ୍ତି । ଖାଲି ସେତିକି ନୁହେଁ, ଏକ ହତ୍ୟା ମାମଲାରେ ବାପୁ କୁଆଡ଼େ ସାକ୍ଷୀ ହେବାର ଥିଲା । ସେ କେମିତି ସାକ୍ଷୀ ହୋଇ ନ ପାରିବ ସେଥିପାଇଁ ତାକୁ ଗିରଫ କରାଯାଇଛି ବୋଲି ଦାମ ସଫେଇ ଦେଇଛନ୍ତି ।
ବାପୁ ଗିରଫକୁ ନେଇ ପାରାଦ୍ୱୀପ ବିଧାୟକ ତଥା ବିଜେଡ଼ିର ବରିଷ୍ଠ ନେତା ଦାମବାବୁ ଏତେ ବିବ୍ରତ କାହିଁକି ବୋଲି ପ୍ରଶ୍ନ ଉଠିବା ସ୍ୱାଭାବିକ । ଆଉ ଏହାର ସରଳ ଉତ୍ତର ପାରାଦ୍ୱୀପ କାହିଁକି ସମଗ୍ର ରାଜନୈତିକ ମହଲରେ କୁଆଡ଼େ ସମସ୍ତଙ୍କୁ ଉଣା ଅଧିକେ ଜଣା । କୁହାଯାଉଛି, ଦାମଙ୍କର ଡାହାଣ ହାତ ହେଉଛି ବାପୁ । ପାରାଦ୍ୱୀପସ୍ଥିତ ନିରାକାର ଡମ୍ଫର ଆସୋସିଏସନ୍ ର ସେ ସମ୍ପାଦକ । ପାରାଦ୍ୱୀପରେ ଦାମଙ୍କ ରାଜନୈତିକ ସାମ୍ରାଜ୍ୟ, ପଇସାପତ୍ର କାରବାର ଏହି ବାପୁ ସମ୍ଭାଳେ । ଏକଥା ଦାମବାବୁ ନ ମାନିଲେ ମଧ୍ୟ ବାପୁ ପାଇଁ ତାଙ୍କର ଝାଳନାଳ ଓକିଲାତି ତାହାର ଉତ୍ତର ଛାଡ଼ିଦେଇଛି ।
ଏସଟିଏଫ୍ ଦ୍ୱାରା ଗିରଫ ଟିଟୋ ସାମ୍ରାଜ୍ୟର ଜଣେ କୁଖ୍ୟାତ ଅପରାଧୀ ବାପୁ ପାଇଁ ଦାମଙ୍କ ଓକିଲାତି ପାରାଦ୍ୱୀପବାସୀଙ୍କୁ ଲଜ୍ଜିତ କରିଛି । ସୂଚନାଯୋଗ୍ୟ, ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଦାମଙ୍କ ସହ ଏହି ବାପୁକୁ ସବୁବେଳେ ଦେଖିବାକୁ ମିଳିଥାଏ ।