ଭୁବନେଶ୍ୱର: ୨୦୧୮ ନଭେମ୍ବର କି ଡିସେମ୍ବର ନୁହେଁ । ବରଂ ୨୦୧୯ ଧାର୍ଯ୍ୟ ସମୟରେ ହେବ ସାଧାରଣ ନିର୍ବାଚନ । ଭୋଟର ତାଲିକା ସଂଶୋଧନ ଦିନ ଧାର୍ଯ୍ୟରୁ ଏହାର ସଙ୍କେତ ମିଳିଛି । ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ଭୋଟର ତାଲିକା ସଂଶୋଧନର କାର୍ଯ୍ୟସୂଚୀ ଘୋଷଣା କଲା ପରେ ଆଗୁଆ ନିର୍ବାଚନ ସମ୍ଭାବନା କଳ୍ପନାଜଳ୍ପନାରେ ଅବସାନ ଘଟିଛି । ଅନ୍ୟପକ୍ଷରେ ଭୋଟର ତାଲିକା ସଂଶୋଧନ କାର୍ଯ୍ୟସୂଚୀ ଜାରି ସହ ସାଧାରଣ ନିର୍ବାଚନର ବିଗୁଲ୍ ବାଜିଛି ।
କାର୍ଯ୍ୟସୂଚୀ ଅନୁଯାୟୀ, ସେପ୍ଟେମ୍ବର ୧ ରେ ଭୋଟର ଚିଠା ତାଲିକା ପ୍ରକାଶନ ହେବ । ୨୦୧୯ ଜାନୁଆରୀ ବେଳକୁ ଯାହାର ବୟସ ୧୮ ହୋଇଥିବ ସେମାନଙ୍କ ନାଁ ଭୋଟର ତାଲିକାରେ ସ୍ଥାନିତ ହେବ । ସେପ୍ଟେମ୍ବର ୧ ରୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଅଭିଯୋଗ ନେଇ ଭୋଟରମାନେ ଆବେଦନ କରିପାରିବେ । ନଭେମ୍ବର ୩୦ ସୁଦ୍ଧା ସମସ୍ତ ଆପତ୍ତି ଅଭିଯୋଗର ଫଇସଲା କରାଯିବ । ଜାନୁଆରୀ ୪ ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ଏହା ପରେ ଯେ କୌଣସି ଦିନ ସାଧାରଣ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ।