ଭୁବନେଶ୍ୱର: ବସନ୍ତ ପଣ୍ଡାଙ୍କୁ ସଭାପତି ପଦରୁ ହଟାଇବାକୁ ସଂଘ ପରିବାର ନିଜ ଜିଦ୍ ରେ ଅଟଳ ଅଛନ୍ତି । ଏପରିକି ଅଗଷ୍ଟ ୧୦ ଡେଡଲାଇନ୍ ବି ଦିଆଯାଇଛି । ନ ହଟିଲେ, ସଂଘ ପରିବାର ବିଜେପିକୁ ଅସହଯୋଗ କରିବ ଏବଂ ଯାଜପୁର ଭଳି ସବୁ ଜିଲ୍ଲାରେ ସମାନ୍ତରାଳ ବୈଠକ ହେବ ବୋଲି ଚେତାଇ ଦିଆଯାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ପ୍ରଭାରୀ ଅରୁଣ ସିଂ ନିକଟରେ ଭୁବନେଶ୍ୱରରେ ବସନ୍ତ ପଣ୍ଡାଙ୍କ ସପକ୍ଷରେ ଓକିଲାତି କରି ସେ ବଦଳିବେ ନାହିଁ ବୋଲି ଘୋଷଣା କରିବା ସଂଘ ପରିବାରର ଅଧିକାଂଶ ସଦସ୍ୟଙ୍କୁ କ୍ଷୁବ୍ଧ କରିଛି ।
ବିଶ୍ୱସ୍ତ ସୂତ୍ରର ଖବର ଅନୁଯାୟୀ, ସଂଘ ପରିବାରର ଏଭଳି କଠୋର ଆଭିମୁଖ୍ୟରେ ଚେକ୍ ଲଗାଇବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ସମସ୍ତ ବଳକୌଶଳ ଖଟାଇଛନ୍ତି । ଦିଲ୍ଲୀରେ ଆରଏସଏସ ର ବରିଷ୍ଠ ନେତାଙ୍କୁ ସେ ବସନ୍ତ ପଣ୍ଡାଙ୍କ ସପକ୍ଷରେ ମନାଇବାକୁ ଉଦ୍ୟମ ଜାରି ରଖିଛନ୍ତି । ଯଦି ଧର୍ମେନ୍ଦ୍ର ସେଥିରେ ବିଫଳ ହୁଅନ୍ତି ତେବେ ତାହାର ବିକଳ୍ପ ମଧ୍ୟ ଚିନ୍ତା କରାଯାଇଛି । ବସନ୍ତ ପଣ୍ଡାଙ୍କ ଜାଗାରେ ପ୍ରତାପ ଷଡ଼ଙ୍ଗୀ ନୁହଁନ୍ତି, ବରଂ ସମୀର ମହାନ୍ତିଙ୍କୁ ସଭାପତି ଆସନରେ ବସାଇବାକୁ ବିକଳ୍ପ ପ୍ରସ୍ତାବ ରଖାଯାଇଛି । ବସନ୍ତ ପଣ୍ଡାଙ୍କ ଭଳି ସମୀର ମହାନ୍ତି ଧର୍ମେନ୍ଦ୍ରଙ୍କ କଣ୍ଟ୍ରୋଲରେ ରହିବା ସମସ୍ୟା ନଥିବାରୁ ଏଭଳି ବିକଳ୍ପ ପ୍ରସ୍ତାବର ଚିନ୍ତା କରାଯାଇଛି । ସୁତରାଂ ପ୍ରତାପ ଷଡ଼ଙ୍ଗୀଙ୍କୁ କୌଣସି ହାଲତ୍ ରେ ବି ସଭାପତି ଆସନରେ ବସାଇବାକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଶିବିର ଚାହୁଁନାହାନ୍ତି ।
ପ୍ରତାପ ଷଡ଼ଙ୍ଗୀ ନିଜେ ସଭାପତି ପଦ ପାଇଁ ଲାଳାୟିତ ନୁହଁନ୍ତି । ମାତ୍ର ତାଙ୍କ ଭଳି ଜଣେ ନିର୍ବିବାଦୀୟ, ଲୋକପ୍ରିୟ, ସାଧୁ ଓ ଯୋଗୀ ପୁରୁଷଙ୍କୁ ଦଳର ନେତୃତ୍ୱ ଦେଲେ ବିଜେପି ଓଡ଼ିଶାରେ ଚମତ୍କାରିତା ଦେଖାଇପାରିବ ବୋଲି ଅଧିକାଂଶ ନେତାଙ୍କ ମତ । ପ୍ରତାପଙ୍କ ସମ୍ଭାବ୍ୟ ନେତୃତ୍ୱକୁ ସଂଘ ପରିବାର ଓ ଧର୍ମେନ୍ଦ୍ରଙ୍କ ବୃହତ୍ତ ବିରୋଧୀ ଗୋଷ୍ଠୀ ସମର୍ଥନ କରୁଛନ୍ତି । ସେମାନଙ୍କ ମତରେ, ବସନ୍ତଙ୍କୁ ସଖି କଣ୍ଢେଇ କରି ଧର୍ମେନ୍ଦ୍ରଙ୍କ ଏକଚାଟିଆ ଶାସନ ବିଜେପିକୁ ସବଳ କରିବା ପରିବର୍ତ୍ତେ ଦୁର୍ବଳ କରିଦେଲାଣି । ତୃଣମୂଳସ୍ତରରେ ଦଳୀୟ ସଂଗଠନ ଆଜି ପର୍ଯ୍ୟନ୍ତ ଅଣ୍ଟା ସଳଖି ପାରୁନି । ଏଭଳିସ୍ଥିତିରେ ଦଳ ସାଧାରଣ ନିର୍ବାଚନକୁ ଯାଇ ଭଲ ଫଳ ଆଶା କରିବା ବୃଥା । ୧୨୦ ଆସନ କଥା ଛାଡ଼ନ୍ତୁ, ଦଳ ୨୦ ଆସନ ପାଇବ କି ନା ସନ୍ଦେହ ବୋଲି ଜଣେ ବରିଷ୍ଠ ନେତା ଆଶଙ୍କା ପ୍ରକାଶ କରିଛନ୍ତି । ପ୍ରତାପ ଷଡ଼ଙ୍ଗୀଙ୍କ ହାତରେ ନେତୃତ୍ୱ ଛାଡ଼ିଲେ ସଂଗଠନ ମଜବୁତ ହୋଇ ଦଳ କରିସ୍ମା ଦେଖାଇପାରିବ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ, ସଂଘ ପରିବାର ନେତାମାନେ ଏହି ଯୁକ୍ତି ରଖି ନିକଟରେ ଅମିତ୍ ଶାହାଙ୍କ ପାଖେ ଫେରାଦ୍ ହୋଇଥିଲେ । ଶାହା ଏହାକୁ ଗୁରୁତର ସହ ଚିନ୍ତା କରୁଥିବା ବେଳେ ଧର୍ମେନ୍ଦ୍ର ଫ୍ୟାକ୍ଟର ସେଥିରେ ବାଧକ ସାଜିଥିବା କୁହାଯାଉଛି ।
ଅନ୍ୟ ଏକ ସୂଚନା ଅନୁଯାୟୀ, ବୈଜୟନ୍ତ ପଣ୍ଡା ଖୁବ୍ ଶୀଘ୍ର ବିଜେପିରେ ମିଶିବାକୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଗଲାଣି । ଦଳରେ ମିଶିବା ପୂର୍ବରୁ ଓଡ଼ିଶାରେ ସଂଗଠନକୁ ମଜବୁତ କରିବାକୁ ହାଇକମାଣ୍ଡଙ୍କୁ ସେ କିଛି ପ୍ରସ୍ତାବ ଦେଇଥିବା ଚର୍ଚ୍ଚା ହେଉଛି । ଏଥିରେ ପ୍ରତାଷ ଷଡ଼ଙ୍ଗୀଙ୍କ ହାତରେ ବିଜେପି ନେତୃତ୍ୱ ସମର୍ପିବାକୁ ସେ ତାଙ୍କ ଇଚ୍ଛା ଜଣାଇଥିବା ବେଳେ ବିଜୟ ମହାପାତ୍ର, ଦିଲ୍ଲୀପ ରାୟଙ୍କୁ ସାଙ୍ଗରେ ନେଇ ଚାଲିବାକୁ ପ୍ରସ୍ତାବ ଦେଇଛନ୍ତି । ସଂଗଠନ ସମ୍ପାଦକ ରାମ ମାଧବ ବୈଜୟନ୍ତଙ୍କ ପ୍ରସ୍ତାବକୁ ଗୁରୁତ୍ୱ ଦେଇ ସେ ଦିଗରେ ଗୋଟିଚାଳନା କରୁଥିବା କୁହାଯାଉଛି ।