କଟକ: ବେକରେ ପଦ୍ମ ମାର୍କା ଉତ୍ତରୀୟ ସହ ବୈଜୟନ୍ତ ପଣ୍ଡାଙ୍କର ବିଜେପି ବହିନି ହୋଇଛି ! ବୁଧବାର କଟକରେ ବୈଜୟନ୍ତଙ୍କର ଚା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ‘ହେଇଯାଉ’ ଅନୁଷ୍ଠିତ ହୋଇଥିଲା । ଏଥିରେ ବୈଜୟନ୍ତଙ୍କୁ ପଦ୍ମ ମାର୍କା ଗେରୁଆ ଉତ୍ତରୀୟ ଦେଖିବାକୁ ମିଳିଥିଲା । କିଛି ଯୁବକ ବୈଜୟନ୍ତଙ୍କ ବେକରେ ବିଜେପି ଉତ୍ତରୀୟ ପକାଇବା ପରେ ବୈଜୟନ୍ତ ତାକୁ ସାଦରେ ଗ୍ରହଣ କରିଥିଲେ । ସେହି ଯୁବକଙ୍କ ସହ ସେଲଫି ଉଠାଇଥିଲେ । ମନରେ ତାଙ୍କର ପ୍ରସନ୍ନତା ଭରିଯାଇଥିଲା । ବୈଜୟନ୍ତ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇ ନ ଥିଲେ ମଧ୍ୟ ତାଙ୍କର ଏଭଳି ରୂପ ସେଠାରେ ଉପସ୍ଥିତ ଲୋକଙ୍କୁ ବେଶ ଚକିତ କରିଥିଲା ।
କଟକ ସହିଦ ଭବନ ଚା’ ଷ୍ଟଲଠାରେ ବୈଜୟନ୍ତ କରିଥିଲେ ନିଜର ‘ହେଇଯାଉ’ କାର୍ଯ୍ୟକ୍ରମ । ଏଥିରେ ଯୋଗଦେଇଥିବା କିଛି ଯୁବକ ବୈଜୟନ୍ତଙ୍କୁ ବିଜେପିକୁ ଆମନ୍ତ୍ରିତ କରି ତାଙ୍କ ବେକରେ ଉତ୍ତରୀୟ ପକାଇଥିଲେ । ବୈଜୟନ୍ତ ଏଥିରେ ଆନନ୍ଦିତ ହୋଇଥିଲେ ମଧ୍ୟ ବିଜେପିରେ ମିଶିବା ନେଇ କିଛି ସ୍ପଷ୍ଟ କରି ନ ଥିଲେ । ଠିକ୍ ସମୟରେ ଲୋକେ ତାଙ୍କର ରାଜନୈତିକ ଭବିଷ୍ୟତ ବାବଦରେ ଜାଣିବେ ବୋଲି କହିଥିଲେ ।
କଟକ ଦୃଶ୍ୟପଟ ବୟାନ କରୁଛି ଯେ ବୈଜୟନ୍ତଙ୍କ ମନ ବିଜେପିରେ ସାମିଲ ହୋଇସାରିଲାଣି । ସେ ନିଜେ କିଛି ନ କହିଲେ ମଧ୍ୟ ଏଇ ୧୦ ଦିନ ଭିତରେ ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେବେ ବୋଲି କୁହାଯାଉଛି । ସେଥିପାଇଁ ଦିଲ୍ଲୀରେ ଚୂଡ଼ାନ୍ତ କଥା ସାରି ଆସିଛନ୍ତି । ତେବେ ବିଜେପିରେ ସେ କେଉଁ ରୂପରେ ଆର୍ବିଭାବ ହେବେ ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ପୂର୍ବରୁ ଖବର ଆସିଥିଲା କି ଗତକାଲି ସେ ଦିଲ୍ଲୀରେ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କ ସହ କଥା ହୋଇଥିଲେ । ଏହି ଦୁହିଁଙ୍କୁ ଦଳରେ ପ୍ରାଧାନ୍ୟ ଦେବା ସହ ପ୍ରତାପ ଷଡ଼ଙ୍ଗୀଙ୍କ ହାତରେ ନେତୃତ୍ୱ ଦେବାକୁ ସେ ହାଇକମାଣ୍ଡଙ୍କୁ ପ୍ରସ୍ତାବ ଦେଇଥିବା ଚର୍ଚ୍ଚା ହେଉଛି । ସଂଗଠନ ସମ୍ପାଦକ ରାମ ମାଧବ ଏହାକୁ ଗୁରୁତ୍ୱ ଦେଇଥିବା ବି କୁହାଯାଉଛି ।