ଭୁବନେଶ୍ୱର: ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶାରେ ବିଧାନ ପରିଷଦ ଗଠନ ପାଇଁ ରାଜ୍ୟ ସରକାର ତତ୍ପର ହୋଇଛନ୍ତି । ନୃସିଂହ ସାହୁଙ୍କ ଅଧ୍ୟକ୍ଷତାରେ ଗଠିତ ଅନୁଧ୍ୟାନ କମିଟି ଆଜି ତାଙ୍କର ସୁପାରିଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି । ତେଲେଙ୍ଗାନା ବିଧାନ ପରିଷଦ ଗଠନ ଢ଼ାଞ୍ଚାକୁ ଓଡ଼ିଶା ପାଇଁ ଶ୍ରେଷ୍ଠ ଆଧାର ବୋଲି ଦର୍ଶାଯାଇଛି । ମୁଖ୍ୟମନ୍ତ୍ରୀ ଉକ୍ତ ରିପୋର୍ଟକୁ ଗ୍ରହଣ କରିବା ସହ ଯଥାଶୀଘ୍ର ଏହାର ପ୍ରକ୍ରିୟା ସାରି ନିର୍ବାଚନ ପୂର୍ବରୁ କାମ ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିବା ଜଣାପଡ଼ିଛି ।
ବିଧାନ ପରିଷଦ ଗଠନ ପ୍ରଣାଳୀ ଓ କାର୍ଯ୍ୟଧାରା ସମ୍ପର୍କରେ ବିଶଦ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ଗତ ଜୁନ୍ ୫ ତାରିଖରେ ମୁଖ୍ୟମନ୍ତ୍ରୀ କମିଟିକୁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ କମିଟି ତେଲେଙ୍ଗାନା ରାଜ୍ୟ ଗସ୍ତ କରି ତାହାର ବିଧାନ ପରିଷଦ ଗଠନର ପ୍ରଣାଳୀ ଅନୁଧ୍ୟାନ କରିଥିଲେ । ପୂର୍ବରୁ ୨୦୧୫ ଜାନୁଆରୀ ମାସରେ କମିଟି ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ର ବିଧାନ ପରିଷଦ ଗଠନ ପ୍ରଣାଳୀ ଅନୁଧ୍ୟାନ କରିଥିଲେ । ତେବେ ସେଥିମଧ୍ୟରୁ ତେଲେଙ୍ଗାନା ବିଧାନ ପରିଷଦ ଗଠନ ଢ଼ାଞ୍ଚାକୁ ସର୍ବଶ୍ରେଷ୍ଠ ବୋଲି କମିଟି ବିଚାର କରିଛି ।
ବିହାର, ଜାମ୍ମୁ କାଶ୍ମୀର, ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ, ଉତ୍ତର ପ୍ରଦେଶ ଓ ତେଲେଙ୍ଗାନା ପରେ ବିଧାନ ପରିଷଦ ଗଠନ ପାଇଁ ଓଡ଼ିଶା ହେବ ଅଷ୍ଟମ ରାଜ୍ୟ । ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ବ୍ୟକ୍ତିଙ୍କୁ ଆଇନ ପ୍ରଣୟନ କ୍ଷେତ୍ରରେ ଭାଗ ନେବା ପାଇଁ ବିଧାନ ପରିଷଦ ସହାୟକ ହୋଇପାରିବ । ଓଡ଼ିଶାରେ ୨୦୧୫ରୁ ଅନୁଧ୍ୟାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ମୁଖ୍ୟମନ୍ତ୍ରୀ ନିଜେ ଏଥିପ୍ରତି ଆଗ୍ରହ ଦେଖାଇବା ପରେ ଏହା ତ୍ୱରାନ୍ୱିତ ହୋଇଛି । ଆସନ୍ତା ନିର୍ବାଚନ ପୂର୍ବରୁ ପ୍ରକ୍ରିୟା ସାରିବାକୁ ଉଦ୍ୟମ ଚାଲିଛି ବୋଲି ଜଣେ ବରିଷ୍ଠ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି ।