ଭୁୁବନେଶ୍ୱର: ଅନ୍ ଲାଇନ୍ ରେ ଏଥର ହାତ ପାଆନ୍ତାରେ ଥାନା । ଯେପରିକି(୧) ମଟରସାଇକେଲ ଚୋରି ହୋଇଗଲେ ଏତଲା ପାଇଁ ଥାନା ଦୌଡ଼ାର ହୀନସ୍ତା ଭୋଗିବାକୁ ପଡ଼ିବନି । (୨) ରାସ୍ତା ଦୁର୍ଘଟଣା ହେଲେ ଇନସୁରାନ୍ସ ସହାୟତା ପାଇଁ ପୁଲିସ, ଡାକ୍ତରଖାନା, ଆରଟିଓ କିମ୍ବା ଇନସୁରାନ୍ସ ଅଫିସ୍ ଦୌଡ଼ିବାକୁ ପଡ଼ିବନି । (୩) ରାସ୍ତା ଦୁର୍ଘଟଣାର ଶିକାର ହେଲେ ଡାକ୍ତରୀ ପରୀକ୍ଷା ରିପୋର୍ଟ ପାଇଁ ପୁଲିସ କି ଡାକ୍ତରଖାନାର ଦୁର୍ଦ୍ଦଶା ଭୋଗିବାକୁ ପଡ଼ିବନି ।
ରାଜ୍ୟ ସରକାରଙ୍କ ୫-ଟି ଚାର୍ଟରରେ ଏଭଳି ତିନୋଟି ବଡ଼ ଚାପ୍ଟର ଯୋଡ଼ି ହୋଇଛି । ଆଜି ଲୋକସେବା ଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଏହିସବୁ ସେବା ଭେଟି ଦେଇଛନ୍ତି । ଜନସାଧାରଣଙ୍କ ଥାନାକୁ ଯିବାର ଆବଶ୍ୟକତାକୁ କମାଇ ଦେଇଛନ୍ତି ।
ଭର୍ଚୁଆଲ୍/ଇ-ପୁଲିସ ଷ୍ଟେସନ୍: ଇ-ପୁଲିସ ଷ୍ଟେସନ୍ କୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି । ଏଣିକି କାହାର ଗାଡ଼ି ଚୋରି ହୋଇଗଲେ ସେ ଥାନା ଯାଇ ଏତଲା ଦେବାକୁ ପଡ଼ିବନି । ନିଜ ମୋବାଇଲ୍ ଯୋଗେ ଅନଲାଇନ୍ ରେ ପୁଲିସକୁ ଅଭିଯୋଗ ପଠାଇପାରିବେ । ପୁଲିସ ଅନଲାଇନ୍ ରେ ହିଁ ଏତଲାକୁ ପଂଜିକରଣ କରି ତଦନ୍ତ କରିବ । ଚୋରିର ସନ୍ଧାନ ନ ମିଳିଲେ ୨୧ ଦିନ ପରେ ଚୂଡ଼ାନ୍ତ ଫର୍ମ ସିସିଟିଏନଏସ୍ ରେ ଅଟୋ ଜେନେରେଟେଡ଼୍ ହେବ । ମୋଟର ସାଇକେଲ ଚୋରି କ୍ଷେତ୍ରରେ ଇନସୁରାନ୍ସ ଦାବି ପାଇଁ ଏହା ସହାୟକ ହେବ ।
ଜଣେ ନାଗରିକ ଚାହିଁଲେ ସିଟିଜେନସ୍ ପୋର୍ଟାଲ୍ କିମ୍ବା ସହାୟତା ମୋବାଇଲ୍ ଆପ୍ ଜରିଆରେ ମଧ୍ୟ ଏତଲା ଦର୍ଜ କରିପାରିବେ ।
ରୋଡ୍ ଆକ୍ସିଡେଣ୍ଟ କେସ୍ ଡକ୍ୟୁମେଣ୍ଟସ୍ ମୋଡ୍ୟୁଲ୍: ରାସ୍ତା ଦୁର୍ଘଟଣାରେ କ୍ଷତିଗ୍ରସ୍ତଙ୍କ କାଗଜପତ୍ର ଠିକ୍ କରିବା ପାଇଁ ଏକ ମୋଡ୍ୟୁଲ୍ ପ୍ରସ୍ତୁତ କରାଯାଇଛି । ୱେବ୍ ସାଇଟ୍ www.imsop.odisha.gov.in କୁ ଯାଇ ଏହାର ସୁବିଧା ପାଇହେବ । ଇନସୁରାନ୍ସ କମ୍ପାନୀ କିମ୍ବା ରାସ୍ତା ଦୁର୍ଘଟଣାର ଶିକାର ବ୍ୟକ୍ତି ଏହି ୱେବସାଇଟ୍ ରୁ ଆବଶ୍ୟକ ଏତଲା କପି, ଫାଇନାଲ୍ ଫର୍ମ, ସ୍ପଟ୍ ମ୍ୟାପ୍, ଏମଭିଆଇ ରିପୋର୍ଟ, ଇନକ୍ୱେଷ୍ଟ୍, ପୋଷ୍ଟମର୍ଟମ୍ ରିପୋର୍ଟ, ଡ୍ରାଇଭିଂ ଲାଇସେନସ୍, ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ ଆଦି ଡାଉନଲୋଡ଼୍ କରିପାରିବେ । ଇନସୁରାନ୍ସ କମ୍ପାନୀ କ୍ରାଇମ ରେକର୍ଡସ୍ ବ୍ୟୁରୋରୁ ୟୁଜର୍ ଆଇଡି ଏବଂ ପାସୱାର୍ଡ ଆଣି ୱେବସାଇଟ୍ ର ଉପଯୋଗ କରିବେ । ସେହିପରି ଅଭିଯୋଗକାରୀ ସାଇଟ୍ କୁ ଯାଇ ଆବଶ୍ୟକ ତଥ୍ୟ ଦେଲା ପରେ ୱେବସାଇଟ୍ ର ଉପଯୋଗ କରିପାରିବେ ।
ମେଡ଼ିକୋ ଲିଗାଲ୍ ଓପିନିଅନ୍ ସିଷ୍ଟମ୍: ଏହି ୱେବ୍ ସିଷ୍ଟମ୍ ଉଭୟ ପୁଲିସ ଏବଂ ଡାକ୍ତରଙ୍କୁ ସହାୟତା ଦେବ । ଦୁର୍ଘଟଣାରେ ଶିକାର ହୋଇଥିବା ବ୍ୟକ୍ତିଙ୍କ ଡାକ୍ତରୀ ପରୀକ୍ଷା ପାଇଁ ପୁଲିସ ଅନଲାଇନ୍ ରେ ରିକୁ୍ୟଜିସନ୍ କରିପାରିବ । ପରୀକ୍ଷା ରିପୋର୍ଟକୁ ଡାକ୍ତର ଅନଲାଇନ୍ ରେ ଅପଲୋଡ କରିବେ ଏବଂ ପୁଲିସ ଏହାକୁ ଡାଉନଲୋଡ଼ କରି ପରବର୍ତ୍ତୀ ପଦକ୍ଷେପ ନେବ । ଏହାଦ୍ୱାରା ଡାକ୍ତରୀ ରିପୋର୍ଟ ପାଇବାରେ ଅଯଥା ବିଳମ୍ବ ହେବନି କି ହାତସଫେଇ କାମ ହୋଇପାରିବନି । ସମୟୋଚିତ ପଦକ୍ଷେପ ଦ୍ୱାରା ପୀଡ଼ିତ ବ୍ୟକ୍ତି ଠିକ୍ ସମୟରେ ସହାୟତା ପାଇପାରିବେ ।
ଏହି ତିନୋଟି ପ୍ରକଳ୍ପକୁ(ଟ୍ରାନସଫରମେସନାଲ୍ ପ୍ରୋଜେକ୍ଟସ୍) ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ, ମୋ ସରକାର ୫-ଟି ଅଧୀନରେ ରାଜ୍ୟବାସୀଙ୍କୁ ନାଗରିକ କେନ୍ଦ୍ରିକ ଶାସନ ଦେବା ପାଇଁ ସଂକଳ୍ପବଦ୍ଧ । ଏହି କାର୍ଯ୍ୟକ୍ରମ ଦ୍ୱାରା ଲୋକମାନେ ଥାନାକୁ ଅଯଥା ଦୌଡ଼ିବେ ନାହିଁ ।
୫-ଟି ସଚିବ ଭି.କେ.ପାଣ୍ଡିଆନ୍, ପୁଲିସ ବିଭାଗରେ ଆସୁଥିବା ପରିବର୍ତ୍ତନକୁ ପ୍ରଶଂସା କରିଥିଲେ । ପୁଲିସ କାର୍ଯ୍ୟକଳାପ ଉପରେ ସରକାର ଭଲ ଫିଡବ୍ୟାକ୍ ପାଉଛନ୍ତି । ଡାକ୍ତରଖାନା ଏବଂ ଆରଟିଓ ଅଫିସଗୁଡ଼ିକରୁ ଦଲାଲମାନେ ହଟିଥିବାରୁ ଶ୍ରୀ ପାଣ୍ଡିଆନ୍ ଖୁସି ପ୍ରକଟ କରିଥିଲେ । ଶିଳ୍ପାନୁଷ୍ଠାନକୁ ନେଇ ରହିଥିବା ବିବାଦଗୁଡ଼ିକର ସମାଧାନ କ୍ଷେତ୍ରରେ ପୁଲିସର ବଡ଼ ପଦକ୍ଷେପକୁ ମଧ୍ୟ ସେ ପ୍ରଶଂସା କରିଥିଲେ । ଭିଡ଼ିଓ କନଫରେନ୍ସିଂ ଯୋଗେ କିଛି ଜିଲ୍ଲାର ଏସପିଙ୍କ ସହ କଥା ହୋଇ ସରକାର ଆଜି ନେଇଥିବା ତିନୋଟିଯାକ ପ୍ରକଳ୍ପ ଉପରେ ଅଫିସରମାନଙ୍କ ମତାମତ ନେଇଥିଲେ ପାଣ୍ଡିଆନ୍ ।