ଭୁବନେଶ୍ୱର: ଶ୍ରୀ ଲିଙ୍ଗରାଜ ମନ୍ଦିର ଓ ବିନ୍ଦୁସାଗର ଅଞ୍ଚଳର ୬୫ ଏକର ପରିମିତ ଅଞ୍ଚଳର ଉନ୍ନତି, ସୌନ୍ଦର୍ଯ୍ୟକରଣ ଓ ପର୍ଯ୍ୟଟକଙ୍କ ବିକାଶ ନିମନ୍ତେ କାର୍ଯ୍ୟକାରୀ ହେଉଥିବା ଏକାମ୍ର ଯୋଜନାରେ ବିସ୍ଥାପିତଙ୍କ ପାଇଁ ଥଇଥାନ ଓ ସହାୟତା ପ୍ୟାକେଜ୍ ଆଜି ଘୋଷଣା ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ଲାଭ ପରେ ଘୋଷଣାନାମା ପ୍ରକାଶ ପାଇଛି । ପ୍ୟାକେଜ୍ ରେ ବାସଗୃହ, ମଠ ଓ ଦୋକାନ ଘର ପାଇଁ ଆର୍ଥିକ ସହାୟତା ରହିଛି ।
ଆବାସିକ ଅଞ୍ଚଳ
ଆବାସିକ ଅଞ୍ଚଳ ପାଇଁ ସ୍ଥିତିବାନ ସତ୍ତ୍ୱରେ ନିର୍ମିତ ବାସଗୃହଗୁଡ଼ିକୁ ଓଡ଼ିଶା ସରକାରଙ୍କ ଅନୁମୋଦିତ ବ୍ୟବସ୍ଥା ଅନୁଯାୟୀ ସିଧାସଳଖ କ୍ରୟ କରାଯାଇ ଅଧିଗ୍ରହଣ କରାଯିବ । ଏଥିରେ କ୍ଷତିଗ୍ରସ୍ତ ଲୋକଙ୍କୁ ରାଇଟ୍ ଟୁ ଫେୟାର୍ କମ୍ପେନସେସନ୍ ଆଣ୍ଡ ଟ୍ରାନସପାରେନ୍ସୀ ଇନ ଲ୍ୟାଣ୍ଡ ଆକ୍ୟୁଜିସନ୍, ରିହାବିଲିଟେସନ୍ ଆଣ୍ଡ ରିସେଟଲମେଣ୍ଟ ଆକ୍ଟ ୨୦୧୩ର ବ୍ୟବସ୍ଥା ଅନୁଯାୟୀ କ୍ଷତିପୂରଣ ଦିଆଯିବ ।
ଅଧିଗୃହୀତ ହେବାକୁ ଥିବା ଜମିର ବଜାର ଦର ତତ୍ତୁଲ୍ୟ କ୍ଷତିପୂରଣ ଦିଆଯିବ । ଯଦି ଜମି ବଦଳରେ କେହି ଜମି ନେବାକୁ ଚାହିଁବେ, ତେବେ ସେମାନଙ୍କୁ ଅନ୍ୟତ୍ର ଜମି ଦିଆଯିବ । ଯଦି ଅନ୍ୟତ୍ର ନେଉଥିବା ବିକଳ୍ପ ଜମିର ମୂଲ୍ୟ ଅଧିଗୃହୀତ ଜମିର ମୂଲ୍ୟଠାରୁ କମ୍ ହୁଏ, ତେବେ ନିୟମାନୁଯାୟୀ ଅବଶିଷ୍ଟ ପ୍ରାପ୍ୟ ଆର୍ଥିକ ସହାୟତା ଭାବରେ ଦିଆଯିବ ।
ବିସ୍ଥାପିତ ହେବାକୁ ଥିବା ପରିବାରଗୁଡ଼ିକୁ ପରିବହନ ଓ ଅନ୍ୟାନ୍ୟ ବ୍ୟବସ୍ଥା ନିମନ୍ତେ ସହାୟତା ଦିଆଯିବ । ବିସ୍ଥାପିତ ପ୍ରତି ପରିବାରକୁ ମିଳିବ ୧ ଲକ୍ଷ ଟଙ୍କା ସହାୟତା ।
ଜମି ଅଧିଗ୍ରହଣ ହେବା ଦିନଠାରୁ ୧୨ ମାସ ପର୍ଯ୍ୟନ୍ତ ପ୍ରତି ପରିବାରକୁ ୧୫ ହଜାର ଟଙ୍କା ଲେଖାଏଁ ମାସିକ ଘରଭଡ଼ା ସହାୟତା ଦିଆଯିବ ।
ବାସଗୃହ ହରାଉଥିବା ପ୍ରତି ଘର ମାଲିକଙ୍କୁ ଏକକାଳୀନ ୨୦ ଲକ୍ଷ ଟଙ୍କା ଥଇଥାନ ଭତ୍ତା ଭାବରେ ଯୋଗାଇ ଦିଆଯିବ ।
ବାଣିଜ୍ୟିକ ପ୍ରତିଷ୍ଠାନ
ସ୍ଥିତିବାନ ସତ୍ତ୍ୱରେ ନିର୍ମିତ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକୁ ଓଡ଼ିଶା ସରକାରଙ୍କର ଅନୁମୋଦିତ ବ୍ୟବସ୍ଥା ଅନୁଯାୟୀ ସିଧାସଳଖ କ୍ରୟ କରାଯାଇ ଅଧିଗ୍ରହଣ କରାଯିବ ଏବଂ ଆଇନମତେ କ୍ଷତିପୂରଣ ଦିଆଯିବ ।
ତୁରନ୍ତ ସହାୟତ ଭାବେ ପ୍ରତି ଦୋକାନଘର ମାଲିକଙ୍କୁ ପରିବହନ ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ଏକକାଳୀନ ୧ ଲକ୍ଷ ଟଙ୍କା ସହାୟତା ଦିଆଯିବ ।
ସେହିଭଳି ଘରଭଡ଼ା ସହାୟତା ବାବଦକୁ ୨୦୦ ବର୍ଗମିଟର କିମ୍ବା ତା’ଠାରୁ କମ୍ ବିଲ୍ଟ ଅପ୍ ଏରିଆରେ ନିର୍ମିତ ଦୋକାନ ପାଇଁ ଜମି ଅଧିଗ୍ରହଣ ହେବା ଦିନଠାରୁ ଦୋକାନ ଘର ମିଳିବା ପର୍ଯ୍ୟନ୍ତ ମାସିକ ୧୫ ହଜାର ଟଙ୍କା ଘରଭଡ଼ା ସହାୟତା ଏବଂ ୨୦୦ ବର୍ଗମିଟର ତା ଅଧିକ ବିଲ୍ଟ ଅପ୍ ଏରିଆରେ ନିର୍ମିତ ଦୋକାନ ପାଇଁ ମାସିକ ୨୦ ହଜାର ଟଙ୍କା ଘରଭଡ଼ା ସହାୟତା ଦିଆଯିବ ।
ଥଇଥାନ ଯୋଜନାରେ ତିନୋଟି ବିକଳ୍ପ ରଖାଯାଇଛି ।
ବିକଳ୍ପ-୧: ସୁଲଭତା ଭିତ୍ତିରେ ବଜାର ଦରର ୫୦% ମୂଲ୍ୟରେ ଦୋକାନ ଘର ଯୋଗାଇ ଦିଆଯିବ । ଦୋକାନ ଘରର ଅବଶିଷ୍ଟ ୫୦% ମୂଲ୍ୟ ରାଜ୍ୟ ସରକାର ରିହାତି ଭାବରେ ବହନ କରିବେ ।
ବିକଳ୍ପ-୨: ଦୋକାନ ହରାଉଥିବା ପ୍ରତି ବ୍ୟକ୍ତି ନିର୍ମିତ ହେବାକୁ ଥିବା ମାର୍କେଟ୍ କମ୍ପ୍ଲେକ୍ସରେ ନୂଆ ଦୋକାନ ଘର ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ଏବଂ ସେମାନେ ଏହାକୁ ବଜାର ଦରର ୫୦% ମୂଲ୍ୟରେ କ୍ରୟ କରିପାରିବେ ।
ବିକଳ୍ପ-୩: ଦୋକାନ ମାଲିକମାନେ ଚାହିଁଲେ ଏକକାଳୀନ ୨୦ ଲକ୍ଷ ଟଙ୍କା ସହାୟତା ଭାବରେ ନେଇପାରିବେ ।
ଉଠାଦୋକାନୀଙ୍କ ଥଇଥାନ
(କ) ତାଲିକାଭୁକ୍ତ ସବୁ ଉଠାଦୋକାନୀମାନଙ୍କୁ ୩୦ ହଜାର ଟଙ୍କା ଏକକାଳୀନ ସହାୟତା ଭାବରେ ଦିଆଯିବ । ଦୁଇଟି କିସ୍ତିରେ ସେମାନେ ଏହି ସହାୟତା ପାଇପାରିବେ ।
(ଖ) ଆବଶ୍ୟକ ନିୟମ ଅନୁଯାୟୀ ଭେଣ୍ଡିଂ ପ୍ଲାନ୍ କରାଯାଇ ଉଠାଦୋକାନୀଙ୍କୁ ବ୍ୟବସାୟ ପାଇଁ ଆବଶ୍ୟକ ସ୍ଥାନ ଆବଣ୍ଟନ କରାଯିବ ।
ସରକାରୀ ଅଫିସ୍ ଓ ପ୍ରତିଷ୍ଠାନ ପାଇଁ ସହାୟତା
ଏକାମ୍ର ଯୋଜନା ପାଇଁ ସ୍ଥାନାନ୍ତରିତ ହେବାକୁ ଥିବା ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନଗୁଡ଼ିକ ନିମନ୍ତେ ସହାୟତା ଭୁବନେଶ୍ୱର ମହାନଗର ନିଗମ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ସ୍ଥିିର କରିବ ।
ମଠ
– ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ହିତାଧିକାରୀମାନଙ୍କ ସହିତ ଆଲୋଚନା କରି ବିସ୍ଥାପିତ ହେବାକୁ ଥିବା ମଠଗୁଡ଼ିକୁ ଜମି ଆବଣ୍ଟନ, ସଂରକ୍ଷଣ ଆଦି କାର୍ଯ୍ୟ ସମ୍ପର୍କରେ ଭୁବନେଶ୍ୱର ମହାନଗର ନିଗମ କମିଶନର ସ୍ଥିର କରିବେ ।
– ପ୍ରତି ମଠର ପୁନର୍ବିନ୍ୟାସରେ ଏହାର ପୂର୍ବ ଢ଼ାଞ୍ଚାକୁ ଗୁରୁତ୍ୱ ଦିଆଯିବ ।
– ଏହି ଥଇଥାନ ଓ ପୁନର୍ବାସ ନୀତି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସହ ଆଲୋଚନାକ୍ରମେ ବିଏମସି କମିଶନର କାର୍ଯ୍ୟକାରୀ କରିବେ ।
– ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ପାରସ୍ପରିକ ଆଲୋଚନା ଭିତ୍ତିରେ ହେବାକୁ ଥିବାରୁ ବିଏମସି କମିଶନର ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ସହାୟତା ରାଶିରେ ହ୍ରାସ୍ କିମ୍ବା ପରିବର୍ତ୍ତନ କରିପାରିବେ । ଏଥିପାଇଁ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନରଙ୍କ ଅନୁମୋଦନ ଆବଶ୍ୟକ ପଡ଼ିବ ।
– ଉକ୍ତ ଯୋଜନା ନିମନ୍ତେ ପାଣ୍ଠି ବିଏମସି ତତ୍ତ୍ୱାବଧାନରେ ରହିବ ।
୬ ମାସ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ତେଣୁ ଅଧିଗ୍ରହଣ ଅଧିସୂଚନା ପ୍ରକାଶିତ ହେବାର ୩୦ ଦିନ ମଧ୍ୟରେ ଯଦି କ୍ଷତିଗ୍ରସ୍ତ ବ୍ୟକ୍ତି ସ୍ୱେଚ୍ଛାରେ ତାଙ୍କର ଜମି ପ୍ରଦାନ କରନ୍ତି, ତେବେ ତାଙ୍କୁ ଅତିରିକ୍ତ ୧୦% ଅର୍ଥ ପ୍ରୋତ୍ସାହନ ଭାବରେ ପ୍ରଦାନ କରାଯିବ ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଅଧିଗୃହୀତ ସମସ୍ତ ଜମି ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ନାମରେ ରେକର୍ଡ କରାଯିବ ଏବଂ ଜମି ଦାନ କରିଥିବା ସବୁ ବ୍ୟକ୍ତିଙ୍କ ନାମ ପ୍ରକଳ୍ପ ଅଞ୍ଚଳରେ ଫଳକରେ ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।