– କଣ୍ଟେନମେଣ୍ଟ ଜୋନ୍ ଛଡ଼ା ଅନ୍ୟଠି ରହିବନି ଲକ୍ ଡାଉନ୍
– ପର୍ଯ୍ୟାୟକ୍ରମେ କଟକଣା ହଟାଇବାକୁ କେନ୍ଦ୍ରର ନିଷ୍ପତ୍ତି
– ସ୍କୁଲ, କଲେଜ ଖୋଲିବା ନିଷ୍ପତ୍ତି ଜୁଲାଇରେ
ଭୁୁବନେଶ୍ୱର: ଦେଶରୁ କରୋନା ଯାଇ ନ ଥିଲେ ମଧ୍ୟ ସାଧାରଣ ଜୀବନଯାତ୍ରା ଫେରାଇ ଆଣିବାକୁ ବାଧ୍ୟ ହୋଇଛନ୍ତି କେନ୍ଦ୍ର ସରକାର । ଦୀର୍ଘ ଅଢ଼େଇ ମାସର ଲକ୍ ଡାଉନ୍ କଟକଣାରୁ ମୁକ୍ତି ପାଇବେ ଦେଶବାସୀ । ମାତ୍ର କିଛି କ୍ଷେତ୍ରରେ କଟକଣା ଲାଗୁ ରହିବ । କଣ୍ଟେନମେଣ୍ଟ ଜୋନ୍ କୁ ଛାଡ଼ିଦେଲେ ଅନ୍ୟ ସବୁ ଜାଗାରୁ ପର୍ଯ୍ୟାୟକ୍ରମେ କଟକଣା ହଟାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । କଣ୍ଟେନମେଣ୍ଟ୍ ଜୋନ୍ ରେ ମାସକ ପାଇଁ ଲକ୍ ଡାଉନ୍ ଅବଧିକୁ ବୃଦ୍ଧି କରାଯାଇଛି ।
କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶନାମା ଅନୁଯାୟୀ, ଆସନ୍ତା ଜୁନ୍ ମାସରୁ ଅନ୍ ଲକ୍-୧ ଆରମ୍ଭ ହେବ । ତିନୋଟି ପର୍ଯ୍ୟାୟରେ କଟକଣା ହଟାଯିବ ।
ପ୍ରଥମ ଦଫାରେ ଲୋକଙ୍କ ଯାତାୟତ କଟକଣାମୁକ୍ତ କରାଯାଇଛି । ରାଜ୍ୟ ଭିତରେ ହେଉ କି ରାଜ୍ୟ ବାହାରକୁ ଲୋକମାନେ ବିନା କଟକଣାରେ ଯାଇପାରିବେ । ମାଲ ପରିବହନକୁ ବି କଟକଣାମୁକ୍ତ କରାଯାଇଛି । ପୂର୍ବପରି ରାତ୍ରୀକାଳୀନ କର୍ଫ୍ୟୁ ବଳତ୍ତର ରଖିବାକୁ ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ଏହାର ଅବଧି କମାଇ ଦିଆଯାଇଛି । ଏବେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ ହେବ ।
ଜୁନ୍ ୮ରୁ ଧାର୍ମିକ ସ୍ଥଳ, ହୋଟେଲ, ରେଷ୍ଟୁରାଣ୍ଟ , ସପିଂ ମଲ୍ ଆଦି ଖୋଲା ରହିବ । ତେବେ ଲୋକଙ୍କୁ କୋଭିଡ୍ ଗାଇଡଲାଇନ୍ ମାନିବାକୁ ପଡ଼ିବ । ଏଥିଲାଗି କୋଭିଡ୍ ଜାତୀୟ ମାର୍ଗଦର୍ଶିକା ଜାରି କରାଯାଇଛି । ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ଜରୁରୀ । ଯେଉଁଠାକୁ ଯିବେ ୬ ଫୁଟ୍ ସାମାଜିକ ଦୂରତା ପାଳନ କରିବେ । ୫ରୁ ଅଧିକ ଲୋକ ଏକାଠି ହୋଇ ମନ୍ଦିର କି ମଲ୍ କୁ ଯାଇପାରିବେ ନାହିଁ । ବାହାରେ ଛେପ ପକାଇଲେ ଜରିମାନା ଦେବାକୁ ପଡ଼ିବ । ସର୍ବସାଧାରଣ ଜାଗାରେ ମଦ, ପାନ, ଗୁଟକା ଖାଇପାରିବେ ନାହିଁ ।
ଅନ୍ତର୍ଜାତୀୟ ବିମାନ ଉଡ଼ାଣ, ମେଟ୍ରୋ ରେଳ ସେବାକୁ ଅନୁମତି ଦିଆଯାଇନାହିଁ । ସିନେମା ହଲ୍, ଜିମାନିସିୟମ୍, ସୁଇମିଂ ପୁଲ୍, ମନୋରଂଜନ ପାର୍କ, ବାର୍ ଅଡିଟୋରିୟମ୍ ମଧ୍ୟ ପୂର୍ବପରି ବନ୍ଦ ରହିବ । ସାମାଜିକ, ସାଂସ୍କୃତିକ ଉତ୍ସବ, ବଡ଼ ସମାବେଶ ମଧ୍ୟ ପୂର୍ବପରି ବନ୍ଦ ରହିବ । ବିବାହ ଉତ୍ସବ ପାଇଁ ୫୦ ରୁ ଅଧିକ ଲୋକଙ୍କ ସମାଗମ ହୋଇପାରିବ ନାହିଁ । ସକ୍ରାରରେ ୨୦ ରୁ ଅଧିକ ଲୋକ ଯୋଗ ଦେଇପାରିବେନି ।
ଜୁନ୍ ୩୦ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ଖୋଲିବା ଉପରେ କଟକଣା ରହିଥିଲେ ମଧ୍ୟ ରାଜ୍ୟ ସରକାରମାନଙ୍କ ଉପରେ ନିଷ୍ପତ୍ତି ଛଡ଼ାଯାଇଛି ।