ଭୁବନେଶ୍ୱର: ନବୀନ ନିବାସରୁ ଲୋକସେବା ଭବନ, ସହରରୁ ଗାଁ, ରାଜ୍ୟରୁ ଦେଶ, ଦେଶରୁ ଦୁନିଆ ସବୁଆଡୁ ଶୁଭିଲା ବନ୍ଦେ ଉତ୍କଳ ଜନନୀ । ଜାତି, ଧର୍ମ, ବର୍ଣ୍ଣ, ଦଳ, ମତ ନିର୍ବିଶେଷରେ ଓଡ଼ିଶା ମାଟିର ସବୁ ସନ୍ତାନ ଗର୍ବରେ ଗାଇଲେ ବନ୍ଦେ ଉତ୍କଳ ଜନନୀ ।
ମହାମାରୀ କରୋନା ବିରୋଧରେ ଲଢ଼ୁଥିବା ଯୋଦ୍ଧାଙ୍କ ତ୍ୟାଗ, ନିଷ୍ଠା ଓ ସଂକଳ୍ପକୁ ସାବାସ୍ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକୁ ସମସ୍ତେ ଗ୍ରହଣ କରି ଗାଇଥିଲେ ବନ୍ଦେ ଉତ୍କଳ ଜନନୀ । ଠିକ୍ ଅପରାହ୍ନ ସାଢ଼େ ୫ଟାରେ ସବୁ ଓଡ଼ିଆଙ୍କ ମୁହଁରୁ ରାଜ୍ୟ ସଙ୍ଗୀତ ଗାନ ଏକ ଭାବାବେଗ ପରିବେଶ ସୃଷ୍ଟି କରିବା ସହ ଏକତାର ପରିଚୟ ଦେଇଥିଲା ।
ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ବନ୍ଦେ ଉତ୍କଳ ଜନନୀ ଗାନ କରିଥିବା ବେଳେ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ୱରେ ଗାଇଥିଲେ ସମସ୍ତ ଅଧିକାରୀ, କର୍ମଚାରୀ । ବିଧାନସଭା ପ୍ରାଙ୍ଗଣରେ ବାଚସ୍ପତିଙ୍କ ନେତୃତ୍ୱରେ ବିଧାୟକମାନେ ଗାନ କରିଥିଲେ । ପୁଲିସ ମୁଖ୍ୟାଳୟରେ ଡିଜି ଓ ପୁଲିସ ଭବନରେ କମିଶନରଙ୍କ ନେତୃତ୍ୱରେ ସଙ୍ଗୀତ ଗାନ କରାଯାଇଥିଲା ।

ରାଜ୍ୟ ବିଜେଡ଼ି କାର୍ଯ୍ୟାଳୟରେ ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି), ବିଜେପି କାର୍ଯ୍ୟାଳୟରେ ସଭାପତି ସମୀର ମହାନ୍ତି ଏବଂ ପିସିସି କାର୍ଯ୍ୟାଳୟରେ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଗାନ କରାଯାଇଥିଲା ବନ୍ଦେ ଉତ୍କଳ ଜନନୀ ।
କଂଗ୍ରେସ ଭବନରେ ବନ୍ଦେ ଉତ୍କଳ ଜନନୀ ଗାନ ସହ ନିଆରା ଢ଼ଙ୍ଗରେ ଗାନ୍ଧୀଜୀଙ୍କ ପ୍ରିୟ ଭଜନ ରଘୁପତି ରାଘବ ରାଜାରାମ ଗାନ କରାଯାଇଥିଲା ।
ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଘରେ ପରିବାର ସହ ବନ୍ଦେ ଉତ୍କଳ ଜନନୀ ଗାନ କରିଥିବା ବେଳେ ଅନ୍ୟତମ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ତାଙ୍କ ଘର ବଗିଚାରେ ଏକା ଗାଇଥିଲେ ।

ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ସରକାରୀ ଓ ବେସରକାରୀ ଦପ୍ତର, ବିଭିନ୍ନ ଅନୁଷ୍ଠାନମାନଙ୍କରେ ସମୂହ ଗାନ କରାଯାଇଥିଲା । ସହରର କିଛି କଲୋନୀଗୁଡ଼ିକରେ ପୁରୁଷ, ମହିଳା ଓ ପିଲାମାନେ ଏକାଠି ହୋଇ ସଙ୍ଗୀତ ଗାନ କରୁଥିବା ଦେଖିବାକୁ ମିଳିଥିଲା । ଘରେ ଥିବା ଲୋକମାନେ ପରିବାର ସହ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ ।
ପୁରୀ ଶ୍ରୀମନ୍ଦିର ସାମ୍ନାରେ ଶହ ଶହ ସଂଖ୍ୟାରେ ପୁରୀବାସୀ ସାମାଜିକ ଦୂରତା ରକ୍ଷା କରି ଗାଇଥିଲେ ବନ୍ଦେ ଉତ୍କଳ ଜନନୀ ।

ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ରକ୍ଷା କରି ଗାଁ ଗଣ୍ଡାରେ ଲୋକମାନେ ଗାଇଥିଲେ ବନ୍ଦେ ଉତ୍କଳ ଜନନୀ । ସବୁ ଜାଗାରେ ଲୋକମାନେ ଏହି ଗୀତର ରେକର୍ଡ ବଜାଇ ପାଳି ଧରୁଥିବା ଦେଖିବାକୁ ମିଳିଥିଲା ।
ରାଜ୍ୟ ଓ ଦେଶ ବାହାରେ ରହୁଥିବା ସବୁ ଓଡ଼ିଆ ବନ୍ଦେ ଉତ୍କଳ ଜନନୀ ଗାଇ ଥିବା ଜଣାପଡ଼ିଛି । ପ୍ରସିଦ୍ଧ କଣ୍ଠଶିଳ୍ପୀ ଆଶା ଭୋନସଲେ ଏବଂ ଶଙ୍କର ମହଦେବନ୍ ଙ୍କ ମୁହଁରୁ ମଧ୍ୟ ଶୁଭିଥିଲା ବନ୍ଦେ ଉତ୍କଳ ଜନନୀ ଗାନ ।







