ଭୁୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଆହୁରି ତତ୍ପର ହୋଇଛନ୍ତି । ପୁରୀ, ନୟାଗଡ଼, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, ଢ଼େଙ୍କାନାଳ, ସମ୍ବଲପୁର ଏବଂ ଝାରସୁଗୁଡ଼ା ଜିଲ୍ଲାକୁ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଆସନ୍ତାକାଲି ସକାଳ ୭ଟାରୁ ମାର୍ଚ୍ଚ ୨୯ ରାତି ୯ଟା ଯାଏଁ ଏହି ଜିଲ୍ଲାଗୁଡ଼ିକ ଲକ୍ ଡାଉନ୍ ହେବ । ପୂର୍ବରୁ ଖୋର୍ଦ୍ଧା, କଟକ, ଗଞ୍ଜାମ, କେନ୍ଦ୍ରାପଡ଼ା, ଅନୁଗୁଳ ଜିଲ୍ଲା ସମେତ ପୁରୀ, ରାଉରକେଲା, ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ୱର, ଯାଜପୁର ରୋଡ୍ ଏବଂ ଯାଜପୁର ଟାଉନ୍ କୁ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ଲକ୍ ଡାଉନ୍ ଘୋଷଣା କରିଥିଲେ ।
ଆସନ୍ତା ୨୯ ତାରିଖ ରାତି ୯ଟା ଯାଏଁ ଏହି ୧୪ ଟି ଜିଲ୍ଲା ସମ୍ପୂର୍ଣ୍ଣ ଲକ୍ ଡାଉନ୍ ରହିବ । ଏହିସବୁ ଜିଲ୍ଲାର ସମୁଦାୟ ୩ କୋଟି ଲୋକ ଲକ୍ ଡାଉନ୍ କଟକଣାରେ ରହିବେ ।
ବସ୍, ରେଳ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ: ରାଜ୍ୟରେ ସମସ୍ତ ବସ୍ ଏବଂ ଟ୍ରେନ୍ ଚଳାଚଳ ଉପରେ କଟକଣା ଜାରି କରାଯାଇଛି । ଆସନ୍ତାକାଲି ଦିନ ୧୧ଟାରୁ ବସ୍ ଏବଂ ଟ୍ରେନ୍ ଗଡ଼ିବ ନାହିଁ । ଏପର୍ଯ୍ୟନ୍ତ ରାଜ୍ୟ ଭିତରେ ବସ୍ ଚଳାଚଳକୁ ସରକାର କଟକଣା ମୁକ୍ତ ରଖିଥିଲେ । ମାତ୍ର ବସ୍ ଷ୍ଟାଣ୍ଡ ଏବଂ ଷ୍ଟେସନ୍ ରେ ଲୋକଭିଡ଼କୁ ଦେଖି ସରକାର ବସ୍ ଓ ଟ୍ରେନ୍ ଚଳାଚଳକୁ ସମ୍ପୂର୍ଣ୍ଣ ବନ୍ଦ କରିଛନ୍ତି ।
ହୋମ୍ କ୍ୱାରେଣ୍ଟାଇନରେ ଥିବା ଲୋକଙ୍କ ଘରେ ଷ୍ଟିକର୍: ହୋମ୍ କ୍ୱାରେଣ୍ଟାଇନରେ ରହୁଥିବା ଲୋକଙ୍କ ଘରେ ଲାଗିବ ସ୍ୱତନ୍ତ୍ର ଷ୍ଟିକର୍ । ଏକ ନିର୍ଦ୍ଧାରିତ ଫର୍ମ ପୂରଣ କରାଯାଇ ସଂପୃକ୍ତ ବ୍ୟକ୍ତିଙ୍କ ଘର ସାମନାରେ ଝୁଲାଯିବ । କ୍ୱାରେଣ୍ଟାଇନରେ ରହୁଥିବା ଲୋକଙ୍କ ତଥ୍ୟ ସ୍ଥାନୀୟ ପ୍ରଶାସନ ଏବଂ ଥାନାରେ ରହିବ । କମ୍ୟୁନିଟ୍ ମନିଟରିଂ ପାଇଁ ରାଜ୍ୟ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ।
କରୋନା ଭାଇରସ୍ କୁ ପାଖ ମଡ଼ାଇ ନ ଦେବା ପାଇଁ ଲୋକମାନେ ଘରେ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ପୁନର୍ବାର ନିବେଦନ କରିଛନ୍ତି ।