ଭୁୁବନେଶ୍ୱର: ରାଜ୍ୟରେ ଏ ପର୍ଯ୍ୟନ୍ତ ୮୫ଟି ନମୁନା ପରୀକ୍ଷା ହୋଇଛି । ସେଥିରୁ ଦୁଇଟି କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ବାକି ୮୩ଟି ନମୁନା ନେଗେଟିଭ୍ ରିପୋର୍ଟ ଆସିଛି । କରୋନା ସଂକ୍ରମଣ ଚିହ୍ନଟ ଏହି ଦୁଇ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି । ଉଭୟ ହସ୍ପିଟାଲ୍ ରେ ସାଧାରଣ ଖାଦ୍ୟ ଖାଉଛନ୍ତି । ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ୍ ବାଗଚୀ ।
ରୋଗୀଙ୍କ ସଂସ୍ପର୍ଶରେ ବର୍ତ୍ତମାନ ସୁଦ୍ଧା ୫୬ ଜଣ ଆସିଥିବା ତଥ୍ୟ ମିଳିଛି । ସେମାନଙ୍କ ମଧ୍ୟରୁ ୫୩ ଜଣଙ୍କ ସହ ଯୋଗାଯୋଗ ହୋଇଛି । ଅନ୍ୟ ୩ ଜଣଙ୍କ ସହ ଯୋଗାଯୋଗ ପାଇଁ ପ୍ରଚେଷ୍ଟା ଚାଲିଛି ଏବଂ ୯ଟି ମନିଟରିଂ ଟିମ୍ ଏଥିପାଇଁ କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ୩୬୬୭ ଜଣ ୧୦୪ ହେଲପ୍ ଲାଇନ୍ ଜରିଆରେ ରେଜିଷ୍ଟ୍ରସନ୍ କରିଛନ୍ତି । କୋଭିଡ୍-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୩୫ ଜଣଙ୍କୁ ଡାକ୍ତରଖାନାରେ ଆଇସୋଲେସନ୍ ରେ ରଖାଯାଇଛି ବୋଲି ଶ୍ରୀ ବାଗଚୀ ସୂଚନା ଦେଇଛନ୍ତି ।
ସମସ୍ତ ଅଣ ଅତ୍ୟାବଶ୍ୟକ କେନ୍ଦ୍ର ସରକାରୀ କାର୍ଯ୍ୟାଳୟ, ସାଧାରଣ ଉଦ୍ୟୋଗ, ବ୍ୟାଙ୍କ ଓ ବୀମା କାର୍ଯ୍ୟାଳୟ ଶତକଡ଼ା ୧୦ ଭାଗ କର୍ମଚାରୀଙ୍କୁ ନେଇ ଚାଲିବ । ଏଥିନିମନ୍ତେ ସଂପୃକ୍ତ କାର୍ଯ୍ୟାଳୟର ମୁଖ୍ୟ ଅଧିକାରୀ ଏକ ନିର୍ଦ୍ଧାରିତ ଫର୍ମାଟ୍ ରେ କର୍ମଚାରୀଙ୍କୁ ଯାତାୟତ ନିମନ୍ତେ ଅନୁମତି ଦେବେ । ଭେହିକିଲ୍ ପାସ୍ ଦିଆଯାଇଥିବା ଅଧିକାରୀ ଓ କର୍ମଚାରୀଙ୍କ ତାଲିକା ସଂପୃକ୍ତ ଥାନାରେ ରହିବ । ମହାମାରୀ ରୋଗ ଆଇନ-୧୯୮୭ର ଧାରା ୨ ଅନୁସାରେ ରାଜ୍ୟ ସରକାର ଏହି ନିର୍ଦ୍ଦେଶ ଦେଇଛନ୍ତି ।
କ୍ରିଟିକାଲ୍ ବିଭାଗଗୁଡ଼ିକ ଶତକଡ଼ା ୫୦ ଭାଗ ଷ୍ଟାଫ୍ ଙ୍କୁ ନେଇ ଚାଲିବ । କେଉଁ କର୍ମଚାରୀ ଓ ଅଧିକାରୀମାନେ କାର୍ଯ୍ୟାଳୟ ଆସିବେ, ତାହା ସଂପୃକ୍ତ ବିଭାଗର ଶାସନ ସଚିବ ନିର୍ଦ୍ଧାରଣ କରିବେ ।
ସେହିପରି ଆଂଶିକ କ୍ରିଟିକାଲ୍ ବିଭାଗଗୁଡ଼ିକ ଶାସନ ସଚିବଙ୍କ ନିଷ୍ପତ୍ତି ଅନୁସାରେ ଶତକଡ଼ା ୧୦ ଭାଗ ଷ୍ଟାଫ୍ ଙ୍କୁ ନେଇ ଚାଲିବ ।
ନନ୍ କ୍ରିଟିକାଲ୍ ବିଭାଗଗୁଡ଼ିକର ଅଧିକାରୀ ଏବଂ କର୍ମଚାରୀମାନେ ସବୁବେଳେ ଫୋନ୍ ଯୋଗାଯୋଗରେ ରହିବେ । ଦରକାର ବେଳେ ତାଙ୍କୁ ତତକ୍ଷଣାତ କାର୍ଯ୍ୟାଳୟକୁ ଡକାଯିବ ।
ଏପ୍ରିଲ୍ ୩୦ ତାରିଖ ପର୍ଯ୍ୟନ୍ତ ସବୁ ଅଙ୍କନବାଡ଼ି କେନ୍ଦ୍ର ବନ୍ଦ ହେବ ।
ସାମ୍ବାଦିକ ସମ୍ମିଳନୀରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ ଉପସ୍ଥିତ ଥିଲେ ।