ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ଥର ପାଇଁ କରୋନା ସଂକ୍ରମଣର ଶିକାର ହୋଇଛନ୍ତି ଶିଶୁ । ଗତକାଲି ରାତିରେ ଚିହ୍ନଟ ହୋଇଥିବା ୪ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଦୁଇଜଣ ଶିଶୁ ଓ ଜଣେ ମହିଳା ଅଛନ୍ତି । ଏମାନେ ସମସ୍ତେ ଝାରପଡ଼ା ଆକ୍ରାନ୍ତ(ମୃତ)ଙ୍କ ନିକଟ ସମ୍ପର୍କୀୟ । ଅନ୍ୟ ଆକ୍ରାନ୍ତଙ୍କ ଘର କଳାହାଣ୍ଡି ଜିଲ୍ଲା ଗୋଳମୁଣ୍ଡା ଅନ୍ତର୍ଗତ ବେହାରାଗୁଡ଼ା ଗାଁରେ । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗରୁ ଏମାନଙ୍କ ପରିଚୟ ଓ ଟା୍ରଭେଲ୍ ହିଷ୍ଟ୍ରିର ସୂଚନା ଦିଆଯାଇଛି ।
କଳାହାଣ୍ଡିର ୪୫ ନଂ ଆକ୍ରାନ୍ତଙ୍କ ବୟସ ୨୦ ବର୍ଷ । ୨୦ ଓ ୨୧ ମାର୍ଚ୍ଚ ଅପରାହ୍ନରେ ନିଜ ଗାଁ ବେହରାଗୁଡ଼ାରେ ସାଙ୍ଗମାନଙ୍କ ସହ ମିଶିଥିଲେ । ୨୨ ଓ ୨୪ ତାରିଖରେ ଘରେ ଥିଲେ । ୨୫ ତାରିଖରେ ଗାଁ ଦୋକାନରୁ ସଉଦା କିଣଇଥିଲେ । ୨୬ ତାରିଖରୁ ୩ ଏପ୍ରିଲ୍ ମଧ୍ୟରେ ସେ କାହାରି ସହ ମିଶିନାହାନ୍ତି । ୪ ତାରିଖରେ ବାହାରିନ୍ ଫେରନ୍ତା ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ଘରେ ଥିଲେ । ୫ ତାରିଖରେ ସୋସିଆ କ୍ୱାରେଣ୍ଟାଇନ୍ କେନ୍ଦ୍ରକୁ ସ୍ଥାନାନ୍ତର ହୋଇଥିଲେ । ୯ ତାରିଖରେ ତାଙ୍କର ନମୁନା ପରୀକ୍ଷା ହୋଇ ପଜିଟିଭ୍ ବାହାରିଲା । ଚିକିତ୍ସା ପାଇଁ ୧୦ ତାରିଖରେ ତାଙ୍କୁ ଅଶ୍ୱିନୀ ହସ୍ପିଟାଲ୍ ଅଣାଯାଇଛି ।
୪୬ ନଂ ଆକ୍ରାନ୍ତଜଣଙ୍କ ମହିଳା ଏବଂ ତାଙ୍କ ବୟସ ୩୭ ବର୍ଷ । ୪୭ ଏବଂ ୪୮ ନଂ ଆକ୍ରାନ୍ତ ଯଥାକ୍ରମେ ୯ ବର୍ଷ ଏବଂ ୫ ବର୍ଷର ଶିଶୁକନ୍ୟା । ଏମାନେ ସମସ୍ତେ ଝାରପଡ଼ାର । ଝାରପଡ଼ାର ମୃତ୍ୟୁବରଣ କରିଥିବା ୪୨ ନଂ ଆକ୍ରାନ୍ତଙ୍କ ଏମାନେ ନିକଟ ସମ୍ପର୍କୀୟ । ୨୨ ମାର୍ଚ୍ଚରୁ ୩ ଏପ୍ରିଲ୍ ଯାଏଁ ସମସ୍ତେ ଘରେ ଥିଲେ । ଏପ୍ରିଲ୍ ୪ ଓ ୫ ତାରିଖରେ ଏମାନେ ସମ୍ପର୍କୀୟଙ୍କୁ ଦେଖିବାକୁ ଏମସ୍ ଯାଇଥିଲେ । ୬ ରୁ ୯ ତାରିଖ ଯାଏଁ ହୋମ୍ କ୍ୱାରେଣ୍ଟାଇନ୍ ରେ ରହିଲେ । କଣ୍ଟାକ୍ଟ ଟ୍ରେସିଂ ପରେ ୮ ତାରିଖ ଦିନ ସେମାନଙ୍କ ନମୁନା ସଂଗ୍ରହ କରାଯାଇଥିଲା । ୯ ତାରିଖରେ ସମସ୍ତଙ୍କର ଟେଷ୍ଟିଂ ରିପୋର୍ଟ ପଜିଟିଭ୍ ବାହାରିଲା । ଚିକିତ୍ସା ପାଇଁ ସେମାନଙ୍କୁ କିମସ୍ କୋଭିଡ୍ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଛି ।