ଭୁବନେଶ୍ୱର: କରୋନା ଦୁର୍ଗତଙ୍କ ସାହାଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ କରୋନା ରିଲିଫ୍ ପାଣ୍ଠିକୁ ପ୍ରତିଦିନ ଦାନ ଆସୁଛି । କିଛି ମନ୍ତ୍ରୀ, ଏମଏଲଏ, ଏମପି ସରକାରୀ ହାତପାଣ୍ଠିକୁ ନିଜର ବୋଲାଇ ମହାଦାନୀ ବୋଲାଉଛନ୍ତି । ଏହାକୁ ପ୍ରଚାରର ମାଧ୍ୟମ କରିଛନ୍ତି । ଅନ୍ୟ ବଡ଼ିବଡ଼ିଆ/ଅନୁଷ୍ଠାନଙ୍କ କ୍ଷେତ୍ରରେ ବି ସେୟା । ମାନବିକତାର ଦରଦ ଯେତିକି ନାହିଁ, ଆନୁଗତ୍ୟ ଓ ପ୍ରଚାରର ପ୍ରତିଯୋଗିତା ଚାଲୁଛି ।
ତେବେ ଏହି ସବୁ ପ୍ରଚାର, ଆନୁଗତ୍ୟ, ଆର୍ଶୀବାଦକୁ ଜମାରୁ ବୁଝି ନ ଥିବା ନିପଟ ଗାଁର ଜଣେ ଦିନ ମଜୁରିଆଙ୍କ କରୋନା ଦାନ କାହାଣୀ ଜାଣିଲେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗିବ । ନିଜ କଷ୍ଟ ଲବ୍ଧ ଉପାର୍ଜନରୁ କିଞ୍ଚିତ ଅର୍ଥ କରୋନା ଦୁର୍ଗତିଙ୍କ ସାହାଯ୍ୟରେ ଲଗାଇବାକୁ ମନ ତାଙ୍କର ବ୍ୟାକୁଳ ହୋଇଛି । ପ୍ରବଳ ଖରାରେ ଗାଁରୁ ୧୫ କିମି ସାଇକେଲରେ ଆସି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରେ ୫ ହଜାର ଟଙ୍କା ଭରିଛନ୍ତି ।
ଏହି ଦିନ ମଜୁରିଆ ଜଣଙ୍କ ହେଲେ ଶତ୍ରୁଘ୍ନ ନିଶାଙ୍କ । ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଅନ୍ତର୍ଗତ ସରଧାପୁର ତାଙ୍କ ଗାଁ । ନିଜର ଜମିବାଡ଼ି ନ ଥିବାରୁ ପର ଘରେ ମୂଲ ଲାଗି ପରିବାର ପୋଷନ୍ତି । ଏବେ କରୋନା ଲକ୍ ଡାଉନ୍ ଯୋଗୁଁ ରୋଜଗାର ନ ଥିବାରୁ ନିଜ ପରିବାର ଅବସ୍ଥା ବି ଭଲ ନାହିଁ । ତେବେ କରୋନା ଯୋଗୁଁ ରାଜ୍ୟର ଅବସ୍ଥା ନିତିଦିନ ଟିଭିରୁ ଦେଖି ମନ ତାଙ୍କର ଚହଲି ଯାଇଛି । ଅନ୍ୟମାନଙ୍କ ଦୁଃଖ ଦୁର୍ଦ୍ଦଶା ଆଗରେ ନିଜର ଦୁଃଖ ଦୁର୍ଦ୍ଦଶାକୁ ତୁଚ୍ଛ ମନେ କରିଛନ୍ତି । ଏହି ସଙ୍କଟ ପରିସ୍ଥିତିର ମୁକାବିଲା କରୁଥିବା ରାଜ୍ୟ ସରକାରଙ୍କୁ ସହଯୋଗ କରିବାର ଆଗ୍ରହକୁ ରୋକି ପାରିନାହାନ୍ତି ।
କରୋନା ଦୁର୍ଗତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଅର୍ଥ ଦିଆଯାଉଥିବା ଖବର ଟିଭିରୁ ଦେଖିଲା ପରେ ନିଜେ କିଛି ଦେବାକୁ ସ୍ଥିର କଲେ । ସେହି ଜୋସ୍ ରେ ଘରେ ଥିବା ଧାନକୁ ବିକ୍ରି କରିଦେଲେ । ଅନ୍ୟ ଆଡୁ ଆଉ କିଛି କିଛି ମିଶାଇ ୫ ହଜାର ଟଙ୍କା ଯୋଗାଡ଼ କଲେ ।
ଗତ ୭ ତାରିଖରେ ବାଘମାରୀର ଜନୈକ ବ୍ୟକ୍ତିଙ୍କଠାରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ୍ ଆକାଉଣ୍ଟ୍ ନମ୍ବର ମାଗି ସାଇକେଲରେ ସିଧା ଖୋର୍ଦ୍ଧା ଷ୍ଟେଟ୍ ବ୍ୟାଙ୍କକୁ ଆସିଥିଲେ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡରେ ୫ ହଜାର ଟଙ୍କା ଜମା କରିବେ ବୋଲି କହିବାରୁ ବ୍ୟାଙ୍କ କର୍ମଚାରୀ ତାଙ୍କୁ ପ୍ରଥମେ ଆଡବାୟା ଭାବି ଘଉଡ଼ାଇ ଦେଇଥିଲେ । ଡିପୋଜିଟ୍ ସ୍ଲିପ୍ ପୂରଣ ପାଇଁ ସହଯୋଗ କରି ନ ଥିଲେ । ତେବେ ଜନୈକ ଭଦ୍ରବ୍ୟକ୍ତିଙ୍କ ସହଯୋଗରେ ସେ ସ୍ଲିପ୍ ପୂରଣ କରି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡରେ ଟଙ୍କା ଡିପୋଜିଟ୍ କଲେ ଏବଂ ରସିଦ ନେଇ ଘରକୁ ଫେରିଥିଲେ ।






