ଭୁବନେଶ୍ୱର: କରୋନା ମୁକାବିଲାରେ ସମୟୋଚିତ ପଦକ୍ଷେପ ନେବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରା ବିଶ୍ୱ ପାଇଁ ଉଦାହରଣ ପାଲଟିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ଓଡ଼ିଶା ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ଆମେରିକା, ଇଟାଲୀ,ସ୍ପେନ୍, ଆୟାର୍ଲାଣ୍ଡ ଭଳି ଦେଶରୁ ପ୍ରବାସୀ ଓଡ଼ିଆମାନେ ନବୀନଙ୍କ ପଦକ୍ଷେପକୁ ସାବାସି ଦେଉଛନ୍ତି । ଏବେ ଲକ୍ ଡାଉନ୍ ଆଗୁଆ ବୃଦ୍ଧି କରି ନବୀନ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛନ୍ତି ।
ଏଭଳି ମୁହୁର୍ତ୍ତରେ ଓଡ଼ିଶା ଓ ନବୀନଙ୍କ ପାଇଁ ଆଉ ଏକ ବଡ଼ ସ୍ୱୀକୃତି ଆସିଛି ତାମିଲନାଡୁରୁ । ତାମିଲନାଡୁର ପ୍ରସିଦ୍ଧ କିଶୋର ମାଗାଜିନ୍ “ଜୁନିୟର ବିକଟନ” ତାର ଚଳିତ ସଂଖ୍ୟା(୧୨ ଏପ୍ରିଲ୍)ର କଭର୍ ପୃଷ୍ଠାରେ ନବୀନ ପଟ୍ଟନାୟକ ଶଙ୍ଖ ଫୁଙ୍କୁଥିବା ଫଟୋ ପ୍ରକାଶ ପାଇଛି । କ୍ୟାପସନ୍ ଦିଆଯାଇଛି- କରୋନା ଲଢ଼େଇ, ଓଡ଼ିଶା ହେଉଛି ବିଶ୍ୱରେ ରୋଲ୍ ମଡେଲ୍ ।
ସାରା ବିଶ୍ୱ କରୋନା ବିରୋଧରେ ଲଢ଼େଇ କରୁଥିବା ବେଳେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୟୋଚିତ ପଦକ୍ଷେପ ନେଇଛନ୍ତି । ଓଡ଼ିଶାରେ ଅଧିକ ଲୋକଙ୍କୁ ଯେଭଳି କରୋନା ନ ବ୍ୟାପେ ଏବଂ ସମସ୍ତଙ୍କର ଚିକିତ୍ସା ହୁଏ ସେଥିପ୍ରତି ଉଚିତ ଧ୍ୟାନ ଦେଇଛନ୍ତି । ଏହା ସମସ୍ତଙ୍କ ପାଇଁ ଅନୁକରଣୀୟ ବୋଲି ଏହି ମାଗାଜିନ୍ ଲେଖିଛି ।