ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ବଡ଼ ଖୁସି ଖବର । କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଆଉ ୧୦ ଜଣ ଆଜି ସୁସ୍ଥ ହୋଇଛନ୍ତି । ସେମାନଙ୍କର କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ଏହି ସୂଚନା ଆସିବା ପରେ ଶଙ୍କାଗ୍ରସ୍ତ ରାଜ୍ୟବାସୀ ଆଶ୍ୱସ୍ତ ହୋଇଛନ୍ତି । ପୂର୍ବରୁ ରାଜ୍ୟର ପ୍ରଥମ ଓ ଦ୍ୱିତୀୟ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି ।
କରୋନା ସଂକ୍ରମଣରୁ ମୁକ୍ତ ହୋଇ ଆଜି ଆରୋଗ୍ୟ ଲାଭ କରିଥିବା ୧୦ ବ୍ୟକ୍ତିଙ୍କ ମଧ୍ୟରେ ୫ ଜଣ ଅଛନ୍ତି ଭୁବନେଶ୍ୱରରୁ । ତେବେ ସେମାନେ କେଉଁ ଅଞ୍ଚଳର ଜଣାପଡ଼ିନାହିଁ । ଭଦ୍ରକରୁ ୨, କଟକରୁ ୧, ଯାଜପୁରରୁ ୧ ଏବଂ ପୁରୀରୁ ୧ ସୁସ୍ଥ ହୋଇଛନ୍ତି । ପୂର୍ବରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଦ୍ୱୟ ଭୁବନେଶ୍ୱରର ଥିଲେ ।
କୋଭିଡ୍ ଚିକିତ୍ସା ଗାଇଡ଼ଲାଇନ୍ ଅନୁଯାୟୀ, ଆକ୍ରାନ୍ତ ଚିକିତ୍ସିତ ହେବାର ୫ରୁ ୧୪ ଦିନ ମଧ୍ୟରେ ସେମାନଙ୍କର ଦୁଇଥର ଟେଷ୍ଟ ହୋଇଥାଏ । ଯଦି ନେଗେଟିଭ୍ ଆସେ ୨୪ ଘଣ୍ଟା ଭତିରେ ତାଙ୍କର ଆଉ ଥରେ ଟେଷ୍ଟ ହୁଏ । ଦ୍ୱିତୀୟ ଥର ନେଗେଟିଭ୍ ଆସିଲେ ତାଙ୍କୁ ସୁସ୍ଥ ବା ଆରୋଗ୍ୟ ବୋଲି ଘୋଷଣା କରାଯାଏ । ତେବେ ଆରୋଗ୍ୟ ବ୍ୟକ୍ତିମାନେ ଆହୁରି ୧୪ ଦିନ କ୍ୱାରେଣ୍ଟାଇନ୍ ରେ ରହିବାକୁ ପଡ଼ିବ । କାରଣ ସତର୍କ ନ ରହିଲେ ଅନ୍ୟମାନଙ୍କ ଭଳି ଆରୋଗ୍ୟ ବ୍ୟକ୍ତି ମଧ୍ୟ ପୁନର୍ବାର ସଂକ୍ରମଣର ଶିକାର ହୋଇପାରନ୍ତି ।
ସବୁଠାରୁ ବଡ଼କଥା ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ବଢ଼ୁଥିଲେ ମଧ୍ୟ ଚିକିତ୍ସା ଦ୍ୱାରା ଭଲ ହେଉଥିବାରୁ ସମସ୍ତେ ଆଶ୍ୱସ୍ତ ହୋଇଛନ୍ତି । ସେଥିପାଇଁ ଡାକ୍ତରମାନଙ୍କୁ ସାବାସି ଦିଆଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସଂପୃକ୍ତ ଡାକ୍ତରମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ମୋଟାମୋଟି ଆଜି ଦିନ ସୁଦ୍ଧା ରାଜ୍ୟର କରୋନା ପଜିଟିଭ୍ ସଂଖ୍ୟା ୪୮ ଥିବା ବେଳେ ୧୨ ଜଣ ଆରୋଗ୍ୟ ହେଲେ । ଏକମାତ୍ର ଝାରପଡ଼ାର ୭୨ ବର୍ଷୀୟ ଆକ୍ରାନ୍ତଙ୍କର ମୃତୁ୍ୟ ହୋଇଛି ।