ଭୁବନେଶ୍ୱର: ଡେରିରେ ହେଲେ ବି ଆଟାକିଂ ମୁଡ୍ ନେଇଛି ବିଜେଡ଼ି । ପେଟ୍ରୋଲ୍, ଡିଜେଲ୍ ଓ ରନ୍ଧନ ଗ୍ୟାସ୍ ର ଅହେତୁକ ଦରବୃଦ୍ଧିକୁ ନେଇ ଦେଶ ହୁଲସ୍ତୁଲ ହେଉଥିବା ବେଳେ ଦଳ ପ୍ରତିବାଦର ସ୍ୱର ଉଠାଇଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ିର ହେଭିୱେଟ୍ ନେତା ଦେବୀପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମା, ଅରୁଣ ସାହୁ ଏବଂ ପ୍ରମିଳା ମଲ୍ଲିକ ମୋଦି ସରକାରଙ୍କୁ ଆଟାକ୍ କରିଛନ୍ତି । ତୈଳ ଦରବୃଦ୍ଧି ପ୍ରତିବାଦରେ ସେପ୍ଟେମ୍ବର ୧୮ ରୁ ଦଳର ତିନି ଛାମୁଆ ସଂଗଠନ, ଛାତ୍ର, ଯୁବ ଓ ମହିଳା ରାଜରାସ୍ତାକୁ ଓହ୍ଲାଇବ । ସୋମବାର ଦିନ ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟେକ ଜିଲ୍ଲାର ସଦର ମହକୁମାରେ ଛାତ୍ର, ଯୁବ ଓ ମହିଳାମାନେ ମିଳିତ ଧାରଣା ଦେବାକୁ ସେମାନେ ଘୋଷଣା କରିଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ନେତାମାନେ ମୋଦି ସରକାରଙ୍କ ସ୍ୱେଚ୍ଛାଚାରିତା ଓ ଖାଉଟିମାରଣ ନୀତିର କଡ଼ା ସମାଲୋଚନା କରିଛନ୍ତି । କହିଛନ୍ତି, ତେଲ ଓ ଇନ୍ଧନର ଆଶାତୀତ ଦରବୃଦ୍ଧି ସାଧାରଣ ଲୋକଙ୍କ ଉପରେ ବୋଝ ଲଦିଛି । ମୁଦ୍ରାସ୍ଫୀତିଜନିତ ଦରବୃଦ୍ଧିରେ ଖାଉଟି ହନ୍ତସନ୍ତ ହେଉଥିବା ବେଳେ ତେଲ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି ବେଡ଼ି ଉପରେ କୋରଡ଼ା ମାଡ଼ ହୋଇଛି । ବିଜେପି ଶାସିତ ରାଜ୍ୟ ତୁଳନାରେ ଓଡ଼ିଶାରେ ପେଟ୍ରୋଲିୟମ୍ ପଦାର୍ଥ ଉପରେ ରାଜ୍ୟ ସରକାର ଭାଟ୍ ହାର୍ କମ ରହିଥିବା କହି ବିଜେଡ଼ି ନେତାମାନେ କେନ୍ଦ୍ର ସରକାରଙ୍କ କୋର୍ଟକୁ ବଲ୍ ଫିଙ୍ଗିଛନ୍ତି । ତୈଳ ଦର ବୃଦ୍ଧି ଦ୍ୱାରା ତୈଳ କମ୍ପାନୀ ୧୬୦% ଲାଭବାନ ହେଉଛନ୍ତି ଏବଂ ଡିଲର୍ କମିଶନ ବଢ଼େଇ ଦିଆଯାଇଛି ବୋଲି ସେମାନେ କହିଛନ୍ତି । କ୍ଷମତା ଦଖଲ ପାଇଁ ବିଜେପି ରାଜନୈତିକ ଷଡ଼ଯନ୍ତ୍ର କରି କେନ୍ଦ୍ରୀୟ ଏଜେନି୍ସକୁ କାମରେ ଲଗାଇଛି ବୋଲି ଅଭିଯୋଗ କରିଛନ୍ତି ।
ସେପଟେ ବିଜେପି ଏହାକୁ କାଉଣ୍ଟର କରିବା ଉଦ୍ୟମରେ ଗାଲୁ ପେଲିଛି । ଦଳର ହେଭିୱେଟ୍ ନେତାମାନେ ଏହି ପ୍ରସଙ୍ଗରେ ନିଜର ମୁହଁ ଲୁଚାଇଥିବା ବେଳେ ମୁଖପାତ୍ର ଦିଲ୍ଲୀପ ମହାନ୍ତି ଏକ ପ୍ରେସ୍ ଇସ୍ତାହାର ଜରିଆରେ କେନ୍ଦ୍ର ସରକାର, ବିଶେଷକରି ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରୁ ଦୋଷ ଛଡ଼ାଇବାକୁ ଉଦ୍ୟମ କରିଛନ୍ତି । ତୈଳ ଦର ବୃଦ୍ଧିର ଯଥାର୍ଥତାକୁ ନ ଯାଇ ରାଜ୍ୟ ବଜେଟ୍ ରେ ପେଟ୍ରୋଲିୟମ୍ ଦ୍ରବ୍ୟ ଯୋଗୁଁ ଆଦାୟ ଟିକସର ମହତ୍ତ୍ୱ ବଖାଣିଛନ୍ତି । ରାଜ୍ୟମାନଙ୍କୁ କେନ୍ଦ୍ରରୁ ଆସୁଥିବା ୪୨% ଅନୁଦାନରେ ପେଟ୍ରୋଲିୟମଜାତ ଦ୍ରବ୍ୟ ଯୋଗୁଁ ଆଦାୟ ଟିକସର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଥିବାର ଅଜବ ଯୁକ୍ତି ଦର୍ଶାଇଛନ୍ତି ।