ଭୁବନେଶ୍ୱର: ବହୁଚର୍ଚ୍ଚିତ ବମିଖାଲ ଓଭରବ୍ରିଜ୍ ଭୁଷୁଡିବା ପ୍ରସଙ୍ଗଟି ବିଧାନସଭାରୁ ଧୋଇ ହୋଇଗଲା । ଏ ପ୍ରସଙ୍ଗରେ ମୁଲତବୀ ଆଲୋଚନା ପାଇଁ ଆଜି ଅଧିବେସନର ଶେଷ ଦିନ ଧାର୍ଯ୍ୟ ହୋଇଥିଲେ ମଧ୍ୟ ବିଜେଡ଼ି ଏହାକୁ କରାଇ ଦେଲାନାହିଁ । ମୁଲତବୀ ନୋଟିସ୍ କାରୀ ଖୋଦ୍ କଂଗ୍ରେସ ବି ସେଥିରେ ଆଗୁଆ ଷଣ୍ଢ ପୂରାଇଦେଲା । ତେଲ ଦରବୃଦ୍ଧିର ପ୍ରତିବାଦରେ ଉଭୟ ଦଳ ଗୃହରେ ହୋହଲ୍ଲା ଓ ନାରାବାଜି କରିବାରୁ ପ୍ରଶ୍ନୋତର କାର୍ଯ୍ୟକ୍ରମ ପରେ ବାଚସ୍ପତି ଅବିଳମ୍ବେ ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଦେଲେ । କଂଗ୍ରେସ ସହ ବିଜେଡ଼ି ଭିତିରି ବୁଝାମଣା କରି ମୁଲତବୀ ଆଲୋଚନାକୁ ଅଟକାଇ ଦେଲେ ବୋଲି ବିଜେପି ଅଭିଯୋଗ କରିଥିଲା ବେଳେ କଂଗ୍ରେସ ପାଲଟା ଆକ୍ରମଣ କରିଛି ।
ବମିଖାଲ ଓଭରବ୍ରିଜ୍ ଭୁଷୁଡ଼ିଲା ୧୦ ତାରିଖରେ । ନିର୍ମାଣକାରୀ ଠିକାସଂସ୍ଥା ପଣ୍ଡା ଇନଫ୍ରାକୁ ସରକାରୀ ଅନୁକମ୍ପା ଓ ପୋଲରେ ନିମ୍ନମାନର କାମ ହୋଇଥିବା ଅଭିଯୋଗ ଧରି ୧୧ ତାରିଖରେ ବିରୋଧୀ କଂଗ୍ରେସ ଓ ବିଜେପି ତୁମ୍ବିତୋଫାନ କଲେ । ବିଧାନସଭା ଆରମ୍ଭରୁ ମୁଖ୍ୟମନ୍ତ୍ରୀ ପଢ଼ିଥିବା ବିବୃତିକୁ ନା ସେମାନେ ଶୁଣାଇଦେଲେ ନା ଗୃହ ଚଲାଇଦେଲେ । ଜିଦ୍ ଧରିଥିଲେ ବମିଖାଲ ଓଭରବ୍ରିଜ୍ ଭୁଷୁଡ଼ିବା ଉପରେ ଆଲୋଚନା ହେଉ । ସେଥିପାଇଁ ଗୃହ ଅଚଳ ହୋଇଯାଇଥିଲା । ସେଦିନ ଅପରାହ୍ନରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗୃହର କାର୍ଯ୍ୟ ପରାମର୍ଶଦାତା ବୈଠକ ବସି ୧୬ ତାରିଖକୁ ଆଲୋଚନା ପାଇଁ ସମୟଧାର୍ଯ୍ୟ ହେଲା ପରେ ଯାଇ ଗୃହ ସ୍ୱାଭାବିକ ହୋଇଥିଲା ।
ସେହି ଅନୁଯାୟୀ ଆଜି ବିରୋଧୀଦଳର ମୁଲତବୀ ନୋଟିସ୍ କୁ ବାଚସ୍ପତି ଆଲୋଚନା ପାଇଁ ଗ୍ରହଣ କରିଥିଲେ । ପ୍ରଶ୍ନୋତ୍ତର କାଳରୁ ଗୃହ କାର୍ଯ୍ୟ ସ୍ୱାଭାବିକ ଚାଲିଥିଲା । ତେବେ ଶୂନ୍ୟକାଳରେ ତେଲଦର ବୃଦ୍ଧି ବିରୋଧରେ ସ୍ୱର ଉଠାଇ ଗୃହ ଅଚଳ କରିବାକୁ ବିଜେଡ଼ି ବିଧାୟକମାନେ ସଜବାଜ ହୋଇଥିଲେ । ବମିଖାଲ ଓଭରବ୍ରିଜ୍ ଭୁଷୁଡ଼ା ଆଲୋଚନାରୁ ନିସ୍ତାର ପାଇବାକୁ ବାଟ ଖୋଜୁଥିବା ବିଜେଡ଼ି ପାଇଁ ଏହା ବଢ଼ିଆ ଅସ୍ତ୍ର ପାଲଟିଥିଲା । ଗୃହର ପ୍ରଥମାର୍ଦ୍ଧ ଚଲାଇ ନ ଦେବାକୁ ସୁଚିନ୍ତିତ ଯୋଜନାରେ ଦଳ ନିଜକୁ ପ୍ରସ୍ତୁତ କରିଥିଲା । ଖୋଦ୍ ବାଚସ୍ପତିଙ୍କୁ ଏନେଇ ଇଙ୍ଗିତ ରହିଥିବା ବାରି ହୋଇପଡୁଥିଲା ।
ତେବେ ପ୍ରଶ୍ନୋତ୍ତର କାଳ ପରେ ଗୃହ ଅଚଳ କରିବାର ବିଜେଡ଼ି ଯୋଜନାକୁ ହାଇଜାକ୍ କରିବା ପାଇଁ କଂଗ୍ରେସ ନିଷ୍ପତ୍ତି ନେଇଥିଲା । ତେଲଦର ପ୍ରତିବାଦର ଫାଇଦା ବିଜେଡ଼ିକୁ ନ ଦେଇ ନିଜେ ଆଗ ଫାଇଦା ଉଠାଇବାକୁ କଂଗ୍ରେସ ବିଧାୟକଦଳ ବାଟ ଖୋଜିଥିଲେ । ପ୍ରଶ୍ନୋତ୍ତର କାଳ ଚାଲିବା ଭିତରେ ସେମାନେ ତରବରିଆ ହୋଇ ବ୍ୟାନର, ପୋଷ୍ଟର ଦରାଣ୍ଡିଥିଲେ । ବିଜେଡ଼ିକୁ ଫୁରସତ୍ ନ ଦେଇ ପ୍ରଶ୍ନକାଳ ସରିବାକୁ ପାଖାପାଖି ମାତ୍ର ୫ ମିନିଟ୍ ବାକିଥିବା ବେଳେ ହଠାତ୍ ନିଜ ଆସନ ଉପରେ ଛିଡ଼ା ହୋଇ ହୋ ହଲ୍ଲା ଆରମ୍ଭ କରିଥିଲେ । ତେଲଦର ବୃଦ୍ଧି ପ୍ରତିବାଦର ବ୍ୟାନର ପ୍ରଦର୍ଶନ କରିଥିଲେ । ସବୁ ଟିଭି ଚାନେଲ୍ ରେ ପ୍ରଶ୍ନକାଳ ଲାଇଭ୍ ଚାଲୁଥିବାରୁ କଂଗ୍ରେସ ଯୋଜନାମୁତାବକ ଏହାର ଭରପୂର ଫାଇଦା ନେଇଥିଲା ।
ସେପଟେ ବିଜେଡ଼ି ବିଧାୟକମାନେ ପଛରେ ପଡ଼ି ଅସ୍ତବ୍ୟସ୍ତ ହେଲାବେଳକୁ ପ୍ରଶ୍ନକାଳ ସରିଯାଇଥିଲା । ଆଉ ବିଜେଡ଼ି ବିଧାୟକମାନେ ପଛକୁ ନ ଚାହିଁ ଆରମ୍ଭ କରିଦେଇଥିଲେ ତେଲ ଦର ବୃଦ୍ଧିର ପ୍ରତିବାଦ । ମୋଦି ସରକାରଙ୍କ ବିରୋଧରେ ଚାଲିଲା ନାରାବାଜି । ବାଚସ୍ପତି ଅଧିକ ସମୟ ନ ଗଡ଼ାଇ ସିଧା ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଦେଇଥିଲେ । ବମିଖାଲ୍ ଓଭରବ୍ରିଜ୍ ଭୁଷୁଡ଼ିବା ଉପରେ ହୋଇପାରିଲାନି ମୁଲତବୀ ଆଲୋଚନା । ବିଜେଡ଼ି ନିଜ ଯୋଜନାରେ ସଫଳ ହୋଇ ଆଶ୍ୱସ୍ତି ପାଇଲା ।