ଭୁବନେଶ୍ୱର: ଧାମରା ବନ୍ଦରରେ କୋଇଲା ଅତଡ଼ା ଖସି ୩ ଶ୍ରମିକ ମଲେ । ତାହା ପୁଣି ସ୍ୱୀଧାନତା ଦିବସ ଛୁଟି ଦିନରେ । ଏତେବଡ଼ ଖବରଟି ଆଜି କିଛି ପ୍ରମୁଖ ଖବରକାଗଜର ଭିତରପୃଷ୍ଠାକୁ ଚାଲିଯାଇଛି । ଦୁଇଦିନ ହେଲା ଏହି ଦୁର୍ଘଟଣା ଘଟିଥିଲେ ମଧ୍ୟ ରାଜନୈତିକ ଦଳଗୁଡ଼ିକର ସ୍ୱର ଶବ୍ଦ ନାହିଁ । ପ୍ରେସ୍ ମିଟ୍ ପ୍ରେମୀ ବିଜେପିବାଲାଙ୍କର ଦେଖାଚାହାଁ ନାହିଁ । ଧାମରା କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ଦାବି ନାହିଁ କି ମୁଖ୍ୟମନ୍ତ୍ରୀଙ୍କର ଇସ୍ତଫା ଦାବି ନାହିଁ ।
କଂଗ୍ରେସବାଲାଙ୍କ କଥା ଛାଡ଼ନ୍ତୁ । ଗାଦି ପାଇଁ ପିଟାପିଟିରେ ଥିବାରୁ ରାଜ୍ୟର ସ୍ୱାର୍ଥ କଥା ଚିନ୍ତା କରିବାକୁ ସମୟ ପାଇନାହାନ୍ତି । ହେଲେ ବିଜେପିବାଲା ? ଭୂଷଣ ଷ୍ଟିଲ ପ୍ଲାଣ୍ଟରେ ବାରମ୍ବାର ଦୁର୍ଘଟଣା ଯୋଗୁଁ ଶ୍ରମିକଙ୍କ ମୃତ୍ୟୁ ହେଉଥିବା ବେଳେ ସେମାନଙ୍କ ଆଖିରୁ ଲୁହ ଝରୁଥିଲା । ଭୂଷଣ ଷ୍ଟିଲ୍ ପ୍ଲାଣ୍ଟକୁ ଶ୍ରମିକ ମରଣଯନ୍ତା ନାଁ ଦେଇଥିଲେ । ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରି ତୁମ୍ବିତୋଫାନ କରୁଥିଲେ । ଭୂଷଣକୁ ସିଲ୍ କରିବାକୁ ଦାବି କରିଥିଲେ । ଶ୍ରମିକଙ୍କ ଜୀବନ ସୁରକ୍ଷାରେ ଫେଲ୍ ଦର୍ଶାଇ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ । ହେଲେ ଆଜି ସେମାନେ ଗଲେ କୁଆଡେ ? ଭୂଷଣ ଶ୍ରମିକଙ୍କ ଜୀବନଠାରୁ ଧାମରା ବନ୍ଦର ଶ୍ରମିକଙ୍କ ଜୀବନ କ’ଣ ଏତେ ତୁଚ୍ଛ ?
ଆଦାନୀ ଗ୍ରୁପ୍ ମାଲିକାନାରେ ପରିଚାଳିତ ଧାମରା ବନ୍ଦର ଶ୍ରମିକଙ୍କ ଜୀବନ ପାଇଁ ବିଜେପି ନିର୍ଦ୍ଦୟ ପାଲଟିବା ପଛର କାରଣ ଜଣାଶୁଣା ମହଲରେ ଅଛପା ନାହିଁ । ଆଦାନୀ ଗ୍ରୁପ୍ ହେଉଛି ପିଓର ମୋଦି ବ୍ରାଣ୍ଡ । ଓଡ଼ିଶାରେ କମ୍ପାନୀର ରକ୍ଷାକର୍ତ୍ତା ହେଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସୁତରାଂ ଭୂଷଣ ଉପରେ ଷଣ୍ଢ ଦେଖାଉଥିବା ବିଜେପି ନେତାଏ ଆଦାନୀ ଆଗରେ ମାଈ ଛେଳି । ଆଦାନୀ ବିରୋଧରେ ପାଟି ଖୋଲିବା ଭଳି ଭୁଲ୍ ତ ହେବନି । ବାଇଚାନ୍ସ ଯଦି ହୋଇଯାଏ, ତେବେ ଏଠି ଦଳ ଭାଟି ବନ୍ଦ ହୋଇଯିବା ଥୟ । ତେଣୁ ଧାମରା ବନ୍ଦରରେ କୋଇଲା ତଳେ ଏମିତି ହଜାରେ ଶ୍ରମିକ ମଲେ ବି ବିଜେପି ନେତାଙ୍କୁ ଚହଲାଇ ପାରିବନି । ଏହା ଉପରବାଲାଙ୍କ ନିର୍ଦ୍ଦେଶ ବୋଲି ଚର୍ଚ୍ଚା ହେଉଛି ।
ଖାଲି କ’ଣ ସେତିକି ? ପେପର୍ ଦିନଟିଏ ଛୁଟିଥିବାରୁ ଖବରଟିକୁ ଛୋଟ ଓ ଗୁରୁତ୍ୱହୀନ କରିଦେବାକୁ ବି ଆଦାନୀ ସ୍ତାବକଗୋଷ୍ଠୀ ସଫଳ ହୋଇଛନ୍ତି । ଯାହା ହେଉ, ବିଜେଡ଼ିବାଲା ବି ଏଥିରେ ଆଶ୍ୱସ୍ତି ହୋଇଛନ୍ତି । ନବୀନଙ୍କୁ ବଞ୍ଚାଇ ଦେଇଛନ୍ତି ଆଦାନୀ । ନହେଲେ ନବୀନ ସରକାରଙ୍କୁ ବିଜେପି ଘାଣ୍ଟିଚକଟି ଦେଇଥାଆନ୍ତା । ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ମାଗି ତୁମ୍ବିତୋଫାନ କରିଥାଆନ୍ତା ।