ଭୁବନେଶ୍ୱର: ରାଜ୍ୟରେ ନିଜର ଅସ୍ତିତ୍ୱ ହରାଇବାକୁ ବସିଥିବା କଂଗ୍ରେସିଆଙ୍କ ଗୋଡ଼ ଟଣାଟଣି ସରୁନି । ପିସିସି ନେତୃତ୍ୱକୁ ନେଇ ନିଜ ନିଜ ଭିତରେ ମାରପିଟ୍ ଜୋର୍ ଧରିଛି । ନିରଞ୍ଜନ ପଟ୍ଟନାୟକଙ୍କ ହାତକୁ ଚଉକି ଚାଲିଯିବାର ଗନ୍ଧ ବାରି ଶ୍ରୀକାନ୍ତ ଜେନା ଆଗକୁ ବାହାରିଛନ୍ତି । ଆଜି ଏକ ପ୍ରେସ୍ ମିଟ୍ କରି ସେ ବୁଲେଇ ବଙ୍କେଇ ନିରଞ୍ଜନଙ୍କୁ ଚୋର ଚାଣ୍ଡାଳ କରିଦେଇଛନ୍ତି । ଖଣି ଚୋରିରେ କଂଗ୍ରେସ ନେତା ବି ସଂପୃକ୍ତ ବୋଲି ନିରଞ୍ଜନଙ୍କ ଉଦ୍ଦେଶ୍ୟରେ ଆକ୍ଷେପ କରିଛନ୍ତି । ଆଉ ନିରଞ୍ଜନ ଏହାର ଜବାବରେ ସେମିତି ବୁଲେଇ ବଙ୍କେଇ ଶ୍ରୀକାନ୍ତଙ୍କ ଚଉଦ ପୁରୁଷ ଉଦ୍ଧାରିଛନ୍ତି । ଖଣି ନ ଥାଇ ଖଣି ମାଫିଆ ବୋଲି ବଙ୍କାରେ ଶୁଣାଇ ଦେଇଛନ୍ତି ।
ସେପଟେ କଂଗ୍ରେସ ବିଧାୟକ ଦଳ ଭିତରେ ବି ବାଡ଼ିଆପିଟା ଜୋର୍ ଧରିଛି । ପ୍ରସାଦ ହରିଚନ୍ଦନଙ୍କୁ ହଟାଇବା ପାଇଁ ବିଧାୟକ ଦଳ ଏକ ଦସ୍ତଖତ ସମ୍ବଳିତ ଦାବିପତ୍ର ପର୍ଯ୍ୟବେକ୍ଷକଙ୍କୁ ଦେଇଥିଲେ । ମାତ୍ର ଜାକବ୍ ପ୍ରଧାନ ଓ କୃଷ୍ଣ ସାଗରିଆ ତାହାକୁ ଜବରଦସ୍ତିଆ ଦସ୍ତଖତ ବୋଲି ଏବେ କହିଲେଣି । ସେମାନଙ୍କ କହିବା କଥା, କୈଳାସ କୁଲେସିକାଙ୍କ ସହ ସେମାନେ ପର୍ଯ୍ୟବେକ୍ଷକଙ୍କୁ ୧୩ ତାରିଖ ରାତିରେ ହୋଟେଲରେ ଅଲଗା ଭେଟିଥିଲେ । ଭକ୍ତ ଦାସଙ୍କୁ ପିସିସି ସଭାପତି କରିବାକୁ ମତ ରଖିଥିଲେ । ବିଧାୟକ ଦଳର ନିଷ୍ପତ୍ତି ସହ ସେମାନେ ଏକମତ ନୁହଁନ୍ତି । ମାତ୍ର ସେମାନଙ୍କଠାରୁ ଜୋର୍ ଜବରଦସ୍ତ ଦସ୍ତଖତ ନିଆଯାଇଛି । ଜାକବ୍ ଗତକାଲି ଖୋଲାଖୋଲି ଗଣମାଧ୍ୟମରେ ଏକଥା କହିଥିଲେ । ସାଗରିଆ ବି ଗଣମାଧ୍ୟମକୁ ସେଭଳି କହିଥିଲେ । ତେବେ ଆଜି ଏହି ଘଟଣା ୟୁ ଟର୍ଣ୍ଣ ନେଇଛି । କୈଳାସ କୁଲେସିକା କହିଲେଣି କୃଷ୍ଣ ସାଗରିଆ ଓ ଜାକବ୍ ପ୍ରଧାନ ମିଛ କହୁଛନ୍ତି । ସେ ନିରଞ୍ଜନଙ୍କ ସପକ୍ଷରେ ଅଛନ୍ତି ଏବଂ ତାଙ୍କ ବିରୋଧରେ ଯାହା କୁହାଯାଇଛି ତାହା ହାଇକମାଣ୍ଡଙ୍କୁ ଜଣାଇବେ ବୋଲି ଧମକ ଦେଇଛନ୍ତି ।
ସେପଟେ ପିସିସି ନେତୃତ୍ୱ କନ୍ଦଳ ସମାଧାନ ପାଇଁ ଓଡ଼ିଶା ଆସିଥିବା ପର୍ଯ୍ୟବେକ୍ଷକ ଦଳ ସୋନିଆ ଗାନ୍ଧୀଙ୍କୁ ଦୁଇଦିନ ଭିତରେ ରିପୋର୍ଟ ଦେବେ ବୋଲି ସୂଚନା ମିଳିଛି । ରିପୋର୍ଟ କାହା ସପକ୍ଷରେ ଯାଉଛି ତାହା ଜାଣିବା ମୁସ୍କିଲ୍ ହୋଇଥିଲେ ମଧ୍ୟ ଦଳରେ ଘଡ଼ିକେ ଘୋଡା ଛୁଟୁଛି । ପ୍ରସାଦ ଓ ନିରଞ୍ଜନଙ୍କ କ୍ୟାମ୍ପ ନିଜ ନିଜ ଲବିରେ ଆଶାବାଦୀ ଅଛନ୍ତି । ଆଉ ନିରଞ୍ଜନଙ୍କୁ ଚେକ୍ ଦେବା ପାଇଁ ଶେଷ ମୁହୁର୍ତ୍ତରେ ଖଣି ଅସ୍ତ୍ର ଛାଡ଼ିଛନ୍ତି ଶ୍ରୀକାନ୍ତ ।