ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ଶୀତ ଅଧବେଶନ । ମାତ୍ର ପ୍ରଥମରୁ କଂଗ୍ରେସ ବିଧାୟକମାନେ ହୋ ହଲ୍ଲା କରି ଗୃହକୁ ଚଲେଇ ଦେଇନାହାନ୍ତି । ଶୋକ ପ୍ରସ୍ତାବ ଆଲୋଚନା ଓ ବାଚସ୍ପତିଙ୍କ ଦୁଇଟି ଘୋଷଣା ଭିତରେ ସୀମିତ ହୋଇଗଲା ଗୃହକାର୍ଯ୍ୟ । ଚାଷୀ ସମସ୍ୟା ସମ୍ପର୍କରେ କଂଗ୍ରେସ ଦଳ ପକ୍ଷରୁ ଦିଆଯାଇଥିବା ମୁଲତବୀ ନୋଟିସ୍ କୁ ବାଚସ୍ପତି ଆଲୋଚନା ପାଇଁ ଗ୍ରହଣ କରିଥିଲେ ମଧ୍ୟ ପ୍ରଶ୍ନକାଳ ବାତିଲ କରି ମୁଲତବୀ ଆଲୋଚନା ପାଇଁ କଂଗ୍ରେସ ବିଧାୟକମାନେ ଅଡ଼ି ବସି ହଟ୍ଟଗୋଳ କରିଥିଲେ ।
ନିର୍ଦ୍ଧାରିତ କାର୍ଯ୍ୟସୂଚୀ ମୁତାବକ ଆଜି ଦିନ ୧୧ଟାରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା । ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିବଂଗତମାନଙ୍କ ବିୟୋଗରେ ଶୋକପ୍ରସ୍ତାବ ଆଗତ କରିଥିଲେ । ସେମାନେ ହେଲେ ପୂର୍ବତନ ସରକାରୀ ଉପମୁଖ୍ୟ ସଚେତକ ସ୍ୱର୍ଗତ ପ୍ରସନ୍ନ କୁମାର ପାଲ, ପୂର୍ବତନ ସଦସ୍ୟ ସ୍ୱର୍ଗତ ବଂଶୀଧର ସାହୁ, ୨୯ ଆସାମ ରାଇଫଲର ପୂର୍ବତନ ରାଇଫଲମ୍ୟାନ ସ୍ୱର୍ଗତ ଚମ୍ପେଶ୍ୱର ମହାକୁଡ଼, ସିଆରପିଏଫର ପୂର୍ବତନ ଡ୍ରାଇଭର ସ୍ୱର୍ଗତ ବ୍ରଜମୋହନ ବେହେରା ଓ ଦୂରଦର୍ଶନର ପୂର୍ବତନ କ୍ୟାମେରାମ୍ୟାନ ସ୍ୱର୍ଗତ ଅଚ୍ୟୁତାନନ୍ଦ ସାହୁ । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଗତ ଶୋକପ୍ରସ୍ତାବକୁ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ସମର୍ଥନ କରି ସେମାନଙ୍କ ଶୋକବ୍ୟକ୍ତ କରିଥିଲେ । ବାଚସ୍ପତି ପ୍ରଦୀପ ଅମାତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ପରଲୋକଗତ ଆତ୍ମାଙ୍କ ପାଇଁ ଗୃହରେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।
ଶୋକପ୍ରସ୍ତାବ ଆଲୋଚନା ସରିଲା ମାତ୍ରେ ବାଚସ୍ପତି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମକୁ ଯିବାରୁ କଂଗ୍ରେସ ବିଧାୟକମାନେ ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତିକୁ ସମାଲୋଚନା କରି ହୋହଲ୍ଲା ଆରମ୍ଭ କରିଥିଲେ । ଚାଷ ଓ ଚାଷୀ ସମସ୍ୟା ପ୍ରସଙ୍ଗରେ ଆଲୋଚନା ପାଇଁ ଦଳ ପକ୍ଷରୁ ସକାଳେ ବାଚସ୍ପତିଙ୍କୁ ମୁଲତବୀ ନୋଟିସ୍ ଦିଆଯାଇଥିଲା ଏବଂ ବାଚସ୍ପତି ତାହାକୁ ଆଲୋଚନା ପାଇଁ ଗ୍ରହଣ କରିଥିଲେ । ହେଲେ କଂଗ୍ରେସ ବିଧାୟକମାନେ ସେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଚାହିଁ ନ ଥିଲେ । ଗୃହର ପ୍ରଶ୍ନୋତ୍ତର କାଳକୁ ବାତିଲ କରି ମୁଲତବୀ ଆଲୋଚନା ଦାବିରେ ଗୃହର ମଧ୍ୟଭାଗକୁ ଆସି ହଙ୍ଗାମା କରିଥିଲେ । ଫଳରେ ଦିନ ୧୧.୧୪ ମିନିଟ୍ ରେ ବାଚସ୍ପତି ଶ୍ରୀ ଅମାତ୍ ଗୃହକୁ ଘଣ୍ଟାଏ ପାଇଁ ମୁଲତବୀ ଘୋଷଣା କରିଥିଲେ ।
୧୨.୧୪ ମିନିଟ୍ ରେ ପୁନର୍ବାର ଗୃହ ଆରମ୍ଭ ହୋଇଥିଲା । କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆଙ୍କ ଇସ୍ତଫା ଗ୍ରହଣ ସଂକ୍ରାନ୍ତରେ ବାଚସ୍ପତି ଘୋଷଣା କରିଥିଲେ । ସେହିଭଳି ସମତାକ୍ରାନ୍ତି ଦଳ ଛାଡ଼ି କଂଗ୍ରେସରେ ଯୋଗଦେଇଥିବା ବିଧାୟକ ଜର୍ଜ ତିର୍କୀଙ୍କ ସଦସ୍ୟ ପଦର ବୈଧତା ସଂକ୍ରାନ୍ତରେ ଘୋଷଣା କରିଥିଲେ । ବାଚସ୍ପତି ଅନ୍ୟ କାର୍ଯ୍ୟସୂଚୀକୁ ଯିବା ପୂର୍ବରୁ କଂଗ୍ରେସ ବିଧାୟକ ପୂର୍ବଭଳି ନିଜ ଆସନ ଛାଡ଼ି ଗୃହର ମଧ୍ୟଭାଗରେ ହୋ ହଲ୍ଲା,ହଙ୍ଗମା କରିଥିଲେ । ଚାଷୀ ପ୍ରସଙ୍ଗରେ ଆଲୋଚନା ଦାବି ଜାରି ରଖିଥିଲେ । ବିଜେପି ବିଧାୟକମାନେ ମଧ୍ୟ ସେମାନଙ୍କୁ ସମର୍ଥନ କରିଥିଲେ । ଅବସ୍ଥା ଦେଖି ବାଚସ୍ପତି ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଦେଲେ ।
ଚାଷୀ ପ୍ରସଙ୍ଗର ଗୁରୁତ୍ୱ ଦୃଷ୍ଟିରୁ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ବାତିଲ କରି ସିଧା ମୁଲତବୀ ଆଲୋଚନା ପାଇଁ ଦାବି କରାଯାଇଥିଲା ବୋଲି ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି । ଚିରାଚରିତ ଭାବେ ଏହା ଉପରେ ଆଲୋଚନା ହୋଇଥିଲେ ଏହାର ଗୁରୁତ୍ୱ ରହି ନ ଥାଆନ୍ତା ବୋଲି ସେ କହିଛନ୍ତି । ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ବାଚସ୍ପତି ଚାଷୀ ପ୍ରସଙ୍ଗ ଏଡ଼ାଇ ଗୃହକୁ ଆସନ୍ତାକାଲି ଯାଏଁ ମୁଲତବୀ ଘୋଷଣା କରିଥିବାରୁ ସମାଲୋଚନା କରିଛନ୍ତି । ଅପରପକ୍ଷେ ବିରୋଧୀଙ୍କ ଆଭିମୁଖ୍ୟକୁ ବିଜେଡ଼ି ସମାଲୋଚନା କରିଛି । ଚାଷ ଓ ଚାଷୀ ପ୍ରସଙ୍ଗରେ ମୁଲତବୀ ନୋଟିସ୍ କୁ ବାଚସ୍ପତି ଗ୍ରହଣ କରିସାରିଥିବା ବେଳେ ବିରୋଧୀ ଦଳ ବିଧାୟକମାନେ ପ୍ରଶ୍ନୋତ୍ତର କାର୍ଯ୍ୟ ବାତିଲ କରି ଗୃହରେ ହଙ୍ଗାମା କରିବାକୁ ବିଜେଡ଼ି ବିଧାୟକ ସମୀର ଦାଶ ସମାଲୋଚନା କରିଛନ୍ତି । ଚାଷୀ ସମସ୍ୟା ଉପରେ ଆଲୋଚନା କରିବାକୁ ଶାସକ ଦଳ ପ୍ରସ୍ତୁତ ଥିବା ବେଳେ ବିରୋଧୀ ଦଳର ଆନ୍ତରିକତା ନାହିଁ ବୋଲି ସେ କହିଛନ୍ତି ।