ହାଇଦ୍ରାବାଦ: ସିବିଆଇ ତାର ପବିତ୍ରତା ଓ ବିଶ୍ୱସନୀୟତା ହରାଇ ଦେଇଛି । ମୋଦି ସରକାରଙ୍କର ଏହା କଣ୍ଢେଇ ସାଜିଛି । ଏଭଳି ଏକ ଅପବିତ୍ର ତଦନ୍ତକାରୀ ସଂସ୍ଥାର ମୁହଁ ଚାହିଁବାକୁ ମନା କରିଦେଇଛନ୍ତି ଆନ୍ଧ୍ରପ୍ରଦେଶର ଚନ୍ଦ୍ରବାବୁ ନାଇଡୁ ସରକାର । ସିବିଆଇ ପାଇଁ ଆନ୍ଧ୍ର ଦ୍ୱାର ଦ୍ୱାର ବନ୍ଦ କରିଦେଇଛନ୍ତି । ସିବିଆଇର ରାଜ୍ୟ ପ୍ରବେଶ ଅନୁମତିକୁ ଆଜି ଏକ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ବଳରେ ଆନ୍ଧ୍ର ସରକାର ପ୍ରତ୍ୟାହାର କରିନେଇଛନ୍ତି । ରାଜ୍ୟ ସରକାରଙ୍କ ବିନା ଅନୁମତିରେ ସିବିଆଇ ଆନ୍ଧ୍ରପ୍ରଦେଶକୁ ପଶିପାରିବ ନାହିଁ । ରାଜ୍ୟ ସରକାରଙ୍କ ତଦନ୍ତକାରୀ ସଂସ୍ଥା(ଏସିବି) ସିବିଆଇର ସମସ୍ତ ଦାୟିତ୍ୱଭାର ସମ୍ଭାଳିବ । ସିବିଆଇ ସହ ନାଇଡୁ ସରକାରଙ୍କର ଏଭଳି କଠୋର ମୁକାବିଲା ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଛି ।
ଆଜି ଆନ୍ଧ୍ର ସରକାରଙ୍କ ପକ୍ଷରୁ ଗୃହ ବିଭାଗର ପ୍ରମୁଖ ସଚିବ ଏ.ଆର.ଅନୁରାଧାଙ୍କ ଦସ୍ତଖତରେ ଏକ ସରକାରୀ ଗେଜେଟ୍ ପ୍ରକାଶ ପାଇଛି । ଦିଲ୍ଲୀ ପୁଲିସ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ୍ ର ଧାରା ୬ କୁ ପ୍ରତ୍ୟାହାର କରାଗଲା ବୋଲି ସେଥିରେ ନିର୍ଦ୍ଦେଶନାମା ରହିଛି । ଏହି ଧାରା ପ୍ରତ୍ୟାହାର ଅର୍ଥ ସିବିଆଇକୁ ଆନ୍ଧ୍ର ପ୍ରଦେଶରେ ପ୍ରବେଶ ଅନୁମତି ପ୍ରତ୍ୟାହାର କରାଯାଇଛି । ସିବିଆଇ ଆନ୍ଧ୍ରପ୍ରଦେଶ ଯାଇ କାହାରି ଉପରେ ଚଢ଼ଉ କରିପାରିବନି କି କୌଣସି ମାମଲାର ଅନୁସନ୍ଧାନ କରିପାରିବ ନାହିଁ ।







