କୋଲକତା: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ରାସ୍ତା ଧରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସିବିଆଇଠାରୁ ରାଜ୍ୟ ପ୍ରବେଶ ସ୍ୱୀକୃତିକୁ ପଶ୍ଚିମବଙ୍ଗ ସରକାର ପ୍ରତ୍ୟାହାର କରି ନେଇଛନ୍ତି । ସରକାରଙ୍କ ବିନା ଅନୁମତିରେ ସିବିଆଇ ରାଜ୍ୟରେ କୌଣସି ଚଢ଼ଉ କିମ୍ବା ତଦନ୍ତ କରିପାରିବ ନାହିଁ । ସେଥିପାଇଁ ରାଜ୍ୟ ସରକାରଙ୍କଠାରୁ ସିବିଆଇକୁ ଅନୁମତି ଆଣିବାକୁ ପଡ଼ିବ । ଆଜି ବିଳମ୍ବିତ ସଂଧ୍ୟାରେ ପଶ୍ଚିମବଙ୍ଗ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ସିବିଆଇ ରୋକ୍ ନେଇ ସକାଳେ ଆନ୍ଧ୍ରପ୍ରଦେଶ ସରକାର ନିଷ୍ପତ୍ତି ନେଇଥିଲେ । ଆଉ ସେହି ପଦାଙ୍କ ଅନୁସରଣ କରିଛନ୍ତି ମମତା ବାନାର୍ଜୀ ।
ମମତା ବାନାର୍ଜୀ କହିଛନ୍ତି, ମୋଦି ସରକାର ସିବିଆଇକୁ ରାଜନୈତିକ ଅସ୍ତ୍ରଭାବେ ବ୍ୟବହାର କରୁଛନ୍ତି । ଏହି ଅଭିଯୋଗ ପୂର୍ବରୁ ସେ କରି ଆସୁଛନ୍ତି । ରାଜ୍ୟ ସରକାରଙ୍କ କ୍ଷମତା ବଳରେ ଆଜି ଚନ୍ଦ୍ରବାବୁ ନାଇଡୁ ସରକାର ସିବିଆଇକୁ ଆନ୍ଧ୍ରପ୍ରଦେଶ ମନା କରିବା ପରେ ସବୁଠାରୁ ବେଶୀ ଖୁସି ଜାହିର କରିଥିଲେ ମମତା । ଅପରାହ୍ନରେ ଏକ ଦଳୀୟ ମିଟିଂରେ ସେ ନାଇଡୁଙ୍କ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଥିଲେ । ସିବିଆଇ ସମେତ ଅନ୍ୟାନ୍ୟ ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ବିଜେପି ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରୁଥିବାରୁ ସେ କଠୋର ସମାଲୋଚନା କରିଥିଲେ । ଏହାପରେ ସଂଧ୍ୟାରେ ନିଜ ରାଜ୍ୟ କ୍ଷେତ୍ରରେ ସମାନ ନିଷ୍ପତ୍ତି ନେଇଥିଲେ ଦିଦି ।
କେନ୍ଦ୍ରୀୟ ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ସିବିଆଇ ବିରୋଧରେ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବପଙ୍ଗ ସରକାରଙ୍କ ଏଭଳି କଠୋର ପଦକ୍ଷେପ ସାରା ଦେଶକୁ ହୁଲସ୍ତୁଲ କରିଛି । କେନ୍ଦ୍ର ସରକାର ଓ ସିବିଆଇର ଆଭିମୁଖ୍ୟ ନେଇ ଏହା ନୂଆ ବିତର୍କ ସୃଷ୍ଟି କରିଛି। ରାଜନୈତିକସ୍ତରରେ ମଧ୍ୟ ଏହା କମ୍ପମାନ ସୃଷ୍ଟି କରିଛି । ଆଉ କିଛି ରାଜ୍ୟ ଅନୁରୂପ ପଦକ୍ଷେପ ନେବେ ବୋଲି ସୂଚନା ମିଳିଲାଣି ।