ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ଅଫିସର ସ୍ତରରେ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରିଛନ୍ତି । ୧୯୮୭ ବ୍ୟାଚ୍ ର ଆଇଏଏସ୍ ଅଧିକାରୀ ତଥା ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମାଙ୍କୁ କୃଷି ଉତ୍ପାଦନ କମିଶନର ପଦରେ ଅବସ୍ଥାପିତ କରାଯାଇଛି ।
୧୯୯୧ ବ୍ୟାଚ୍ ଅଧିକାରୀ ତଥା ଶ୍ରମ, ନିୟୋଜନ ଏବଂ ଇଏସଆଇ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କୁ ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ଭାବେ ବଦଳି କରାଯାଇଛି । ଶିଶୁ ଓ ମହିଳା ବିକାଶ ତଥା ମିଶନ୍ ଶକ୍ତି ବିଭାଗର ପ୍ରମୁଖ ସଚିବ ଭାବେ ସେ ପୂର୍ବଭଳି ଅତିରିକ୍ତ ଦାୟିତ୍ୱରେ ରହିବେ ।
ନିକଟରେ କେନ୍ଦ୍ରରୁ ଡେପୁଟେସନ୍ ରେ ଫେରିଲା ପରେ ଏମଏସ ଏବଂ ଏମଇ ବିଭାଗର ପ୍ରମୁଖ ସଚିବ ପଦରେ ନିଯୁକ୍ତି ପାଇଥିବା ୧୯୯୧ ବ୍ୟାଚ୍ ଅଧିକାରୀ ସତ୍ୟବ୍ରତ ସାହୁଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।
ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ତଥା ୧୯୯୩ ବ୍ୟାଚ୍ ଅଧିକାରୀ ସୁରେନ୍ଦ୍ର କୁମାରଙ୍କୁ ଇସ୍ପାତ ଓ ଖଣି ବିଭାଗର ପ୍ରମୁଖ ସଚିବ ଭାବେ ଅବସ୍ଥାପିତ କରାଯାଇଛି । କଟକ ଉନ୍ନୟନ କର୍ତ୍ତୃପକ୍ଷ(ସିଡ଼ିଏ)ର ଅଧ୍ୟକ୍ଷ ଭାବେ ସେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ତଥା ୧୯୯୫ ବ୍ୟାଚ୍ ଅଧିକାରୀ ଶ୍ରୀମତୀ ଚିତ୍ରା ଅରୁମୁଗମ୍ ଙ୍କୁ ଶ୍ରମ, ନିୟୋଜନ ଏବଂ ଇଏସଆଇ ବିଭାଗର ପ୍ରମୁଖ ସଚିବ ପଦରେ ଅବସ୍ଥାପିତ କରାଯାଇଛି ।