ଭୁୁବନେଶ୍ୱର: ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା । ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟ ଲଘୁଚାପ ବାତ୍ୟା ରୂପ ନେଉଥିବା ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର(ଆଇଏମଡି) ପକ୍ଷରୁ ସୂଚନା ଦିଆଯାଇଛି । ତେବେ ୧୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପରେ ଏହାର ପ୍ରଭାବ ପଡ଼ିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।
ଆଇଏମଡି ଆକଳନ କହୁଛି, ଆଣ୍ଡାମାନ ସାଗର ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ୧୫ ତାରିଖ ସୁଦ୍ଧା ଏହା ଡିପ୍ରେସନ୍ ବା ଅବପାତର ରୂପ ନେବ । ୧୬ ତାରିଖ ସଂଧ୍ୟାରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ଝଡ଼ବାତ୍ୟାର ରୂପ ନେବ । କାଳକ୍ରମେ ଏହା ଘନୀଭୂତ ହୋଇ ପ୍ରଥମେ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ପରେ ଏହା ଗତି ବଦଳାଇ ଉତ୍ତର ଓ ଉତ୍ତର ପୂର୍ବ ଦିଗକୁ ଗତି କରିବ । ବାତ୍ୟା କେଉଁ ଉପକୂଳ ଅତିକ୍ରମ କରିବ ଏଯାଏଁ ସ୍ପଷ୍ଟ ହୋଇନି ।
ବାତ୍ୟା ଅଧିକ ଘନୀଭୂତ ହେଲେ ଯାଇ ସଠିକ ଆକଳନ କରାଯାଇପାରିବ ବୋଲି ଆଇଏମଡି ଡିଜି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି । ତେବେ ୧୩ ରୁ ୧୭ ତାରିଖ ଯାଏଁ ଓଡ଼ିଶା ଉପରେ ଏହାର ପ୍ରଭାବ ପଡ଼ିବ ନାହିଁ । ପ୍ରଭାବ ପଡ଼ିବ ନା ନାହିଁ ତାହା ୧୬ ତାରିଖରେ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି । ତେବେ ୧୫ ରୁ ସମୁଦ୍ର ଅଶାନ୍ତ ରହୁଥିବାରୁ ଏହା ପୂର୍ବରୁ ମତ୍ସ୍ୟଜୀବୀମାନେ ସମୁଦ୍ରରୁ ଫେରି ଆସିବାକୁ ସେ ପରାମର୍ଶ ଦେଇଛନ୍ତି ।