ଭୁବନେଶ୍ୱର: ନଗର ଉନ୍ନୟନ ମନ୍ତ୍ରୀ ହବାର ମାସେ ନ ପୂରୁଣୁ ନିଜ ପାଇଁ ଏକ ବଢ଼ିଆ କୀଳା ଖଂଜିଛନ୍ତି ନିରଂଜନ ପୂଜାରୀ । ଅର୍ଥ ବିଭାଗର ଅନୁମୋଦନ ନ ଥାଇ ସହରାଞ୍ଚଳରେ ଠିକା ନିଯୁକ୍ତି ପାଇଥିବା କମ୍ୟୁନିଟି ଅର୍ଗାନାଇଜରମାନଙ୍କୁ ତାଙ୍କ ବିଭାଗ ଗ୍ରେଡ-ପେ’ ରେ ଅର୍ନ୍ତଭୁକ୍ତ କରିଛନ୍ତି । ନିଜେ ମନ୍ତ୍ରୀ ଏହି ବେଆଇନ ନିଷ୍ପତ୍ତି ଉପରେ ଦସ୍ତଖତ ମାରିଛନ୍ତି ।
ରାଜ୍ୟର ବିଭିନ୍ନ ଏନଏସି, ମ୍ୟୁନିସିପାଲିଟି ଏବଂ ସୁଡ଼ାରେ କମ୍ୟୁନିଟି ଅର୍ଗାନାଇଜର ପଦବୀରେ ଶହ ଶହ ମହିଳା କାର୍ଯ୍ୟ କରୁଛନ୍ତି । ନଗର ଉନ୍ନୟନ ବିଭାଗ ଅଧିକାଂଶଙ୍କୁ ଠିକା ନିଯୁକ୍ତି ଦେଇଛି । ସେମାନଙ୍କ ମଧ୍ୟରୁ କିଛି ମଂଜୁରୀପ୍ରାପ୍ତ ପଦବୀରେ ନିଯୁକ୍ତି ପାଇଥିବା ବେଳେ ଆଉ କିଛି ବିନା ମଂଜୁର ପଦବୀରେ ଆଡଜଷ୍ଟ ହୋଇଛନ୍ତି । କନସଲିଡେଟେଡ୍ ଦରମା ଭାବେ ସେମାନେ ମାସକୁ ପାଉଛନ୍ତି ୯ ହଜାର ଟଙ୍କା । ଇତିମଧ୍ୟରେ ଅର୍ଥ ବିଭାଗର ଅନୁମତିକ୍ରମେ ନଗର ଉନ୍ନୟନ ବିଭାଗରେ କାର୍ଯ୍ୟରତ ଆଡହକ କର୍ମଚାରୀଙ୍କୁ ଗ୍ରେଡ-ପେ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ହୋଇଥିଲା । କେଉଁ ସ୍କେଲ ଅଫ-ପେ ରେ କେତେ ଗ୍ରେଡ-ପେ ଲାଗୁ ହେବ ତାହା ମଧ୍ୟ ନିର୍ଦ୍ଧାରଣ ହୋଇଥିଲା । କମ୍ୟୁନିଟି ଅର୍ଗାନାଇଜରଙ୍କ କ୍ଷେତ୍ରରେ ୯,୩୦୦ ସ୍କେଲ ଅଫ-ପେ ପାଉଥିଲେ ୪୨୦୦ ଟଙ୍କା ଗ୍ରେଡ-ପେ ପାଇବାକୁ ଯୋଗ୍ୟ ହେବେ ବୋଲି ନିୟମ ଅଛି । ମାତ୍ର ଧୂଆ ମୂଳା ଅଧୂଆ ମୂଳା ନୀତିରେ ୯୦୦୦ ଟଙ୍କା ପେ- ସ୍କେଲରେ ଥିବା ଠିକା କର୍ମଚାରୀଙ୍କ ପାଇଁ ମଧ୍ୟ ୪୨୦୦ ଟଙ୍କା ଗ୍ରେଡ-ପେ ଲାଗୁ କରାଯାଇଛି । ଯାହାକି ସରକାରୀ ନିୟମର ସମ୍ପୂର୍ଣ୍ଣ ବିରୋଧୀ । ଆଇନ ଆଖିରେ ଏହା କଦାପି ସମ୍ଭବ ନୁହେଁ ବୋଲି ଜଣାପଡ଼ିଛି । ସୁଡ଼ାର ୧୪ତମ ଗଭର୍ଣ୍ଣି ବଡ଼ି ମିଟିଂରେ ହୋଇଥିବା ବିଚାର ଆଧାରରେ ନଗର ଉନ୍ନୟନ ବିଭାଗ ଏହି ନୀତିଗତ ନିଷ୍ପତ୍ତି ନେଇଥିବା କୁହାଯାଇଛି ।
ଆଶ୍ଚର୍ଯ୍ୟର କଥା ଗ୍ରେଡ-ପେ ଲାଗୁ ନେଇ ଏତେବଡ଼ ନିଷ୍ପତ୍ତି ପଛରେ ଅର୍ଥ ବିଭାଗର ଅନୁମୋଦନ ନାହିଁ । ଅର୍ଥବିଭାଗକୁ ଫାଇଲ୍ ବି ପଠାଯାଇନାହିଁ । ନଗର ଉନ୍ନୟନ ବିଭାଗ ନିଜେ ନିଜେ ନିଷ୍ପତ୍ତି ନେଇଯାଇଛି । ବିଭାଗ ମଧ୍ୟ ଏଥିପାଇଁ ଅତି ଚତୁର ଖେଳ ଖେଳିଛି । ନଗର ଉନ୍ନୟନ ବିଭାଗର ଅନୁମୋଦନ ପାଇଥିବା ପଦବୀ ଗୁଡ଼ିକ ପାଇଁ ଏହା ଲାଗୁହେବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି । ପ୍ରଶ୍ନ ଉଠୁଛି ନଗର ଉନ୍ନୟନ ବିଭାଗର ଅନୁମୋଦନ କ’ଣ ? ଯେ କୌଣସି ସରକାରୀ ବିଭାଗରେ ସ୍ଥାୟୀ ହେଉ କି ଠିକା ନିଯୁକ୍ତି ହେଉ ଅର୍ଥ ବିଭାଗର ଅନୁମତି ବାଧ୍ୟତାମୂଳକ । ଅର୍ଥ ବିଭାଗର ଅନୁମତି ବିନା କୌଣସି ପଦବୀରେ ନିଯୁକ୍ତି ସମ୍ଭବ ନୁହେଁ । ଅନୁସନ୍ଧାନରୁ ଜଣାପଡ଼ିଛି ଅର୍ଥ ବିଭାଗକୁ ଅନ୍ଧାରରେ ରଖି ନଗର ଉନ୍ନୟନ ବିଭାଗ ହଜାର ହଜାର କର୍ମଚାରୀଙ୍କୁ ହୁଣ୍ଡା ମୂଲରେ ନିଯୁକ୍ତି ଦେଇଛି । ଯାହାକି ସମ୍ପୂର୍ଣ୍ଣ ବେଆଇନ । ଏହି ବେଆଇନକୁ ଆଇନର ରୂପ ଦେବା ପାଇଁ ନିର୍ଦ୍ଦେଶନାମାକୁ ନିଜ ସପକ୍ଷରେ ମୋଡ଼ିବାକୁ ଉଦ୍ୟମ କରାଯାଇଛି । ନଗର ଉନ୍ନୟନ ବିଭାଗର ଅନୁମୋଦନ ପାଇଥିବା ପଦବୀଗୁଡ଼ିକ ଗ୍ରେଡ-ପେ ପାଇବାକୁ ଯୋଗ୍ୟ ବିବେଚିତ ହେବା ଅର୍ଥ, ବିଭାଗ ଆଖିବୁଜିଆ ଯାହାକୁ ନିଯୁକ୍ତି ଦେଇଛି ସମସ୍ତେ ପାଇବେ ଗ୍ରେଡ-ପେ । ତେଣିକି ଅର୍ଥ ବିଭାଗର ଅନୁମୋଦନ ନ ଥାଉ କି ପେ-ସ୍କେଲ୍ ନ ଥାଉ ଯାଏ ଆସେ ନାହିଁ ।
ଏଭଳି ନିଷ୍ପତ୍ତି ଫାଇଲ ଉପରେ ମନ୍ତ୍ରୀ ଦସ୍ତଖତ କରିଥିଲେ ମଧ୍ୟ ବେଆଇନ କାରସାଦି ସମ୍ପର୍କରେ ଅଜ୍ଞ ଥିବା ତାଙ୍କ ଅଫିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ବିଭାଗର କିଛି ଅଫିସର ଓ କିରାଣୀ ଭଲ ଦି ପଇସା ପାଇ ଏତେବଡ଼ ବେଆଇନ କାର୍ଯ୍ୟକୁ ଆଇନରେ ପରିଣତ କରିଥିବା ସେ ମାନିଛନ୍ତି । ଏକ ବିଧିବଦ୍ଧ ରାକେଟ୍ ସକ୍ରିୟ ରହି ଏହି ଅସାଧୁ କାର୍ଯ୍ୟ କରିଛନ୍ତି । ନଗର ଉନ୍ନୟନ ବିଭାଗରୁ ଅର୍ଥ ବିଭାଗ ଯାଏଁ ଚେର ଲମ୍ବିଛି । କେବଳ କମ୍ୟୁନିଟି ଅର୍ଗାନାଇଜରଙ୍କ ଗ୍ରେଡ-ପେ ଲାଗୁ ପାଇଁ ପ୍ରାୟ କୋଟିଏ ଟଙ୍କାର କିକବ୍ୟାକ୍ ହୋଇଥିବା ଚର୍ଚ୍ଚା ହେଉଛି । ନିଜର ସ୍ୱାର୍ଥ ପାଇଁ ରାଜ୍ୟ ରାଜକୋଷକୁ କୋଟି କୋଟି ଟଙ୍କା କ୍ଷତି ପହଞ୍ଚାଇଥିବା ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି ।