ଭୁବନେଶ୍ୱର: ଡେଟିଂ(ପର୍ନ) ୱେବସାଇଟରେ ଲିଙ୍କନ୍ ସୁବୁଦ୍ଧିଙ୍କ ଫଟୋ ପୋଷ୍ଟ ମାମଲା ବିବାଦୀୟ ମୋଡ଼ ନେଇଛି । ପୁଲିସ ଦ୍ୱାରା ଗିରଫ ମିଥୁନ ସାହୁ ପ୍ରକୃତ ଅଭିଯୁକ୍ତ ନୁହେଁ ବୋଲି ଲିଙ୍କନ୍ ଚାଲେଂଜ ଦେବା ମାମଲାକୁ ଜଟିଳ କରିଛି । ଅନ୍ୟପକ୍ଷରେ ଆମୂଳଚୂଳ ଘଟଣା ଓ ଏହା ପଛର ଖଳନାୟକଙ୍କ ସମ୍ପର୍କରେ “ମିଡ଼ ଡେ ଓଡ଼ିଶା” ହାତରେ ଲାଗିଛି ସାଂଘାତିକ ସୂଚନା ।
ସମ୍ପୂର୍ଣ୍ଣ ଘଟଣାଟି ଏଭଳି । କିଛି ଦିନ ତଳେ ଡେଟିଂ ୱେବସାଇଟ୍ “ଲୋକାଣ୍ଟୋ” ରେ ଲିଙ୍କନ୍ ଙ୍କର ଏକ ଫଟୋ ଦେଖିବାକୁ ମିଳିଥିଲା । ଫଟୋ ସହ କିଛି ଅଶ୍ଲୀଳ ମନ୍ତବ୍ୟ ମଧ୍ୟ ପୋଷ୍ଟ ହୋଇଥିଲା । ଲିଙ୍କନ୍ ଏ ସମ୍ପର୍କରେ ଜାଣିଲା ପରେ ସିଧାଯାଇ ଭେଟିଥିଲେ ପୁଲିସ କମିସନର ୱାଇ.ବି.ଖୁରାନିଆଙ୍କୁ । କମିସନର ଏହାକୁ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରି ଡିସିପିଙ୍କ ସହ କଥା ହେବାକୁ ପରାମର୍ଶ ଦେଇଥିଲେ । ସେଠାରୁ ଲିଙ୍କନ୍ ଯାଇ ଡିସିପି ସତ୍ୟବ୍ରତ ଭୋଇଙ୍କୁ ଭେଟିଥିଲେ । ଡିସିପି ତୁରନ୍ତ ଏ ସମ୍ପର୍କରେ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେବାକୁ ପରାମର୍ଶ ଦେଇ ନିଜେ ଆଇଆଇସିଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲେ । ସେହି ଅନୁଯାୟୀ ଲିଙ୍କନ୍ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଲେ । ଆଇଆଇସି ଘଟଣାର ଖୋଳତାଡ଼ କଲାପରେ ଫଟୋ ପୋଷ୍ଟ କରିଥିବା ଅଭିଯୁକ୍ତଜଣଙ୍କ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କର ପୁତୁରା ବୋଲି ଜାଣିବାକୁ ପାଇଲେ । ଏହା ପରେ ମାତ୍ର
ଆଗକୁ ବଢ଼ିବାକୁ ସାହାସ କଲେ ନାହିଁ । ଓଲଟି ମାମଲାର ରଫାଦଫା ପାଇଁ ବାଟ ଉଣ୍ଡାଳିଲେ । ସେପଟେ ସଞ୍ଜୟଙ୍କ କାନକୁ କଥା ଗଲା ପରେ ସେ ବିବ୍ରତ ହୋଇପଡ଼ିଲେ । ଲିଙ୍କନ୍ ଙ୍କୁ ଟେଲିଫୋନ୍ ରେ କଥାହୋଇ ନିଜଆଡୁ ସଫେଇ ଦେଲେ । ପୁତୁରା ହୋଇଥିଲେ ବି ଦୀର୍ଘ ୩୦ ବର୍ଷ ଧରି ସମ୍ପର୍କ ନାହିଁ ବୋଲି ଜଣାଇବା ସାଙ୍ଗକୁ ଘଟଣା ପାଇଁ ଦୁଃଖ ପ୍ରକାଶ କରିଥିଲେ । ତାଙ୍କର ଓ ଦଳର ଇଜ୍ଜତ ଦୃଷ୍ଟିରୁ ମାମଲାଟିକୁ ନ ବଢ଼ାଇବାକୁ ସେ ଲିଙ୍କନ୍ ଙ୍କୁ ଅନୁରୋଧ କରିଥିଲେ ।
ତେବେ ଲିଙ୍କନ୍ ଙ୍କୁ ଏହା ପ୍ରଭାବିତ କରିପାରିଲାନି । ଅଭିଯୁକ୍ତର ଗିରଫ ପାଇଁ ଜିଦ୍ ଧରିଥିଲେ । ଗତ ଶୁକ୍ରବାର ଦିନ ସେ ସିଧା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଗୁହାରି କଲେ । ଆଉ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇ ତାଙ୍କୁ ବିଦା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ଲିଙ୍କନ୍ ଭେଟ ହେବାର କେଇ ମିନିଟ୍ ପରେ ପୁରୀ ପୁଲିସ ସଞ୍ଜୟଙ୍କ ନିର୍ବାଚନମଣ୍ଡଳୀ କୃଷ୍ଣପ୍ରସାଦ ଗାଁର ମିଥୁନ ସାହୁ ନାମକ ଜଣେ ଯୁବକକୁ ନାଟକୀୟ ଢ଼ଙ୍ଗରେ ଗିରଫ କଲା । ଲିଙ୍କନ୍ ଙ୍କ ଫଟୋ ସେ ପୋଷ୍ଟ କରିଥିଲା ବୋଲି ଦର୍ଶାଇ କୋର୍ଟ ଚାଲାଣ କଲା ।
ଚାପ କି ଡର କାରଣ ଯାହା ହଉନା କାହିଁକି, ପୁଲିସ ଏହି ଘଟଣାକୁ ଜାଣିଶୁଣି ଜଟିଳ କରିଥିବା ସ୍ପଷ୍ଟ ହୋଇଛି । ପୁଲିସ ଯେତେ ଲୁଚାଇଲେ ବି କଥା ଦାଣ୍ଡରେ ପଡ଼ ହାଟରେ ଗଡ଼ିଲାଣି । ପ୍ରଶ୍ନ ଉଠୁଛି, ସଞ୍ଜୟଙ୍କ ପୁତୁରା ଅଭିଯୁକ୍ତ ବୋଲି ଜାଣିବା ପରେ ବି ପୁଲିସ ତାଙ୍କୁ ନ ଧରି ମିଥୁନ୍ ଙ୍କୁ ଅଭିଯୁକ୍ତ ଦର୍ଶାଇ ଗିରଫ କଲା କାହିଁକି ? ମିଥୁନଙ୍କୁ ସଞ୍ଜୟଙ୍କ ପୁତୁରାର ଡମି ସଜାଇଲା କାହିଁକି ? ଗିରଫ ମିଥୁନ୍ ବି ସଂଜୟଙ୍କ ପିଲା ହୋଇଥିବାରୁ ତାଙ୍କୁ ଡମି କରିବା ପଛରେ କାହାର ହାତ ଅଛି ତାହା ଏବେ ରହସ୍ୟମୟ ହୋଇଛି । ଲିଙ୍କନ୍ ସୁବୁଦ୍ଧି ଖାଲି ଜଣେ ମହିଳା ନୁହଁନ୍ତି । ସମାଜସେବୀ ଓ ବିଜେଡ଼ିର ସକ୍ରିୟ ନେତ୍ରୀ । ପ୍ରଭାବଶାଳୀ ସଞ୍ଜୟ ଦାସବର୍ମାଙ୍କ ପୁତୁରାଙ୍କୁ ଆଖିରେ ରଖି ପୁଲିସ ଲିଙ୍କନ୍ ଙ୍କ ଇଜ୍ଜତକୁ ତୁଚ୍ଛ ମଣିବାକୁ ଲୋକେ ଛିଛାକର କରୁଛନ୍ତି ।