ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଥେରୁବାଲିଠାରେ ଥିବା ଇମ୍ଫା କମ୍ପାନୀ ସମ୍ମୁଖରେ କମ୍ପାନୀର ଠିକା କର୍ମଚାରୀ ଓ ସ୍ଥାନୀୟ ଅଧିବାସୀଙ୍କ ତାଲାବନ୍ଦ ଆନ୍ଦୋଳନ ହିଂସା ମୋଡ଼ ନେଇଛି । ଆନ୍ଦୋଳନକାରୀମାନେ ଆଜି କମ୍ପାନୀରେ ଭଙ୍ଗାରୁଜା କରିଛନ୍ତି । ଦିନ ୨ଟା ସୁଦ୍ଧା ୯ ଦଫା ଦାବି ପୂରଣ ପାଇଁ ପଦକ୍ଷେପ ନେବାକୁ ସେମାନେ ଡେଡଲାଇନ୍ ଦେଇଥିଲେ । ନଚେତ୍ ଆଇନଶୃଙ୍ଖଳାକୁ ନିଜ ହାତକୁ ନେବେ ବୋଲି ଚେତାବନୀ ଦେଇଥିଲେ । ନିର୍ଦ୍ଧାରିତ ସମୟ ପୂରି ଯାଇଥିଲେ ମଧ୍ୟ ପ୍ରଶାସନ କିମ୍ବା କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କ ସହ ଆଲୋଚନା ନ କରିବାରୁ ଆନ୍ଦୋଳନକାରୀମାନେ ଉତ୍ତ୍ୟକ୍ତ ହୋଇ ଭଙ୍ଗାରୁଜା କରିଥିଲେ । ସେପଟେ ଠିକା କର୍ମଚାରୀ ଓ ସ୍ଥାନୀୟ ଅଧିବାସୀମାନେ ନିଜ ଅଧିକାର ପାଇଁ ଆନ୍ଦୋଳନ କରୁଥିବା ବେଳେ ଇମ୍ଫା କର୍ତ୍ତୃପକ୍ଷ ତାହାକୁ ରାଜନୈତିକ ଷଡ଼ଯନ୍ତ୍ରର ରଙ୍ଗ ଦେବାକୁ ଉଦ୍ୟମ କରୁଥିବାରୁ ଆନ୍ଦୋଳନ କାରୀମାନେ ଅଧିକ ତାତି ଯାଇଛନ୍ତି । ଆଗକୁ ପରିସ୍ଥିତି ଭୟାବହ ହେବ ବୋଲି ଚେତାବନୀ ଦେଇଛନ୍ତି ।
କମ୍ପାନୀର ଠିକା କର୍ମଚାରୀଙ୍କ ସହ ସ୍ଥାନୀୟ ଲୋକେ ଗତ ୨୩ ତାରିଖରୁ କମ୍ପାନୀ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଆରମ୍ଭ କରିଛନ୍ତି । ସେମାନଙ୍କ ମଧ୍ୟରେ ଅଧିକାଂଶ ଆଦିବାସୀ ମହିଳା ଅଛନ୍ତି । କମ୍ପାନୀର ସବୁ ଗେଟ୍ ତାଲା ପକାଇ କାରଖାନା ଅଚଳ କରିଦେଇଛନ୍ତି । ସେମାନଙ୍କର ୯ଟି ଦାବି ମଧ୍ୟରେ ରହିଛି କମ୍ପାନୀରେ ସ୍ଥାନୀୟ ଶିକ୍ଷିତ ବେକାର ଯୁବକଙ୍କୁ ନିଯୁକ୍ତି, ସ୍ଥାନୀୟ ଅଶିକ୍ଷିତ ଅଧିବାସୀଙ୍କ ପାଇଁ ଶିକ୍ଷା, ସିଏସଆର୍ ଦାୟିତ୍ୱ ନିର୍ବାହ, ଠିକା କର୍ମଚାରୀଙ୍କୁ ସର୍ବନିମ୍ନ ମଜୁରି, ଚାକିରି ନିରାପତ୍ତା, ସ୍ଥାନୀୟ ଅଞ୍ଚଳର ବିକାଶ ।
ଆନ୍ଦୋଳନକାରୀଙ୍କ ନେତା ହରପ୍ରସାଦ ଆପ୍ରକା କହିଛନ୍ତି, ଇମ୍ଫା କର୍ତ୍ତୃପକ୍ଷ ବର୍ଷ ବର୍ଷ ଧରି ସ୍ଥାନୀୟବାସୀଙ୍କୁ ଶୋଷଣ କରୁଛନ୍ତି । ବାହାର ଲୋକଙ୍କୁ ସ୍ଥାୟୀ ନିଯୁକ୍ତି ଦେଇଥିବା ବେଳେ ସ୍ଥାନୀୟ ନିରୀହ ଆଦିବାସୀମାନଙ୍କୁ ବହୁତ କମ୍ ପଇସାରେ ଠିକା ଶ୍ରମିକ ନିଯୁକ୍ତି ଦେଇ ଗୋତି ଖଟାଉଛନ୍ତି । ସିଏସଆର କାର୍ଯ୍ୟକ୍ରମ ଆଦୌ ନାହିଁ । ଅଞ୍ଚଳରେ ରାସ୍ତାଘାଟ, ଗମାନଗମନ, ଶିକ୍ଷା,ସ୍ୱାସ୍ଥ୍ୟ ସେବାର ସୁବିଧା କରୁନାହାନ୍ତି । ବର୍ଷ ବର୍ଷ ଧରି ଏଭଳି ଶୋଷଣ ପଛରେ ପ୍ରଶାସନର ସହଯୋଗ ରହିଥିବା ସେ ଅଭିଯୋଗ କରିଛନ୍ତି । ଇମ୍ଫାର ଅନ୍ୟତମ ମାଲିକ ବୈଜୟନ୍ତ ପଣ୍ଡା ବିଜେଡ଼ି ସାଂସଦ ଥିବାରୁ ଶାସନକଳକୁ ହାତରେ ରଖି ଲୋକଙ୍କୁ ଶୋଷଣ କରୁଥିଲେ । ଅନ୍ୟାୟ ଅସହ୍ୟ ହେବାରୁ ରାୟଗଡ଼ା ଜିଲ୍ଲାର ତିନିଟି ବ୍ଲକ୍ ର ଆଦିବାସୀମାନେ ସ୍ୱତଃପ୍ରବୃତ୍ତ ହୋଇ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଆଦିବାସୀଙ୍କୁ ନ୍ୟାୟ ଏବଂ ସେମାନଙ୍କର ନ୍ୟାଯ୍ୟ ଅଧିକାର ମିଳିଲା ପର୍ଯ୍ୟନ୍ତ ଏ ଆନ୍ଦୋଳନ ଚାଲିବ ବୋଲି ସେ ଚେତାବନୀ ଦେଇଛନ୍ତି ।
ଆଉ ଜଣେ ଆନ୍ଦୋଳନକାରୀ ନେତା ଜିତୁ ଜାକାସିକା କହିଛନ୍ତି, ନ୍ୟାୟ ପାଇଁ ସଂଗ୍ରାମରତ ଠିକା କର୍ମଚାରୀଙ୍କୁ ୨୦ ବର୍ଷ ହେଲା ଡିଏ ବନ୍ଦ କରିଦିଆଯାଇଛି । ଯେଉଁମାନେ ଆଇନର ଆଶ୍ରୟ ନେଇଛନ୍ତି ସେମାନଙ୍କୁ ମାମଲା ପ୍ରତ୍ୟାହାର ପାଇଁ ଧମକ ଦିଆଯାଉଛି । କମ୍ପାନୀ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୀର୍ଘ ବର୍ଷର ଅସନ୍ତୋଷ ଏବେ ବିସ୍ଫୋରକ ମୋଡ଼ ନେଇଛି । ଆନ୍ଦୋଳନ ପାଇଁ ନୋଟିସ୍ ଦେଇଥିଲେ ମଧ୍ୟ କର୍ତ୍ତୃପକ୍ଷ ତାହାକୁ ହେୟଜ୍ଞାନ କରିଛନ୍ତି । ଆଲୋଚନା ପାଇଁ କେହି ଆସୁନାହାନ୍ତି । ଏଭଳିସ୍ଥିତିରେ ପରିଣାମ ଯାହା ହେବ ସେଥିପାଇଁ କମ୍ପାନୀ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ଜିତୁ ଚେତାବନୀ ଦେଇଛନ୍ତି ।
ସେପଟେ ଇମ୍ଫାର ଅନ୍ୟତମ ଅଂଶୀଦାର ବୈଜୟନ୍ତ ପଣ୍ଡା ନିକଟରେ ବିଜେଡ଼ିରୁ ନିଲମ୍ବିତ ହୋଇଥିବାରୁ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ଆନ୍ଦୋଳନକୁ ଷଡ଼ଯନ୍ତ୍ରର ରୂପ ଦେବାକୁ ଉଦ୍ୟମ କରିବା ଦୁର୍ଭାଗ୍ୟଜନକ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି । ବୈଜୟନ୍ତ ପଣ୍ଡାଙ୍କ ଚାନେଲ ପ୍ରତିନିଧି ଆନ୍ଦୋଳନସ୍ଥଳକୁ ଆସି ନିଜ ସପକ୍ଷରେ ଲୋକଙ୍କଠାରୁ ବାଇଟ୍ ନେବାକୁ ଉଦ୍ୟମ କରୁଥିବା ସେମାନେ ଅଭିଯୋଗ କରିଛନ୍ତି । ତେବେ ନ୍ୟାୟ ପାଇଁ ଲଢ଼େଇ କରୁଥିବା ନିରୀହ ଆଦିବାସୀଙ୍କୁ ରାଜନୀତିର ପଶାପାଲିରେ କଣ୍ଢେଇ କରିବା ଉଦ୍ୟମରୁ ଇମ୍ଫା କର୍ତ୍ତୃପକ୍ଷ ନିବୃତ୍ତ ରହନ୍ତୁ ନଚେତ୍ ରାୟଗଡ଼ା ଅଞ୍ଚଳବାସୀ ଏହାର ଉଚିତ୍ ଜବାବ ଦେବେ ବୋଲି ସେମାନେ କହିଛନ୍ତି ।
ପରିସ୍ଥିତି ଅଣାୟତ୍ତ ହେଉଥିଲେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ ବି ନିଜ ଜିଦ୍ ରୁ ହଟୁନାହାନ୍ତି । ପ୍ରଶାସନ ଉପସ୍ଥିତିରେ ଆମେ ଆଲୋଚନା କରିବୁ ବୋଲି କହି ସମୟ ଟାଳି ଚାଲିଛନ୍ତି ।