ଭୁବନେଶ୍ୱର: ବିଜେଡ଼ିରେ ୬ ଘଣ୍ଟିଆ ଅବଧିରୁ ରାଜ୍ୟସଭା ଯାଇଥିବା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କର ଏବେ ବାଉଳା ଅବସ୍ଥା । ବଡ଼ଭାଇ ନିରଞ୍ଜନ ପଟ୍ଟନାୟକ ରାଜ୍ୟ କଂଗ୍ରେସର ମଙ୍ଗୁଆଳ ହେଲା ପରେ ଖୁସି ତ ହୋଇଛନ୍ତି ହେଲେ ଦ୍ୱନ୍ଦରେ ବି ପଡ଼ିଛନ୍ତି । ନିରଞ୍ଜନ ଲଢ଼ିବେ ବିଜେଡ଼ି ଓ ନବୀନ ପଟ୍ଟନାୟକଙ୍କ ସହ । ଫୁଲ୍ ଜୋସ୍ ରେ ଦିଲ୍ଲୀରୁ ଆସିଛନ୍ତି । ଏଣେ ବିଜେଡ଼ିକୁ ଝଡ଼ ଭଳିଆ ଆସି ଏକାଥରେ ଦିଲ୍ଲୀ ଗାଦି ପାଇଥିବା ଭାଇ ସୌମ୍ୟ ବି କିଛି କମ୍ ଜୋସ୍ ରେ ନାହାନ୍ତି । ଏତେ ଉତ୍ସାହିତ ଯେ ରାଜ୍ୟସଭାକୁ କିଏ ଯିବେ ନ ଯିବେ ସ୍ଥିର କଲେଣି । ଦଳୀୟ ଫୋରମ୍ ରେ ମହାନଦୀ ଭାଷଣ ଦେଲାବେଳେ ନିଜକୁ କୁଆଡ଼େ ବିଜେଡ଼ି ମୁଖିଆ ଭାବିଦେଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାଟି ପାଇଁ ଲଢ଼ିବାକୁ ଚାହିଁଲେ ସେ ତାଙ୍କୁ ରାଜ୍ୟସଭା ଆସନ ଛାଡ଼ିଦେବେ ବୋଲି ସୌମ୍ୟ କହିଥିଲେ । ଯିଏ ରାଜ୍ୟସଭା ଗାଦି ଲୋଭରେ ନିଜର ନୈତିକତା, ସ୍ୱାଭିମାନକୁ ବଳିଦେଇପାରିଲେ ସେହି ବ୍ୟକ୍ତି ରାଜ୍ୟର ସ୍ୱାର୍ଥ କଥା କହି ରାଜ୍ୟସଭା ଆସନ ଛାଡ଼ିଦେବାକୁ ଆହ୍ୱାନ ଦେଉଥିବା ଶୁଣି ଜାଣିବା ଶୁଣିବା ଲୋକେ ଲଜ୍ଜାରେ ମୁଣ୍ଡ ନୂଆଁଇ ଦେଇଛନ୍ତି ।
ତେବେ ସେ ଯାହା ହେଉ, ଦୁଇଭାଇ ନିରଞ୍ଜନ(ପୁତୁଲୁ) ଓ ସୌମ୍ୟରଞ୍ଜନ(ବାବୁଲା)ଙ୍କ ସମ୍ଭାବ୍ୟ ରାଜନୈତିକ ଲଢ଼େଇ ଦେଖିବାକୁ ଓଡ଼ିଶାବାସୀଙ୍କ ଉକ୍ରଣ୍ଠା ବଢ଼ିଛି । ଭାଇ ଭାଇ ଭିତରେ ରାଜନୈତିକ ଲଢ଼େଇ କିଛି ନୂଆ କଥା ନୁହେଁ । ହେଲେ କଣ୍ଟାଟି ହୋଇଛି ‘ସମ୍ବାଦ’ ଓ ‘କନକ ଟିଭି’ । ନିଜ ଖବରକାଗଜ ଓ ଟିଭିରେ ବଡ଼ଭାଇ ପୁତୁଲୁଙ୍କ ମୁହଁକୁ ଶ୍ରଦେ୍ଧୟ ସାନଭାଇ ବାବୁଲା ଚାହିଁବେ ତ ? ବଡ଼ଭାଇ ନବୀନ ପଟ୍ଟନାୟକଙ୍କୁ ଗାଳି କଲେ ନିଜ ଖବରକାଗଜରେ ତାକୁ ପ୍ରାଧାନ୍ୟ ଦେବେ ତ ? ସେଭଳି ବଡ଼ଭାଇଙ୍କୁ ବିଜେଡ଼ି ଟାର୍ଗେଟ୍ କଲେ ଶ୍ରଦେ୍ଧୟ ବାବୁଲା ତାକୁ ପ୍ରାଧାନ୍ୟ ଦେଇ ଛାପିବେ ତ ?
ନିରଞ୍ଜନ ସଭାପତି ହେଲା ପରଠୁ ସୌମ୍ୟଙ୍କ କାଗଜ ଓ ଟିଭି କଂଗ୍ରେସର ଖବରକୁ ସ୍ୱାଭାବିକ ଭାବେ ଗୁରୁତ୍ୱ ଦେଉଛି । ନିରଞ୍ଜନଙ୍କ ଭାଷଣ ଛପାଇବାରେ ଫାଳ ଫାଳ ଉଡ଼ାଇ ଦେଉଛି । ତେବେ ତାଙ୍କ ପାଇଁ ଅନୁଷ୍ଠିତ ସମ୍ବର୍ଦ୍ଧନା ଅଭିଭାଷଣରେ ନିରଞ୍ଜନ ୧୮ ବର୍ଷର ବିଜେଡ଼ି ଶାସନକୁ ସମାଲୋଚନା କରି ଟ୍ରେଲର୍ ସୋ ଦେଖାଇଛନ୍ତି । ଆଗକୁ ଫୁଲ୍ ସୋ ହେବ । ଏମିତିରେ ‘ସମ୍ବାଦ’ ଖବରକାଗଜଟି ପଟ୍ଟନାୟକ ପରିବାର ପାଇଁ ଏକମାତ୍ର ମୂଲ୍ୟବାନ ସମ୍ବଳ । ସେହି କାଗଜକୁ ଆୟୁଧ କରି ନିରଞ୍ଜନ ତାଙ୍କର ପଲିଟିକ୍ସ ଖେଳୁଥିବା ବେଳେ ସୌମ୍ୟ ସେହି ଖବରକାଗଜ ତାକତ୍ ରେ ସିଧା ରାଜ୍ୟସଭା ପଳେଇଲେ । ତେବେ ନିରଞ୍ଜନ ପଟ୍ଟନାୟକଙ୍କୁ ଅଲୋଡ଼ା କି ଅବଜ୍ଞା କରିବାକୁ ‘ସମ୍ବାଦ’ ର ଯେ ଜୁ’ ନାହିଁ ସେକଥା ସମସ୍ତେ ଜାଣନ୍ତି । ଏମିତିରେ କଂଗ୍ରେସ ଖବର କେମିତି ଯିବ, କ’ଣ ଲେଖାହେବ ତାହା ଊଣାଅଧିକେ ନିରଞ୍ଜନ ସ୍ଥିର କରନ୍ତି । ଏବେ ପ୍ରିୟ ସାନଭାଇ ତାଙ୍କୁ ଯେ ରୋକିପାରିବେ ତାହା ବିଲକୁଲ ସମ୍ଭବ ନୁହେଁ ।
ସେପଟେ, କିଛି ବର୍ଷ ହେଲା ବିଜେପିକୁ ବିଜେଡ଼ି ମୁଖ୍ୟଶତ୍ରୁ ଭାବିଥିବାରୁ କଂଗ୍ରେସ ଦଳର ଗୁରୁତ୍ୱ ନଥିଲା । ମାତ୍ର ଏବେ ସେ ପରିସ୍ଥିତି ନାହିଁ । ନିରଞ୍ଜନ କଂଗ୍ରେସ ସଭାପତି ଦାୟିତ୍ୱ ନେବା ପରଦିନ ବିଜେଡ଼ି ଏକ ଜରୁରୀ ବୈଠକ କରି ଦଳର ରଣନୀତି ବଦଳାଇଛି । ବିଜେପି ସହ କଂଗ୍ରେସକୁ ସମାନ ଭାବେ ଆଟାକ୍ ଓ କାଉଣ୍ଟର ଆଟାକ୍ କରିବାକୁ ସ୍ଥିର କରିଛି । ଏହା ସତ ଯେ ବିଜେଡ଼ି ନିଶାନାରୋ ବିଜେପି ପଟୁ ଧର୍ମେନ୍ଦ୍ର ପ୍ରଧାନ ରହିଥିବା ବେଳେ କଂଗ୍ରେସ ପଟୁ ନିରଞ୍ଜନ ପଟ୍ଟନାୟକ ହେବେ ନିଶାନା । କଂଗ୍ରେସ ବିରୋଧରେ ପଟ୍ଟନାୟକ ପରିବାରର ଦୁର୍ନୀତି ଏକ ଜବରଦସ୍ତ ପ୍ରସଙ୍ଗ ହୋଇ ରହିଥିବାରୁ ବିଜେଡ଼ି ତାକୁ ଯଦି ଧରେ ସୌମ୍ୟ କେମିତି ସମ୍ଭାଳିବେ ଦେଖିବାର କଥା । ବଡ଼ଭାଇ ଓ ତାଙ୍କ ଦଳ ବିରୋଧରେ ବିଜେଡ଼ିର ସ୍ୱରକୁ ସାନଭାଇ ତାଙ୍କ ଖବରକାଗଜରେ ନେବେ ତ ?
ସୌମ୍ୟଙ୍କୁ ବିଜେଡ଼ି ଆପଣେଇବା ପଛର ମୁଖ୍ୟ କାରଣ ହେଉଛି ତାଙ୍କ ଖବରକାଗଜ ଓ ଟିଭି । ବୈଜୟନ୍ତ ପଣ୍ଡାଙ୍କ ହାତ ଛାଡ଼ିଥିବାରୁ ସୌମ୍ୟଙ୍କ ହାତରେ ଥିବା ଦୁଇ ଦୁଇଟି ମିଡ଼ିଆକୁ ବିଜେଡ଼ି ଭରସା କରିଛି । ରାଜ୍ୟସଭା ଆସନ ଖଣ୍ଡିକ ପାଇଁ ସୌମ୍ୟ ବି ଏହି ସର୍ତ୍ତରେ ବିଜେଡ଼ି ପ୍ରତି ଲାଳାୟିତ ହୋଇଛନ୍ତି । ଯଦି ସୌମ୍ୟ ତାଙ୍କ ପ୍ରତିଶ୍ରୁତି ପୂରଣ ନ କରନ୍ତି ? ବଡ଼ଭାଇଙ୍କ ସ୍ୱାର୍ଥକୁ ଆଖିରେ ରଖନ୍ତି ? ରାଜନୈତିକ ମହଲର ବିଚାର ଅନୁଯାୟୀ ସୌମ୍ୟଙ୍କୁ ଆକଳନ କରିବା କିମ୍ବା ତାଙ୍କୁ ଭରସା କରିବା ସମ୍ପୂର୍ଣ୍ଣ ଭାବେ ମୁର୍ଖାମୀ । ରାଜ୍ୟସଭାକୁ ଯାଇସାରିଥିବାରୁ ସେ ଯେ ବିଜେଡ଼ି ବୋଲରେ ରହିବେ ତାହାକୁ କେହି ବିଶ୍ୱାସ କରୁନାହାନ୍ତି । ‘ସମ୍ବାଦ’ କି ‘କନକ ଟିଭି’ ଉପରେ ତାଙ୍କର ଏକଚାଟିଆ ଅଧିକାର ନାହିଁ । ବ୍ୟବସାୟିକ ଦୃଷ୍ଟିକୋଣରୁ ବଡ଼ଭାଇ ନିରଞ୍ଜନଙ୍କର ବି ଯଥେଷ୍ଟ ପ୍ରଭାବ ରହିଛି । ତେଣୁ ଆଗାମୀ ଦିନରେ ଏହା ସୌମ୍ୟଙ୍କ ପାଇଁ ନିଶ୍ଚିତ ଅଡୁଆ ସୃଷ୍ଟି କରିବ ବୋଲି କୁହାଯାଉଛି ।