ଚୌଦ୍ୱାର (ମିଡ-ଡେ ଓଡ଼ିଶା): ଶାସକ ଦଳର ପ୍ରଭାବଶାଳୀ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପାଇଁ ସରକାରୀ ଦଳ ଓ କଳର ନିବିଡ଼ ପ୍ରେମରେ ଆଉ ଏକ ଫର୍ଦ୍ଦ ଯୋଡି ହୋଇଛି । ଚୌଦ୍ୱାର ମ୍ୟୁନିସିପାଲିଟି ଅଧୀନରେ ଥିବା ବୈଜୟନ୍ତଙ୍କ ଇମ୍ଫା କମ୍ପାନୀ ରାଜକୋଷକୁ ପୁଣି ପଟିମାରିଛି ୫୦ ଲକ୍ଷ ଟଙ୍କା । ମ୍ୟୁନିସିପାଲିଟି ଟିକସ ବାବଦକୁ କମ୍ପାନୀ ଉପରେ ୧୦ ବର୍ଷର ଏହି ଦେୟକୁ ଫାଙ୍କି ଦେଇଛି ଇମ୍ଫା । ବିଭିନ୍ନ୍ନ ଆଳରେ କମ୍ପାନୀ ଏହି ଟଙ୍କା ଫାଙ୍କି ଚାଲିଛି । ମ୍ୟୁନିସିପାଲିଟିର ବାରମ୍ବାର ତାଗିଦ୍ ସତ୍ତ୍ୱେ କେତେବେଳେ କୋର୍ଟ ତ ଆଉ କେତେବେଳେ ସରକାରୀ ନାଲିଫିତା ଦେଖାଇ ରାଜ୍ୟ ରାଜକୋଷକୁ ଚୂନ ମାରିଛି କମ୍ପାନୀ । ରାଜ୍ୟବାସୀଙ୍କ ପଇସାକୁ ଏଭଳି ଲୁଟିବାର ଅଭ୍ୟାସ ବୋଧହୁଏ ସଂସ୍ଥା ପାଇଁ ଦେହସୁହା ହୋଇଯାଇଛି ।
ଇମ୍ଫା ରାଜକୋଷକୁ କେମିତି ପଟି ମାରିଛି ତାହାର ଏକ ନିଚ୍ଛକ ତଥ୍ୟ ଲାଗିଛି ମିଡ-ଡେ ଓଡ଼ିଶା ହାତରେ । ଖୋଦ୍ ସରକାରୀ ଦଳ ଏଥିପାଇଁ ଇମ୍ଫାକୁ ହୃଦୟଭରା ସହଯୋଗ ଦେଇଛି । ଗତ ୮ ତାରିଖରେ ଚୌଦ୍ୱାର ମ୍ୟୁନିସିପାଲ୍ କାଉନସିଲ୍ ଅଫିସ ଚିଠି ନମ୍ବର ୬୩୭ରେ ଇମ୍ଫା ଦ୍ୱାରା ୫୦ ଲକ୍ଷ ରଫାଦଫାର ଇତିହାସ ଖୋଲି ହୋଇଯାଇଛି । ଇମ୍ଫାର ଟିକସ ଫାଙ୍କି ଫର୍ମୂଲା ଏଥିରେ ଧରାପଡ଼ିଛି ।
ମୂଳରୁ ଶେଷ ଯାଏଁ ଘଟଣା ଏଭଳି । ଚିଠି ନମ୍ବର ୬୯୬/ତାରିଖ ୧୩.୦୨.୨୦୧୫ରେ ଚୌଦ୍ୱାର ମ୍ୟୁନିସିପାଲିଟି ଏକଜ୍ୟୁଟିଭ ଅଫିସର ଇମ୍ଫା କମ୍ପାନୀର ଭାଇସ୍ ପ୍ରେସିଡେଣ୍ଟଙ୍କୁ ବକେୟା ପ୍ରାୟ ୧୦ ବର୍ଷର ଲାଇସେନସ୍ ଫି ପୈଠ ପାଇଁ ଚିଠି ଲେଖିଥିଲେ । ହାଇକୋର୍ଟଙ୍କ ନିଷ୍ପତିକ୍ରମେ ୨୦୧୪-୧୫ ସୁଦ୍ଧା ବକେୟା ୪୫,୩୧,୪୯୩ ଟଙ୍କା ପୈଠ ପାଇଁ ଏହି ଚିଠିରେ କୁହାଯାଇଥିଲା । ମାତ୍ର ପରଦିନ ଅର୍ଥାତ୍ ୧୪.୦୨.୨୦୧୫ରେ ଇମ୍ଫା ଜବାବରେ ମାମଲା ବିଚାରାଧୀନ ଥିବା ଦର୍ଶାଇ ମ୍ୟୁନିସିପାଲିଟିକୁ ଅଧିକ ସମୟ ମାଗିଥିଲା । ଦୁଇଦିନ ପରେ ୧୬.୦୨.୨୦୧୫ ରେ ଚୌଦ୍ୱାର ମ୍ୟୁନିସିପାଲିଟି ପୁଣି ଏକ ଚିଠି(ନମ୍ବର ୭୪୪) ଲେଖିଲା ଇମ୍ଫା କର୍ତ୍ତୃପକ୍ଷଙ୍କୁ । ସ୍ପଷ୍ଟ କରାଯାଇଥିଲା କି ମାମଲାଟି କୋର୍ଟରେ ୦୩.୧୨.୨୦୧୪ ରୁ ଫୈସଲା ହୋଇସାରିଛି । କୋର୍ଟଙ୍କ ନିର୍ଦ୍ଦେଶମତେ ସବୁତକ ବକେୟା ଦେୟ ଅର୍ଥାତ୍ ୪୫,୩୧,୪୯୩ ଟଙ୍କା ମ୍ୟୁନିସିପାଲିଟିରେ ଦାଖଲ କରିବାକୁ ପଡ଼ିବ । ତେବେ ଇମ୍ଫା କର୍ତ୍ତୃପକ୍ଷ ଏହାକୁ ଗାଲୁ ମାରିଥିଲେ ଏବଂ ମାମଲାଟି ହାଇକୋର୍ଟରେ ବିଚାରାଧୀନ ଥିବା ଦାବି କରି ଟଙ୍କା ପୈଠ କରି ନ ଥିଲେ ।
୪ ମାସ ପରେ ପୁନର୍ବାର ଗତ ୨୭.୦୬.୨୦୧୫ ରେ ଚୌଦ୍ୱାର ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଇମ୍ଫାକୁ ଆଉ ଏକ ଡିମାଣ୍ଡ ନୋଟିସ୍ ଜାରି କଲେ । ଯାହାର ଚିଠି ନମ୍ବର ଥିଲା ୨୨୫୨ । ସେଥିରେ ୨୦୧୫-୧୬ ସୁଦ୍ଧା ଏରିଅର୍ ସହ ସମୁଦାୟ ୪୭,୫୯,୧୭୯ ଟଙ୍କା ପୈଠ କରିବାକୁ କୁହାଯାଇଥିଲା । ବାର୍ଷିକ ୨,୨୭,୬୮୬ ଟଙ୍କା ହିସାବରେ ଲାଇସେନସ୍ ଫି ଧାର୍ଯ୍ୟ କରାଯାଇ ଇମ୍ଫାଠାରୁ ଏହି ପାଉଣା ହିସାବ କରାଯାଇଥିଲା । ମାତ୍ର ମ୍ୟୁନିସିପାଲିଟିର ବାରମ୍ବାର ନୋଟିସ୍କୁ ଇମ୍ଫା ଖାତିର କଲାନାହିଁ ।
ଆଶ୍ୱର୍ଯ୍ୟର କଥା, ପ୍ରଶାସନକୁ ବେଖାତିର କରି ଟିକସ ଫାଙ୍କି ଚାଲିଥିବା ଇମ୍ଫାକୁ ଇତିମଧ୍ୟରେ ଅନୁଗ୍ରହ ଦେଖାଇବା ପାଇଁ ବିଜେଡ଼ି ଦ୍ୱାରା ଗଠିତ ଚୌଦ୍ୱାର ମ୍ୟୁନିସିପାଲିଟି ଏକ ଚାଲ୍ ଖେଳିଛନ୍ତି । ଗତ ୩୦.୦୬.୨୦୧୫ ରେ ମ୍ୟୁନିସିପାଲିଟିର ସାଧାରଣ ଅଧିବେସନ ଡକାଯାଇ ଇମ୍ଫାକୁ ସୁରକ୍ଷା ଦେବାର ବାଟ ଖୋଲାଯାଇଛି । ଇମ୍ଫାକୁ ବାର୍ଷିକ ୧ ଲକ୍ଷ ଟଙ୍କା ଛାଡ଼ ପାଇଁ ପୌରପାଳିକା ବୈଠକରେ ସର୍ବସମ୍ମତି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଅର୍ଥାତ୍ ୨,୨୭,୬୮୬ ଜାଗାରେ ଇମ୍ଫା ଦେବ ୧,୨୭,୬୮୬ ଟଙ୍କା । ସାଂଘାତିକ ତଥ୍ୟ ହେଉଛି, ଇମ୍ଫା ବାର୍ଷିକ ୨,୨୭,୬୮୬ ଟଙ୍କା ଜାଗାରେ ମାତ୍ର ୬,୨୫୦ ଟଙ୍କା ପୈଠ କରୁଥିବା ଖୋଦ୍ ପୌରପାଳିକା ମାନିଛି । ତେବେ ବିଜେଡ଼ି ଶାସିତ ଏହି ପୌରପାଳିକା ଇମ୍ଫାକୁ ଦରଦ ଦେଖାଇବାକୁ ଅନ୍ଧ ହୋଇଯାଇଛି । ଟିକସ ଫାଙ୍କିବାକୁ ବାରମ୍ବାର କୋର୍ଟର ଆଶ୍ରୟ ନେଉଥିବା ଇମ୍ଫା ପାଇଁ ଆଖିରୁ ଲୁହ ଗଡ଼ାଇଛନ୍ତି ସଂଖ୍ୟାଗରିଷ୍ଠ ବିଜେଡ଼ି କାଉନସିଲର୍ । ଇମ୍ଫା ବକେୟା ଦେୟର ଆଶୁ ସମାଧାନ କଥା ଦର୍ଶାଯାଇ ତାକୁ ବାର୍ଷିକ ୧ ଲକ୍ଷ ଟଙ୍କା ଛାଡ଼ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ଏଠାରେ ସୂଚନାଯୋଗ୍ୟ ଯେ ବିଭିନ୍ନ ବ୍ୟାଙ୍କର ଋଣ ଖିଲାପୀ ତାଲିକାରେ ଥିବା ଦେଶର ୧୬୦ ଜଣ ଚର୍ଚ୍ଚିତ ଚେହେରା ମଧ୍ୟରେ ଅଛନ୍ତି ଇମ୍ଫା ମାଲିକ । ତାଙ୍କୁ ଓଡ଼ିଶାର ବିଜୟ ମାଲ୍ୟା କୁହାଯାଉଛି । ରାଜ୍ୟରେ ନିଜ ସାମ୍ରାଜ୍ୟର କାର୍ଯ୍ୟକଳାପ ବି ରାଜ୍ୟବାସୀଙ୍କ ଛାତି ଥରାଇ ଦେଉଛି । ସିଧାସଳଖ କହିଲେ, ଓରଟେଲ୍ କେବୁଲ୍ ସଂସ୍ଥା ଜରିଆରେ ସାଧାରଣ ଲୋକଙ୍କୁ ଶୋଷୁଛନ୍ତି ପଣ୍ଡା କମ୍ପାନୀ । ବିନା ସର୍ଭିସ୍ରେ ଲୋକଙ୍କ ତଣ୍ଟିଚିପି ପଇସା ଟାଣିନେଉଛି ସଂସ୍ଥା । ମାସକର ବାକିଆ ବିଲ୍ କୁ ଗୁଣ୍ଡା ଲଗାଇ ଆଦାୟ କରିବାକୁ ବି ପଛାଉନାହାନ୍ତି ଓରଟେଲ୍ କର୍ତ୍ତୃପକ୍ଷ । କିନ୍ତୁ ହଜାର ହଜାର କୋଟି ଟଙ୍କାର ବେପାର କରୁଥିବା ମୂଳ ସଂସ୍ଥା ଇମ୍ଫା ନିଜର ପ୍ରଭାବ ବଳରେ ରାଜ୍ୟ ସରକାରଙ୍କୁ ଟିକସ ଫାଙ୍କିବା ନିଶାରେ ମୂଳରୁ ପଡ଼ିଛନ୍ତି ।
ଅତୀତରେ ସରକାରଙ୍କଠାରୁ ୨୨୦୦ କୋଟି ଟଙ୍କାର ଟିକସ ଛାଡ଼ ପାଇ ବି ମନ ଶାନ୍ତି ହୋଇନି । ରାଜଧାନୀରେ କେବୁଲ୍ ବିସ୍ତାର ପାଇଁ ଓରଟେଲ୍ ସଂସ୍ଥା ବିଏମସିର ସବୁ ପୋଲ୍ ବ୍ୟବହାର କରୁଥିଲେ ମଧ୍ୟ ମାସକୁ ପାଉଣା ଦେଉଛି ମାତ୍ର ୧୦ ହଜାର ଟଙ୍କା । ସେତିକି ବି ବର୍ଷ ବର୍ଷ ଧରି ପୈଠ କରୁନାହିଁ । ଆଉ ଏବେ ଚୌଦ୍ୱାର ମ୍ୟୁନିସିପାଲିଟିକୁ ନିଜ ପ୍ରଭାବ ବଳରେ ନଚାଇ ଟିକସ ଫାଙ୍କିବା ପ୍ରଭାବଶାଳୀ ବୈଜୟନ୍ତଙ୍କ ପାଇଁ ନୂଆ କଥା ହୋଇନାହିଁ । ଓଡ଼ିଶାର ସ୍ୱାଭିମାନୀ ଗରିବ ଜନସାଧାରଣ ଏକଥା ଶୁଣି ଲଜ୍ଜାରେ ମୁହଁ ପୋତୁଥିବେ । ମାତ୍ର ଗରିବଙ୍କ ପେଟରେ ନାତମାରି ରାଜକୋଷ ଲୁଟୁଥିବା ବଡ଼ବଡ଼ିଆଙ୍କଠାରୁ ଲଜ୍ଜା କି ସ୍ୱାଭିମାନ ଆଶା କରିବା ବି ଲଜ୍ଜାର କଥା ।