ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ମୂଳ ପାଜେରୋ ଓଆର ୨୯-୦୦୦୧ର ରେଜିଷ୍ଟ୍ରେସନ୍ ତଥ୍ୟ କେନ୍ଦ୍ରାପଡ଼ା ଆରଟିଓ ଅଫିସରୁ ଗାଏବ । ଆରଟିଓ ଅଫିସ କମ୍ପୁଟରରେ ଉପଲବ୍ଧ ରେଜିଷ୍ଟ୍ରେସନ୍ ତଥ୍ୟରେ ଫର୍ମାଟ୍ ନାହିଁ କି କୌଣସି ସୂଚନା ନାହିଁ । ଆରଟିଓ ଲଚ୍ଛମନ ସାହୁଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ ଛେପ ଢ଼ୋକିଛନ୍ତି । ଗାଡ଼ି ରେଜିଷ୍ଟ୍ରେସନ୍ ଦଲିଲରେ ଯେଭଳି ସାଧାରଣ ତଥ୍ୟ ରହିବା କଥା ତାହା କୁଆଡେ ଗଲା ପ୍ରଶ୍ନରେ ଆରଟିଓ ଜଡ଼ ପାଲଟି ଯାଇଛନ୍ତି । ଘୋଷିଲା ଭଳି ପଦେ କହୁଛନ୍ତି, କମ୍ପୁଟରରେ ଯାହା ଦେଖୋଉଛି ସେୟା । ଆଉ ଆମେ ଅଧିକ କିଛି କହିପାରିବୁ ନାହିଁ । ଆରଟିଓଙ୍କ ମୁଣ୍ଡରେ ଏକ ଅଦୃଶ୍ୟ ଚାପ ରହିଥିବା ଜଳ ଜଳ ଦିଶୁଛି ।
ସାଙ୍ଗକୁ ଆଉ ଏକ ସାଂଘାତିକ କାରସାଦି ନଜରକୁ ଆସିଛି । ସଞ୍ଜୟ ଦାସବର୍ମା ଗାଡ଼ିଟିକୁ ୨୦୦୯ ଜୁନ୍ରେ ବିଜୟା ବ୍ୟାଙ୍କରୁ ଋଣରେ କିଣିଥିଲେ ଏବଂ ୨୦୧୧ ରେ ବିକ୍ରୀ କରିଥିବା ସଫେଇ ଦେଇଛନ୍ତି । ତେବେ ଜ୍ୟୋତିରଞ୍ଜନ ପାଇକରାୟଙ୍କ ନାଁକୁ ମାଲିକାନା ହସ୍ତାନ୍ତର ଦସ୍ତାବିଜ୍ରେ ସେଲ୍ ଆମାଉଣ୍ଟ ବା ବିକ୍ରୀ ମୂଲ୍ୟ ଶୂନ(୦) ଦର୍ଶାଯାଇଛି । ଏଥିରୁ ବୁଝାପଡୁଛି ସଞ୍ଜୟ ଗାଡ଼ିଟିକୁ ଦାନ ସୂତ୍ରରେ ଆଣିଥାଆନ୍ତୁ କି ନାହିଁ କିନ୍ତୁ ଦାନ ସୂତ୍ରରେ ଜ୍ୟୋତିରଞ୍ଜନଙ୍କୁ ଦେଇଛନ୍ତି । ବୋଧହୁଏ ମାଗଣାରେ ଗାଡ଼ିଟି ଦିଆଯାଇଥିବାରୁ ମାଲିକାନା ପରିବର୍ତ୍ତନ ଦସ୍ତାବିଜ୍ର ହାଇପୋଥେକେଟେଡ୍ କଲମରେ ବି ଶୂନ ଦର୍ଶଯାଇଛି । ଅର୍ଥାତ୍ ଗାଡ଼ି ପାଇଁ ବ୍ୟାଙ୍କ ଫ୍ୟାଙ୍କରୁ ଟଙ୍କା ଆଣିବା ଜ୍ୟୋତିରଞ୍ଜନଙ୍କୁ ଆବଶ୍ୟକ ପଡ଼ିନି । ଆଉ ଗାଡ଼ିର ମୂଳ ରଙ୍ଗ ଗ୍ରେନାଇଟ୍ ବୋଲି ଦସ୍ତାବିଜ୍ କହୁଛି । ମାତ୍ର ଏବେ ଚତୁର୍ଥ ପାର୍ଟି ବିଶିକେସନ ପ୍ରଧାନ ଚଢ଼ୁଥିବା ଏହି ସମାନ ଗାଡି(ଓଆର୨୯-୦୦୦୧)ର କାଗଜପତ୍ରରେ ଗାଡ଼ିର ରଙ୍ଗ ବଦଳିଯାଇଛି । ଗ୍ରେନାଇଟ୍ ଜାଗାରେ ତାହା ହୋଇଯାଇଛି ଫ୍ଲେମ୍ ରେଡ୍ । ଏହା ଯେ ଚଞ୍ଚକତା ତାହା ବୁଝିବାକୁ ବାକି ନାହିଁ । କାରଣ ଗାଡ଼ିର ରଙ୍ଗକୁ ମାଲିକ ବଦଳାଇଲେ ବି କାଗଜପତ୍ରରେ ମୂଳ ରଙ୍ଗ ବଦଳେ ନାହିଁ । ଏଠି କିନ୍ତୁ ବିଶିକେସନ ଗାଡ଼ିର ରଙ୍ଗକୁ ଖାଲି ନାଲି କରିନାହାନ୍ତି ବରଂ ଆରଟିଓ କାଗଜପତ୍ରରେ ବି ତାହାକୁ ନାଲି କରିଦେଇଛନ୍ତି । ଏହା କେମିତି ସମ୍ଭବ ଏବଂ ଏଭଳି ଚଞ୍ଚକତା କରି ରଙ୍ଗ ବଦଳେଇବା ପଛରେ କି ରହସ୍ୟ ତାହା ଏବେ ସମସ୍ତଙ୍କୁ ଆନ୍ଦୋଳିତ କରୁଛି । ଏଥିସହ ସଞ୍ଜୟଙ୍କ ପାଜେରୋ ଆହୁରି ବିବାଦ ଘେରକୁ ଯାଇଛି ।