ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ପାଜେରୋ ବିବାଦରେ ଛନ୍ଦି ହୋଇଥିବା ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ତଥାକଥିତ କେଳେଙ୍କାରୀର ଆଉ କିଛି ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଯାହା ପାଜେରୋ ବିବାଦଠାରୁ ବି ଆହୁରି ସାଂଘାତିକ । ଜାଣିଲେ ଆଶ୍ଚର୍ଯ୍ୟ ହେବେ, ନିର୍ବାଚନ ପ୍ରାର୍ଥୀପତ୍ର ଦାଖଲ ବେଳେ ସଞ୍ଜୟ ଦେଇଥିବା ତଥ୍ୟରେ ନିଜ ବାପାଙ୍କ ନାଁ ସହ ଖେଳିବାକୁ ବି ପଛାଇନାହାନ୍ତି । ବ୍ରହ୍ମଗିରି ଆସନରୁ ଏ ପର୍ଯ୍ୟନ୍ତ ତିନି ଥର ପ୍ରାର୍ଥୀପତ୍ର ଦାଖଲ କରିସାରିଥିବା ସଞ୍ଜୟ ତାଙ୍କ ଆଫିଡେଭିଟ୍ରେ ନିଜ ବାପାଙ୍କ ସାଙ୍ଗିଆକୁ ବି ହାତେ ହାତେ ବଦଳେଇ ପାରିଛନ୍ତି ।
୨୦୦୪ ରେ ପ୍ରଥମ ଥର ପାଇଁ ବିଧାନସଭା ପ୍ରାର୍ଥୀପତ୍ର ଦାଖଲ କରିଥିଲେ ସଞ୍ଜୟ ଦାସବର୍ମା । ଆଫିଡେଭିଟ୍ ରେ ତାଙ୍କ ବାପାଙ୍କ ନାଁ ଲେଖିଥିଲେ ରାମକୃଷ୍ଣ ଦାସବର୍ମା । ୨୦୦୯ ମସିହାରେ ଦ୍ୱିତୀୟ ଥର ପ୍ରାର୍ଥୀପତ୍ର ଦାଖଲ ବେଳେ ବି ଆଫିଡେଭିଟ୍ ରେ ବାପାଙ୍କ ନାଁ ଲେଖିଥିଲେ ରାମକୃଷ୍ଣ ଦାସବର୍ମା । ମାତ୍ର ୨୦୧୪ ନିର୍ବାଚନରେ ସେ ତାଙ୍କ ପ୍ରାର୍ଥୀପତ୍ର ଆଫିଡେଭିଟ୍ରେ ବାପାଙ୍କ ସାଙ୍ଗିଆ ଦାସବର୍ମାରୁ ଦାସକୁ ବଦଳାଇ ଦେଇଥିଲେ । ସେଥିରେ ବାପାଙ୍କ ନାଁ ଥିଲା ରାମକୃଷ୍ଣ ଦାସ । ଏକଥା ଆମେ କହୁନୁ, ପବ୍ଲିକ୍ ଡୋମେନ୍ ରେ ଥିବା ସଞ୍ଜୟଙ୍କ ତିନି ଥରର ଆଫିଡେଭିଟ୍ କହୁଛି । ହୁଏତ ଯୁକ୍ତି ହୋଇପାରେ, ୨୦୧୪ ବେଳକୁ ସଞ୍ଜୟ ତାଙ୍କ ବାପାଙ୍କ ସାଙ୍ଗିଆକୁ କୋର୍ଟ ଆଫିଡେଭିଟ୍ ବଳରେ ଦାସବର୍ମାରୁ ଦାସକୁ ପରିବର୍ତ୍ତନ କରିଛନ୍ତି । ମାତ୍ର ଏହା ଯେ ଡାହା ମିଛ ତାହା ସଞ୍ଜୟଙ୍କ ମାଲିକାନାରେ ଥିବା ଅନ୍ୟ କାଗଜପତ୍ରରୁ ସ୍ପଷ୍ଟ ପ୍ରମାଣ ମିଳିଛି ।
ସଞ୍ଜୟ “ଟିମ୍ ମିଡ଼ିଆ ଆଣ୍ଡ ହସ୍ପିଟାଲିଟି ପ୍ରାଇଭେଟ୍ ଲିମିଟେଡ’ ନାମକ ଏକ ସଂସ୍ଥା ଗଢ଼ିଥିଲେ ୨୦୦୫ ମସିହାରେ । ୨୬.୧୦.୨୦୦୫ରେ ଏହି ସଂସ୍ଥାରେ ସଞ୍ଜୟ ତାଙ୍କ ବାପାଙ୍କୁ ଅନ୍ୟ ଏକ ନିର୍ଦ୍ଦେଶକ ରଖିଥିଲେ । ସେଥିରେ ବାପାଙ୍କ ନାଁ ରହିଛି ରାମକୃଷ୍ଣ ଦାସ । ଯଦି ଏହା ସତ ସାଙ୍ଗିଆ, ତାହା ହେଲେ ବର୍ଷେ ପୂର୍ବରୁ ସଞ୍ଜୟ ଦାଖଲ କରିଥିବା ପ୍ରାର୍ଥୀପତ୍ର ଆଫିଡେଭିଟ୍ ଓ ୫ ବର୍ଷ ପରେ ଦାଖଲ କରିଥିବା ଆଫିଟେଭିଟ୍ରେ ବାପାଙ୍କ ସାଙ୍ଗିଆ ଦାସବର୍ମା ହୋଇଗଲା କିଭଳି? ଏଥିରୁ ସ୍ପଷ୍ଟ ପ୍ରମାଣିତ ଯେ ୨୦୧୪ ନିର୍ବାଚନ ବେଳକୁ ସଞ୍ଜୟଙ୍କ ବାପାଙ୍କ ସାଙ୍ଗିଆ କୋର୍ଟ ଆଫିଡେଭିଟ୍ ବଳରେ ଦାସ ହୋଇଯାଇ ନ ଥିଲା । ବରଂ ବହୁ ପୂର୍ବରୁ ୨୦୦୫ ମସିହାରେ ସଞ୍ଜୟଙ୍କ ବାପାଙ୍କ ସାଙ୍ଗିଆ ଦାସ ଥିଲା । ଅତଏବ, ସାଙ୍ଗିଆରେ କେଉଁଟା ଠିକ୍ ଓ କେଉଁଟା ଭୁଲ୍ ତାହା ଜାଣିବା କଷ୍ଟକର । କାରଣ ୨୦୦୫ ମସିହାରେ ଗଢ଼ିଥିବା ସଂସ୍ଥା କାଗଜପତ୍ରରେ ବାପାଙ୍କ ସାଙ୍ଗିଆ ଦାସ ଲେଖିଥିବା ସଞ୍ଜୟ ୨୦୦୪ ଓ ୨୦୦୯ ନିର୍ବାଚନ ଆଫିଡେଭିଟ୍ ରେ ସେହି ସାଙ୍ଗିଆକୁ ଦାସବର୍ମା ଉଲ୍ଲେଖ କରିଥିବା ବେଳେ ୨୦୧୪ ବେଳକୁ ତାହା ପୁଣି ଦାସ ସାଙ୍ଗିଆକୁ କାଂଟଛାଂଟ୍ ହୋଇଯିବା ପଛରେ କି ରହସ୍ୟ ରହିଛି ତାହା ବୁଝାପଡୁନି ।
ତେବେ ଏହା ସତ୍ୟ ଯେ ଏ ସବୁ କାଗଜପତ୍ର ପ୍ରମାଣିତ କରୁଛି ସଞ୍ଜୟ ଦାସବର୍ମା ନିଜ ବାପାଙ୍କ ନାଁ ଟାଇଟଲ୍ ବଦଳାଇବା ପଛରେ କିଛି ଗଫଲତି ରହିଛି । ସେଥିରେ ଉଦ୍ଦେଶ୍ୟ କେବଳ ତାଙ୍କୁ ଜଣା । ମାତ୍ର ଏହା ସେ ସାଂଘାତିକ ଅପରାଧ ସେଥିରେ କାହାର ଦ୍ୱିମତ ନାହିଁ । ଆହୁରି ଗୁରୁତର କଥା ହେଉଛି, ପ୍ରାର୍ଥୀପତ୍ର ଦାଖଲ ବେଳେ ରିଟର୍ଣ୍ଣିଂ ଅଫିସର ଏହାକୁ ଭଲଭାବେ ଯାଞ୍ଚ କରିବା କଥା । ମାତ୍ର ରିଟର୍ଣ୍ଣିଂ ଅଫିସରଙ୍କ ଆଖିରୁ ଏହା ଖସିଯାଇଛି କି ଜାଣିଶୁଣି ସେ ଖସେଇ ଦେଇଛନ୍ତି ତାହା ଏବେ ସନ୍ଦେହ ସୃଷ୍ଟି କରିଛି ।