ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଟିଭି ପରଦାର ଇନକ୍ରେଡିବୁଲ୍ ଇଣ୍ଡିଆ ବିଜ୍ଞାପନରେ ମୁହଁ ଦେଖାଇ ସରକାରୀ ତହବିଲରୁ ଟଙ୍କା ନେଇଛନ୍ତି ଶାସକ ଦଳର ଦୁଇ ଜଣ ଏମପି ଏବଂ ଜଣେ ଏମଏଲଏ । ହୀରୋରୁ ନେତା ପାଲଟିଥିବା ଏହି ଏମପି ଓ ଏମଏଲଏ ହେଉଛନ୍ତି ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି ଓ ଆକାଶ ଦାସ ନାୟକ । ବିଭିନ୍ନ ଟିଭିକୁ ଢ଼ାଲ କରି କେବଳ ୨୦୧୧-୧୨ ମସିହାରେ ସିଦ୍ଧାନ୍ତଙ୍କ ବିଜ୍ଞାପନ ୨୫ ଲକ୍ଷ ପାଇଥିବା ବେଳେ ଅନୁଭବ୧୦ ଲକ୍ଷ ଏବଂ ଆକାଶଙ୍କ ବିଜ୍ଞାପନକୁ ଯାଇଛି ୨୦ ଲକ୍ଷ । ପର୍ଯ୍ୟଟନ ବିଭାଗ ଚତୁରତାର ସହ ସେମାନଙ୍କୁ ସିଧାସଳଖ ଅର୍ଥ ନ ଦେଇ ଟିଭି ଜରିଆରେ ଟଙ୍କା ଗଣିଛନ୍ତି ।
ଏହି ତଥ୍ୟ ଯେତିକି ଲଜ୍ଜାଜନକ ସେତିକି ସାଂଘାତିକ । ସାଂଘାତିକ ଏଇଥିପାଇଁ କି ଜଣେ ଏମପି/ଏମଏଲଏ ସରକାରଙ୍କ ସହ କୌଣସି ଲାଭଜନକ ବେପାରରେ ବିଲକୁଲ ରହିବା କଥା ନୁହେଁ । ସେ ଫିଲ୍ମ ହୀରୋ କି ମଡ଼େଲ୍ ହୋଇପାରନ୍ତି । ମାତ୍ର ସାମ୍ବିଧାନିକ ବ୍ୟବସ୍ଥାରେ ଜଣେ ନିର୍ବାଚିତ ପ୍ରତିନିଧି । ସରକାରୀ ବିଜ୍ଞାପନରେ ମୁହଁ ଦେଖାଇ ସରକାରଙ୍କ ପଇସା ନେବା ଯେ କେତେ ଗର୍ହିତ ତାହା ସେମାନେ ଜାଣି ଅଜଣା ହୋଇଛନ୍ତି ବୋଧେ ।
ରାଜ୍ୟରେ ପର୍ଯ୍ୟଟନର ପ୍ରଚାର ଓ ପ୍ରସାର ପାଇଁ ପର୍ଯ୍ୟଟନ ବିଭାଗ ୨୦୦୫ ମସିହାରୁ ଇନକ୍ରେଡିବୁଲ୍ ଇଣ୍ଡିଆ ନାମରେ ବିଜ୍ଞାପନ ଚଳାଇଛି । କିଛି ପ୍ରମୁଖ ଓଡ଼ିଆ ଟିଭି ଚାନେଲରେ ପ୍ରସାରିତ ହେଉଛି ବିଜ୍ଞାପନ । କେଇ ବର୍ଷ ହେଲା ଏହି ବିଜ୍ଞାପନରେ ସିଦ୍ଧାନ୍ତ, ଅନୁଭବ ଓ ଆକାଶଙ୍କ ମୁହଁ ରହିଛି । ସିଦ୍ଧାନ୍ତ ମେସର୍ସ ପ୍ରିଜମ୍ ଟିଭି ବିଜ୍ଞାପନରେ ଆସିଥିଲା ବେଳେ ଅନୁଭବ କନକ ଟିଭି ଓ ଆକାଶ ଓଟିଭି ବିଜ୍ଞାପନରେ ଆସିଛନ୍ତି । ପର୍ଯ୍ୟଟନ ବିଭାଗ ହୀରୋରୁ ନେତା ବନିଥିବା ଏହି ତିନିଜଣଙ୍କ ପକେଟକୁ ସିଧାସଳଖ ଟଙ୍କା ନ ଦେଇ ସେମାନଙ୍କ ପାରିଶ୍ରମିକକୁ ମିଶାଇ ବିଜ୍ଞାପନ ବାବଦରେ ଗୋଟିଏ ବର୍ଷରେ ୫୫ ଲକ୍ଷ ଟଙ୍କା ଗଣିଛି । ସରକାରୀ ତହବିଲରୁ ପର୍ଯ୍ୟଟନ ବିଭାଗ ଏହି ଟଙ୍କା ଗଣିଛନ୍ତି । କୌତୁହଳର କଥା, ଏହି ଏମପି ଓ ଏମଏଲଏଙ୍କୁ ସୁରକ୍ଷା ଦେବାକୁ ସରକାର ବଢ଼ିଆ ଚାଲ୍ ଖେଳିଛନ୍ତି । ଏମଏଲଏ ଏବଂ ଏମପି ହୋଇପାରନ୍ତି, ମାତ୍ର ପ୍ରତିଷ୍ଠିତ କଳାକାର ଭାବେ ବିଜ୍ଞାପନ କରିବାରେ ଅସୁବିଧା ନାହିଁ ବୋଲି ତିନିଙ୍କ ସପକ୍ଷରେ ଅଯାଚିତ ଓକିଲାତି କରିଛି ପର୍ଯ୍ୟଟନ ବିଭାଗ ।
ତେବେ ବିଭାଗର ଏହି ଯୁକ୍ତି ପଛରେ ଅଜ୍ଞତା କିମ୍ବା ମୁର୍ଖାମୀ ରହିଥିବା ବିଶ୍ୱାସ ହେଉନାହିଁ । ବରଂ ସବୁ ଜାଣି ଅଜଣା ଭଳି ସରକାରୀ କା ମାଲ୍ ଦରିଆ ମେଁ ଡାଲ୍ ନ୍ୟାୟରେ ଆଇନକାନୁନ କଥା ଭୁଲିଯାଇଛି ପର୍ଯ୍ୟଟନ ବିଭାଗ । ତେଣେ ପଇସା ମାୟାରେ ବନ୍ଧା ଆମ ହୀରୋମାନେ ନିଜର ପଦପଦବୀ, ମର୍ଯ୍ୟାଦା ଓ ଆଇନ କାନୁନ୍କୁ ଆଖି ଠାର୍ ମାରିବାକୁ ଦୁଃସାହାସ କରିଛନ୍ତି । ସେମାନେ ବୋଧେ ଜାଣିନାହାନ୍ତି ଏମିତିରେ ତାଙ୍କ ପଦବୀ ଚାଲିଯିବାର ଭରପୂର ଆଶଙ୍କା ଅଛି ।