ନୂଆଦିଲ୍ଲୀ: ରାଜସ୍ଥାନରେ ବିଜେପି ଶାସନଗାଦିରୁ ଯିବା ନିଶ୍ଚିତ । ମଧ୍ୟପ୍ରଦେଶ ଓ ଛତିଶଗଡ଼ ବି ବିଜେପିର ହାତଛଡ଼ା ହୋଇପାରେ । ଏହି ଦୁଇଟି ରାଜ୍ୟରେ ବିଜେପି ସ୍ଥିତି ଟଳମଳ । ତେଲେଙ୍ଗାନାରେ ଟିଆରଏସ୍ କ୍ଷମତାକୁ ଫେରିବା ଉଜ୍ଜଳ ହୋଇଥିବା ବେଳେ ମିଜୋରାମ୍ ରେ କଂଗ୍ରେସ କ୍ଷମତା ବଜାୟ ରଖିପାରିବ ନାହିଁ । ଏହି ୫ ଟି ରାଜ୍ୟର ନିର୍ବାଚନ ପର୍ଯ୍ୟାୟକ୍ରମେ ଆଜି ସରିବା ପରେ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲ୍ ଫଳାଫଳ ଏୟା କହୁଛି । ଅନେକ ସଂସ୍ଥାର ଏକଜିଟ୍ ପୋଲ୍ ରାଜସ୍ଥାନରେ କଂଗ୍ରେସର ଜିତାପଟ ସୁନିଶ୍ଚିତ ବୋଲି ଦର୍ଶାଇଥିବା ବେଳେ ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଝୁଲା ବିଧାନସଭା ହୋଇପାରେ ବୋଲି ଦର୍ଶାଇଛନ୍ତି ।
ରାଜସ୍ଥାନ(ମୋଟ ଆସନ ୧୯୯): ଇଣ୍ଡିଆ ଟୁଡେ-ଆକ୍ସିସ୍ ସର୍ଭେରେ କଂଗ୍ରେସ ୧୧୯-୧୪୧ ଆସନ ପାଇବ । ବିଜେପି ୫୫-୭୨ ଆସନ ପାଇବ । ଟାଇମସ୍ ନାଓ-ସିଏନଏକ୍ସ ସର୍ଭେରେ କଂଗ୍ରେସ ୧୦୫ ଏବଂ ବିଜେପି ୮୫ ଆସନ ପାଇବ । ଏନଡିଟିଭି ଆକଳନରେ କଂଗ୍ରେସ ୧୧୭ ଏବଂ ବିଜେପି ୭୪ ଆସନ ପାଇବ । ରିପବ୍ଲିକ୍ ଟିଭି-ଜନ କି ବାତ୍ ଆକଳନରେ କଂଗ୍ରେସ ୮୧-୧୦୧ ଆସନ ଏବଂ ବିଜେପି ୮୩-୧୦୩ ଆସନ ପାଇବ । ଚାଣକ୍ୟ ସର୍ଭେରେ କଂଗ୍ରେସ ୧୨୩ ଏବଂ ବିଜେପି ୬୮ ଆସନ ପାଇବ ।
ଛତିଶଗଡ଼(ମୋଟ ଆସନ ୯୦): ରିପବ୍ଲିକ୍ ଟିଭି-ସି ଭୋଟର ସର୍ଭେରେ ବିଜେପି ୩୫-୪୩ ଏବଂ କଂଗ୍ରେସ ୪୦-୫୦ ଆସନ ପାଇବ । ନିଉଜ୍ ନେସନ୍ ଆକଳନରେ ବିଜେପି ୩୮-୪୨, କଂଗ୍ରେସ ୪୦-୪୪ ଆସନ ପାଇବ । ଟାଇମସ୍ ନାଓ-ସିଏନଏକ୍ସ ସର୍ଭେରେ ବିଜେପି ୪୬ ଆସନ ପାଇ ଏକକ ସଂଖ୍ୟା ଗରିଷ୍ଠତା ଲାଭ କରିବ । କଂଗ୍ରେସ ପାଇବ ୩୫ ଟି ଆସନ । ଏବିପି ନିଉଜ୍ ଆକଳନରେ ବିଜେପି ସର୍ବାଧିକ ୫୨ ଟି ଆସନ ପାଇବ । କଂଗ୍ରେସ ପାଇବ ୩୫ ଆସନ । ଇଣ୍ଡିଆ ଟୁଡେ-ଆକ୍ସିସ୍ ଆକଳନରେ ୧୫ ବର୍ଷର ରମଣ ସିଂ ସରକାରର ପତ୍ତନ ହେବ । ସେଠାରେ କଂଗ୍ରେସ ୫୫-୬୫ ଏବଂ ବିଜେପି ୨୧-୩୧ ଆସନ ପାଇବ । ଚାଣକ୍ୟ ସର୍ଭେ ମତେ କଂଗ୍ରେସ ୫୦ ଏବଂ ବିଜେପି ୩୬ ଆସନ ପାଇବ ।
ମଧ୍ୟପ୍ରଦେଶ(ମୋଟ ଆସନ ୨୩୦): ରିପବ୍ଲିକ୍ ଟିଭି-ଜନ କି ବାତ୍ ସର୍ଭେରେ ବିଜେପି ୧୦୮-୧୨୮ ଆସନ ଏବଂ କଂଗ୍ରେସ ୯୫-୧୧୫ ଆସନ ପାଇବ । ଇଣ୍ଡିଆ ଟୁଡେ-ଆକ୍ସିସ୍ ଆକଳନରେ ବିଜେପି ୧୦୨-୧୨୦ ଏବଂ କଂଗ୍ରେସ ୧୦୪-୧୨୨ ଆସନ ପାଇବ । ଟାଇମସ୍ ନାଓ-ସିଏନଏକ୍ସ ଆକଳନରେ ବିଜେପି ୧୨୬ ଆସନ ସହ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିବ । କଂଗ୍ରେସକୁ ମିଳିବ ୮୯ ଆସନ । ଏବିପି ସର୍ଭେରେ କଂଗ୍ରେସ ୧୨୬ ଓ ବିଜେପି ୯୪ ଆସନ ପାଇବ । ଏନଡିଟିଭି ସର୍ଭେରେ ବିଜେପି ୧୧୨ ଓ କଂଗ୍ରେସକୁ ୧୦୭ ଆସନ ମିଳିବ । ଚାଣକ୍ୟ ସର୍ଭେ ଅନୁଯାୟୀ କଂଗ୍ରେସ ୧୨୫ ଏବଂ ବିଜେପି ୧୦୩ ଆସନ ପାଇବ ।
ତେଲେଙ୍ଗାନା(ମୋଟ ଆସନ ୧୧୯): କେ. ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱାଧୀନ ତେଲେଙ୍ଗାନା ରାଷ୍ଟ୍ର ସମିତି(ଟିଆରଏସ) ପୁଣି କ୍ଷମତାକୁ ଫେରିବ ବୋଲି ପ୍ରାୟ ସବୁ ସଂସ୍ଥାର ଏକଜିଟ୍ ପୋଲ୍ କହୁଛି । ରିପବ୍ଲିକ୍ ଟିଭି ସର୍ଭେରେ ଟିଆରଏସ୍ ୫୦-୬୫ ଆସନ ଏବଂ ଟାଇମସ୍ ନାଓ ଆକଳନ ଅନୁଯାୟୀ ୬୬ ଆସନ ପାଇବ । ଟିଭି ୯ ତେଲୁଗୁ ଏବଂ ଇଣ୍ଡିଆ ଟୁଡେ ରେ ଟିଆରଏସ୍ ଯଥାକ୍ରମେ ୭୫-୮୫ ଏବଂ ୭୫-୯୧ ଆସନ ପାଇବ । ଏନଡିଟିଭି ଆକଳନରେ ଟିଆରଏସ୍ ୬୨, କଂଗ୍ରେସ ୪୧ ଓ ବିଜେପି ୬ ଆସନ ପାଇବ ।
ମିଜୋରାମ୍(ମୋଟ ଆସନ ୪୦): ରିପବ୍ଲିକ୍- ସି ଭୋଟର ସର୍ଭେ ଅନୁଯାୟୀ ଏମଏନଏଫ ୧୬-୨୦ ଓ କଂଗ୍ରେସ ୧୪-୧୮ ଆସନ ପାଇବ । ଟାଇମସ୍ ନାଓ-ସିଏନଏକ୍ସ ସର୍ଭେ ଅନୁଯାୟୀ ଏମଏନଏଫ ୧୮ ଏବଂ କଂଗ୍ରେସ ୧୬ ଆସନ ପାଇବ ।