ଭୁବନେଶ୍ୱର: ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଗରେ ରଖି ନିର୍ବାଚନ ଜିତିବାକୁ ବିଜେପି ହାଇକମାଣ୍ଡଙ୍କ ସୁନେଲି ସ୍ୱପ୍ନରେ ଧୂଳି ଲାଗିଯାଇଛି । ନବୀନ ପଟ୍ଟନାୟକଙ୍କ ବିକଳ୍ପ ଭାବେ ଓଡ଼ିଶାବାସୀ ଧର୍ମେନ୍ଦ୍ରଙ୍କୁ ଗ୍ରହଣ କରୁନାହାନ୍ତି ତାହା ସେମାନେ ଜାଣିଗଲେଣି । ନିର୍ବାଚନ ମାତ୍ର ଚାରି ମାସ ହାତରେ ଥିବା ବେଳେ ହାଇକମାଣ୍ଡ ବିକଳ୍ପ ଯୋଜନା ଆପଣେଇଥିବା ବିଶ୍ୱସ୍ତ ମହଲରୁ ଜଣାପଡ଼ିଛି । ଆଇଏଏସ୍ ଚାକିରି ଛାଡ଼ି ରାଜନୀତିରେ ଏଣ୍ଟ୍ରି ମାରିଥିବା ଅପରାଜିତା ଷଡ଼ଙ୍ଗୀଙ୍କୁ ବିଶେଷ ଗୁରୁତ୍ୱ ମିଳିବା ଓ ଧର୍ମେନ୍ଦ୍ର ଏକା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନୁହଁନ୍ତି ବୋଲି ବିବାଦ ଛିଡ଼ା ହେବା ଏହାର ଅୟମାରମ୍ଭ ବୋଲି ସୂଚନା ମିଳିଛି ।
ଓଡ଼ିଶାରେ ବିଜେପି ଜିତିଲେ କିଏ ହେବେ ମୁଖ୍ୟମନ୍ତ୍ରୀ ତାହା ହାଇକମାଣ୍ଡ ସ୍ପଷ୍ଟ କରି ନ ଥିଲେ ବି ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅଘୋଷିତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ବିଚାର କରାଯାଇ ଆସୁଛି । ହାଇକମାଣ୍ଡଙ୍କ ଇସାରା ଓ ଧର୍ମେନ୍ଦ୍ରଙ୍କ ଢ଼ଙ୍ଗଢ଼ାଙ୍ଗ, କାର୍ଯ୍ୟଶୈଳୀରେ ଭାବି ମୁଖ୍ୟମନ୍ତ୍ରୀଙ୍କ ଚେହେରା ଛାପି ରହିଛି । କେନ୍ଦ୍ରରେ ପେଟ୍ରୋଲିୟମ୍ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦରେ ଥାଇ ମଧ୍ୟ ଓଡ଼ିଶା ଉପରେ ତାଙ୍କର ସମସ୍ତ ଧ୍ୟାନ କେନ୍ଦ୍ରୀଭୂତ ରହିଛି । ରାଜ୍ୟ ବିଜେପିରେ ଧର୍ମେନ୍ଦ୍ରଙ୍କ ବିନା ଇସାରାରେ ପତ୍ର ହଲେନି ଏହା ବି ସମସ୍ତଙ୍କୁ ଜଣା । ଧର୍ମେନ୍ଦ୍ର ଅନ୍ୟ ସବୁ ନେତାଙ୍କୁ ଗୌଣ ମନେ କରି ନିଜକୁ ସର୍ବେସର୍ବା ବୋଲାଇ ଆସୁଥିବା ଦଳୀୟ ମହଲରେ ପୁରୁଣା ଚର୍ଚ୍ଚା । ଏଥିଯୋଗୁଁ ଦଳ ଭିତରେ ପ୍ରବଳ ଅସନ୍ତୋଷ ମୁଣ୍ଡ ଟେକିସାରିଛି । ତେବେ ଅମିତ୍ ଶାହାଙ୍କ ଅତି ନିକଟତର ହୋଇଥିବାରୁ ଧର୍ମେନ୍ଦ୍ରଙ୍କ ବିରୋଧରେ ପାଟି ଖୋଲିବାକୁ କାହାର ସାହାସ ପାଇନାହିଁ । ଧର୍ମେନ୍ଦ୍ରଙ୍କ ନାଁ ନେଇ ନ ଥିଲେ ମଧ୍ୟ ନିକଟରେ ବିଜେପି ଛାଡ଼ିଥିବା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ଏହାକୁ ସର୍ବସାଧାରଣ କରିସାରିଛନ୍ତି ।
ତେବେ ବିଜେପି ଉଚ୍ଚମହଲ ସହ ସମ୍ପର୍କରେ ଥିବା ଏକ ସୂତ୍ରର ସୂଚନା ଅନୁଯାୟୀ, ଧର୍ମେନ୍ଦ୍ରଙ୍କୁ ଆଗରେ ରଖି ଅମିତ୍ ଶାହା ଯେଉଁ ୧୨୦ ପ୍ଲସ୍ ର ସ୍ୱପ୍ନ ଦେଖୁଛନ୍ତି ତାହା ଆଦୌ ଫଳପ୍ରଦ ହେବ ନାହିଁ ବୋଲି ଶାହା ଓ ଦିଲ୍ଲୀ ନେତୃବର୍ଗଙ୍କ ହୃଦୟଙ୍ଗମ ହୋଇଛି । ଧର୍ମେନ୍ଦ୍ରଙ୍କ ନେତୃତ୍ୱର ଯାଦୁ ନାହିଁ ଏବଂ ଓଡ଼ିଶା ବିଜେପି ସଂଗଠନକୁ ବଳଶାଳୀ କରିବାରେ ସେ ଅସମର୍ଥ ବୋଲି ବୁଝାପଡିଛି । ସବୁଠାରୁ ବଡ଼କଥା ହେଉଛି ଯେ ଧର୍ମେନ୍ଦ୍ରଙ୍କୁ ଲୋକେ ନବୀନଙ୍କ ବିକଳ୍ପ ଭାବେ ଗ୍ରହଣ କରିବା ଦୂରେ ଥାଉ, ବିଜେପି ନେତୃତ୍ୱ ପାଇଁ କର୍ମୀମହଲରେ ମଧ୍ୟ ସେ ଗ୍ରହଣୀୟ ହୋଇ ପାରୁ ନ ଥିବା ହାଇକମାଣ୍ଡ ବୁଝିସାରିଛନ୍ତି । ନିକଟ ଅତୀତରେ ବିଜେପି ପକ୍ଷରୁ ଓଡ଼ିଶାରେ ପୃଥକ୍ ଭାବେ ତିନୋଟି ଗୋପନ ସର୍ଭେ ହୋଇଥିଲା । ସେହି ସର୍ଭେରୁ ରାଜ୍ୟରେ ବିଜେପିର ଦୁର୍ବଳ ସାଗଠନିକ ସ୍ଥିତି ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଫଳତାର ଚିତ୍ର ସାମନାକୁ ଆସିଛି । ସେଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବୃଦ୍ଧି ପାଉଥିବା ବେଳେ ଧର୍ମେନ୍ଦ୍ରଙ୍କ ନେତୃତ୍ୱ ପ୍ରତି ଜନସମର୍ଥନ ହ୍ରାସ ପାଉଛି । ସର୍ଭେରେ ରାଜ୍ୟ ବିଜେପିର ବିକଳ ଅବସ୍ଥା ଦଳୀୟ ହାଇକମାଣ୍ଡଙ୍କୁ ବିବ୍ରତ କରିଛି ।
ଓଡ଼ିଶାରେ ଦଳର ଢ଼ାଞ୍ଚା ଓ ଲୋକଙ୍କ ମନରେ ଛାପ ସୃଷ୍ଟି କରାଯାଇଥିବା ଚେହେରା ନ ବଦଳାଇଲେ ବିଜେପି ଯେ ମାଟି ଚାଟିବ ସେଇ ସିଦ୍ଧାନ୍ତରେ ପହଞ୍ଚିଥିଲା ପରେ ହାଇକମାଣ୍ଡ ତାଙ୍କ ରଣନୀତି ବଦଳାଇଥିବା ଏହି ସୂତ୍ରରୁ କୁହାଯାଇଛି । ଏହି ରଣନୀତିର ପ୍ରଥମ ସୋପାନରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟରେ ଅପରାଜିତା ଷଡ଼ଙ୍ଗୀଙ୍କୁ ସାମନାକୁ ଅଣାଯାଇଛି । ଖୋଦ୍ ପ୍ରଧାନମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅପରାଜିତା ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି । ଦିଲ୍ଲୀରେ ଦଳରେ ଯୋଗଦାନଠାରୁ ଆରମ୍ଭ କରି ଭୁବନେଶ୍ୱରରେ ସେ ଆରମ୍ଭ କରିଥିବା କାର୍ଯ୍ୟକ୍ରମର ସ୍ୱତନ୍ତ୍ରତା ରହିଛି । ଖାଲି ଅପରାଜିତାଙ୍କ କ୍ଷେତ୍ରରେ ନୁହେଁ, ଆଗକୁ ଏଭଳି ଅନେକ ଘଟଣା ଘଟିବ ବୋଲି କୁହାଯାଇଛି । ତେବେ କାହାକୁ ସାମନାରେ ରଖି ବିଜେପି ନିର୍ବାଚନ ଲଢ଼ିବ ସେ ନେଇ ନିର୍ଦ୍ଦିଷ୍ଟ ସୂଚନା ମିଳିପାରିନାହିଁ ।
ସଂଯୋଗକୁ ଦଳର ଅନ୍ୟତମ ଫେସ୍ ଭାବେ ସାଧାରଣରେ ଆଦୃତ ବିଜେପି ହେଭିୱେଟ୍ ପ୍ରତାପ ଷଡ଼ଙ୍ଗୀ ଆଜି ପର୍ଯ୍ୟନ୍ତ ଧର୍ମେନ୍ଦ୍ରଙ୍କ ଏକାକୀ ନେତୃତ୍ୱ(ମୁଖ୍ୟମନ୍ତ୍ରୀ ଦାବିଦାର) ବିରୋଧରେ ପାଟି ଖୋଲୁ ନ ଥିଲେ ମଧ୍ୟ ଏବେ ଭିନ୍ନ ଢ଼ଙ୍ଗରେ ପାଟି ଖୋଲିଛନ୍ତି । ଦଳରେ ଏକାଧିକ ଯୋଗ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅଛନ୍ତି ବୋଲି ଗଣମାଧ୍ୟମରେ ବୟାନ ଦେବା ଧର୍ମେନ୍ଦ୍ରଙ୍କ ପାଇଁ ଅଡୁଆ ହୋଇଛି । ଏହା ପଛରେ ଅଦୃଶ୍ୟ ଇଙ୍ଗିତ ରହିଥାଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ସୂଚନାଥାଉକି, ବସନ୍ତ ପଣ୍ଡାଙ୍କ କାର୍ଯ୍ୟଶୈଳୀରେ ଅସନ୍ତୁଷ୍ଟ ସଂଘ ପରିବାରର ବରିଷ୍ଠ ନେତାମାନେ ତାଙ୍କୁ ବଦଳାଇ ପ୍ରତାପ ଷଡ଼ଙ୍ଗୀଙ୍କୁ ରାଜ୍ୟ ସଭାପତି ପଦରେ ବସାଇବା ପାଇଁ ଚାପ ପକାଇଥିଲେ । ମାତ୍ର ବିଜେପି ହାଇକମାଣ୍ଡ ତାହା କରାଇ ଦେଇ ନ ଥିଲେ । ଏହା ପଛରେ ଧର୍ମେନ୍ଦ୍ରଙ୍କ ଭୂମିକା ଥିବା ଚର୍ଚ୍ଚା ହୋଇଥିଲା ।
ତେବେ ରାଜ୍ୟ ବିଜେପି ରାଜନୀତିରେ ଧର୍ମେନ୍ଦ୍ରଙ୍କୁ ନେଇ ଅନେକ ବାଦବିବାଦ ଆସୁଥିଲେ ମଧ୍ୟ ହାଇକମାଣ୍ଡଙ୍କ ଆର୍ଶିବାଦ ତାଙ୍କ ପଛରେ ରହିଛି ଓ ରହିବ ବୋଲି ବିଜେପିର କିଛି ମହଲ ବିଶ୍ୱାସ ରଖିଛନ୍ତି । ଓଡ଼ିଶାରେ ନୂଆ ରଣନୀତି ଧରୁଥିବା ହାଇକମାଣ୍ଡ ଧର୍ମେନ୍ଦ୍ରଙ୍କୁ ଛୋଟ କରିବା ସପକ୍ଷରେ ନାହାନ୍ତି । ନିର୍ବାଚନ ଯୁଦ୍ଧରେ ତାଙ୍କୁ ସେନାପତି ନ କଲେ ମଧ୍ୟ ଓଡ଼ିଶାରେ ବିଜେପି ସରକାର ଗଢ଼ିଲେ ଧର୍ମେନ୍ଦ୍ରଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇବା ଅସମ୍ଭବ ନୁହେଁ । ଦିଲ୍ଲୀରେ ଧର୍ମେନ୍ଦ୍ରଙ୍କ ପ୍ରବଳ କାଟତି ଓ ଦଳରେ ଅସମ୍ଭବକୁ ସମ୍ଭବ କରିବାର ସାମର୍ଥ ତାଙ୍କ ପାଖରେ ଥିବା ଏହି ମହଲର ବିଶ୍ୱାସ ।