ଭୁବନେଶ୍ୱର: ମୟୁରଭଞ୍ଜ ଜିଲ୍ଲା ବିଜାତଳା ଜିଲ୍ଲା ପରିଷଦ ୩୨ ନଂ ଜୋନ୍ କୁ ବିଜେପିଠାରୁ ଛଡ଼ାଇ ଆଣିଛି ବିଜେଡ଼ି । ସେଠାରେ ଅନୁଷ୍ଠିତ ଉପନିର୍ବାଚନରେ ବିଜେଡ଼ିକୁ ବିପୁଳ ସଫଳତା ମିଳିଛି । ବିଜେଡ଼ି ପ୍ରାର୍ଥୀ ରଘୁନାଥ ମାଝୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀଙ୍କୁ ୪,୨୧୨ ଭୋଟର ପରାସ୍ତ କରିଛନ୍ତି । ଶ୍ରୀ ମାଝୀ ୮,୮୭୫ ଖଣ୍ଡ ଭୋଟ ପାଇଥିଲା ବେଳେ ବିଜେପି ପ୍ରାର୍ଥୀଙ୍କୁ ୪,୬୬୩ ଖଣ୍ଡ ଭୋଟ ମିଳିଛି । ଜେଏମଏମ ପ୍ରାର୍ଥୀ ୨,୭୬୮ ଖଣ୍ଡ ପାଇଛନ୍ତି । ତେବେ କଂଗ୍ରେସ ପ୍ରାର୍ଥୀଙ୍କ ଅମାନତ ଉଡ଼ିଯାଇଛି । ତାଙ୍କ ସପକ୍ଷରେ ମିଳିଛି ମାତ୍ର ୧୭୬ ଖଣ୍ଡ ଭୋଟ ।
ଏହି ଉପନିର୍ବାଚନ ଫଳାଫଳ ବିଜେଡି ପାଇଁ ବଡ଼ ସଫଳତା ବୋଲି କୁହାଯାଉଛି । ସ୍ୱାଧୀନତା ପରଠାରୁ ବିଜାତଳା ଜିଲ୍ଲା ପରିଷଦ ଏହି ଆସନରେ କେବେ ବି ତତ୍କାଳୀନ ଜନତା ଦଳ କିମ୍ବା ବର୍ତ୍ତମାନର ବିଜୁ ଜନତା ଦଳ ପ୍ରାର୍ଥୀ ଜିତିପାରି ନ ଥିଲେ । ଏହି ଆସନଟି ଗତ ୨ ଟି ନିର୍ବାଚନରେ ବିଜେପି ହାତରେ ଥିଲା । ତା ପୂର୍ବରୁ ଜେଏମଏମ୍ ଏହାକୁ କବଜା କରିଥିଲା । ଗତ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପି ୭ ହଜାର ଭୋଟ ପାଇଥିଲା ବେଳେ ଜେଏମଏମ ୫ ହଜାର ଭୋଟ ପାଇଥିଲା । ବିଜେଡ଼ି ମାତ୍ର ୩ ହଜାର ଭୋଟ ପାଇଥିଲା । ଝାଡ଼ଖଣ୍ଡରେ ବିଜେପି ସରକାର ଗଠନ କଲା ପରେ ବିଜେପି ବିଜାତଳା ଅଞ୍ଚଳରେ ନିଜ ସ୍ଥିତି ସୁଦୃଢ଼ କରିଥିଲା । ମାତ୍ର ଚଳିତ ଉପନିର୍ବାଚନ ଫଳାଫଳ ବିଜେପିର ଦହନୀୟ ସ୍ଥିତିକୁ ପ୍ରମାଣିତ କରିଛି । ଅନ୍ୟପକ୍ଷରେ ଭୋଟରମାନେ ବିଜେଡ଼ି ପ୍ରତି ଆକର୍ଷିତ ହେଉଥିବା ଏହି ନିର୍ବାଚନରୁ ସ୍ପଷ୍ଟ ହୋଇଛି ।
ସେହିଭଳି ପାଲଲହଡ଼ା, ମାହାଙ୍ଗା, ପୋଲସରା, ରାୟଗଡ଼ା, ଭାପୁର,ବୋରିଗୁମ୍ମା, ନନ୍ଦପୁର, ବଣାଇଗଡ଼ ବ୍ଲକ୍ ର ଗୋଟିଏ ଲେଖାଏଁ ପଞ୍ଚାୟତ ଓ ଢ଼େଙ୍କାନାଳ ସଦର, ଜୁନାଗଡ଼ ବ୍ଲକ୍ ର ଦୁଇଟି ଲେଖାଏଁ ପଞ୍ଚାୟତରେ ଅନୁଷ୍ଠିତ ସରପଞ୍ଚ ଉପନିର୍ବାଚନ ଏବଂ ରେମୁଣା, ହିଞ୍ଜିଳିକାଟୁ, ବଡ଼ଚଣା, ଖଜୁରୀପଡ଼ା, ଉମରକୋଟ,ଲାଠିକଟା ବ୍ଲକ୍ ର ଗୋଟିଏ ଲେଖାଏଁ ପଞ୍ଚାୟତ ଓ ମୁନିଗୁଡ଼ା ବ୍ଲକ୍ ର ଦୁଇଟି ପଞ୍ଚାୟତରେ ସମିତି ସଭ୍ୟ ପାଇଁ ଅନୁଷ୍ଠିତ ଉପନିର୍ବାଚନରେ ବିଜେଡ଼ି ସମର୍ଥିତ ପ୍ରାର୍ଥୀଙ୍କ ବିପୁଳ ବିଜୟ ହୋଇଥିବା ଦଳ ପକ୍ଷରୁ ଦାବି କରାଯାଇଛି ।







