ଭୁୁବନେଶ୍ୱର: ଗତ ଅକ୍ଟୋବର ମାସରେ ଓଡ଼ିଶାକୁ ଗ୍ରାସିଥିଲା ଭୟଙ୍କର ତିତଲି । ବାତ୍ୟା, ବର୍ଷା ଓ ମାଟି ଅତଡ଼ା ଖସି ୬୦ରୁ ଅଧିକ ଲୋକଙ୍କ ଜୀବନ ଚାଲିଗଲା । ୧୭ ଟି ଜିଲ୍ଲାର ୬୦ ଲକ୍ଷ ଲୋକ ପ୍ରଭାବିତ ହେଲେ । ୫୭ ହଜାର ଘରଦ୍ୱାର ଭାଙ୍ଗିଗଲା । ତିତଲି କ୍ଷୟକ୍ଷତି ପାଇଁ ସରକାରଙ୍କୁ ଦୋଷ ଦେଇ ବିଜେପି ନେତାମାନେ ଧୂମ୍ ବର୍ଷିଲେ । ପ୍ରଭାବିତ ଅଞ୍ଚଳ ବୁଲି ବୟାନବାଜି କଲେ । ହେଲେ କେନ୍ଦ୍ରରେ ଥିବା ତାଙ୍କ ଦଳର ସରକାର ରାଜ୍ୟର ତିତଲି ପୀଡ଼ିତଙ୍କ ପାଇଁ ଦରଦ ଦେଖାଇବାକୁ ଭୁଲିଯାଇଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠି(ଏନଡିଆରଏଫ) ରୁ ତିନୋଟି ରାଜ୍ୟକୁ ଅତିରିକ୍ତ ସହାୟତା ଦିଆଯାଇଥିବା ବେଳେ ତାଲିକାରେ ଓଡ଼ିଶା ନାହିଁ ।
ପ୍ରାକୃତିକ ବିପର୍ଯ୍ୟୟର ଶିକାର କେରଳକୁ ୩୦୪୮ କୋଟି, ଆନ୍ଧ୍ରପ୍ରଦେଶକୁ ୫୩୯.୫୨ କୋଟି ଓ ନାଗାଲାଣ୍ଡକୁ ୧୩୧୬ କୋଟି ଟଙ୍କା ଅତିରିକ୍ତ ସହାୟତା ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଆଜି ଗୃହମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କମିଟି ବୈଠକରେ ଏହି ଅନୁଦାନ ମଂଜୁର ହୋଇଛି । ଆଶ୍ଚର୍ଯ୍ୟର କଥା, ତିତଲି ପ୍ରଭାବିତ ଆନ୍ଧ୍ରପ୍ରଦେଶକୁ ବିଚାର କରାଯାଇଥିବା ବେଳେ ଓଡ଼ିଶା କଥା ଆଜି କମିଟିର ବିଚାରକୁ ଆସିନାହିଁ । ନଭେମ୍ବର ପ୍ରଥମ ସପ୍ତାହରେ ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଏସ.କେ.ସାହିଙ୍କ ନେତୃତ୍ୱରେ ଏକ ୭ ଜଣିଆ କେନ୍ଦ୍ରୀୟ ଟିମ୍ ତିତଲି ପ୍ରଭାବିତ ଅଞ୍ଚଳ ପରିଦର୍ଶନରେ ଆସି କ୍ଷୟକ୍ଷତି ଆକଳନ କରିଥିଲେ । ତେବେ କେନ୍ଦ୍ରୀୟ ଟିମ୍ ରିପୋର୍ଟ ଉପରେ କାହିଁକି ପଦକ୍ଷେପ ନିଆଯାଇନି ତାହା ସ୍ପଷ୍ଟ ହୋଇନାହିଁ ।
ଓଡ଼ିଶା ସରକାରଙ୍କ ପକ୍ଷରୁ ତିତଲି କ୍ଷୟକ୍ଷତି ପାଇଁ କେନ୍ଦ୍ରୀୟ ସହାୟତା ମଗାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଅକ୍ଟୋବର ୧୮ ତାରିଖରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି କ୍ଷୟକ୍ଷତିଜନିତ ସ୍ମାରକପତ୍ର ପ୍ରଦାନ କରିଥିଲେ । କ୍ଷତି ଭରଣା ପାଇଁ ୨୭୭୦.୨୮ କୋଟି ଟଙ୍କା ଆକଳନ ହୋଇଥିଲା ବେଳେ ଏନଡିଏଫ୍ ରୁ କେନ୍ଦ୍ରୀୟ ସହାୟତା ବାବଦରେ ମୁଖ୍ୟମନ୍ତ୍ରୀ ୨୦୧୪.୦୯ କୋଟି ମାଗିଥିଲେ । ଅନ୍ତରୀଣ ସହାୟତା ବାବଦକୁ ୧୦୦୦ କୋଟି ମାଗିଥିଲେ ମୁଖ୍ୟମନ୍ତ୍ରୀ । ତେବେ ଏ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଓଡ଼ିଶାକୁ ଟଙ୍କାଟେ ଦେଇନାହାନ୍ତି ।
କେନ୍ଦ୍ର ସରକାରଙ୍କ ଅସହିଷ୍ଣୁତାର ଉଦାହରଣ।