ଭୁବନେଶ୍ୱର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ପଛରେ ପଡ଼ିବା ଶ୍ରୀକାନ୍ତ ଜେନାଙ୍କୁ ମହଙ୍ଗା ପଡ଼ିଛି । ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ଆଜି ତାଙ୍କୁ ଅପମାନଜନକ ଭାବେ ବିଦା କରାଯାଇଛି । ତାଙ୍କ ଗୋଷ୍ଠୀର କୁହାଯାଉଥିବା ଶରତ ରାଉତଙ୍କୁ ମଧ୍ୟ ଇସ୍ତାହାର କମିଟିର ଆବାହକ ପଦରୁ ହଟାଯାଇଛି । ଶ୍ରୀକାନ୍ତଙ୍କ ଜାଗାରେ ଗଣେଶ୍ୱର ବେହେରାଙ୍କୁ ଇସ୍ତାହାର କମିଟି ଅଧ୍ୟକ୍ଷ ପଦରେ ନିଯୁକ୍ତି ଦିଆଯାଇଥିବା ବେଳେ ଶରତଙ୍କ ଜାଗାରେ ବିସ୍ମୟ ମହାପାତ୍ରଙ୍କୁ ଆବାହକ ପଦ ଦିଆଯାଇଛି । ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶକ୍ରମେ ଏଆଇସିସି ପକ୍ଷରୁ ସାଧାରଣ ସମ୍ପାଦକ ଅଶୋକ ଗେହେଲଟ୍ ଇସ୍ତାହାର କମିଟି ଘୋଷଣା କରିଛନ୍ତି ।
ଇସ୍ତାହାର କମିଟିରେ ଗଣେଶ୍ୱର ବେହେରା ଅଧ୍ୟକ୍ଷ ଥିବା ବେଳେ ନରସିଂହ ମିଶ୍ର, ପ୍ରସାଦ ହରିଚନ୍ଦନ, ସୁଦର୍ଶନ ଦାସ, ଶ୍ୟାମସୁନ୍ଦର ହାଁସଦା, ମାରି ସୁରିନ୍, ନଟବର ଖୁଣ୍ଟିଆ, ପ୍ରଫେସର ଲିକତ୍ ଅଲ୍ଲୀ, ସତ୍ୟପ୍ରକାଶ ନାୟକ ସଦସ୍ୟ ଅଛନ୍ତି । ବିସ୍ମୟ ମହାପାତ୍ରଙ୍କୁ ଆବାହକ ରଖାଯାଇଛି । ଏଆଇସିସି ପକ୍ଷରୁ ଜାରି ତାଲିକାରେ ପୂର୍ବରୁ ଘୋଷିତ ଶ୍ରୀକାନ୍ତ ଜେନାଙ୍କ ବଦଳରେ ଗଣେଶ୍ୱର ବେହେରା ଅଧ୍ୟକ୍ଷ ବୋଲି ସ୍ପଷ୍ଟ ଉଲ୍ଲେଖ ଥିବା ବେଳେ ପୂର୍ବଘୋଷିତ ତାଲିକାରେ ଥିବା ଶରତ ରାଉତଙ୍କ ନାଁ ଉଲ୍ଲେଖ ନ ରହି ବିସ୍ମୟ ମହାପାତ୍ର ଆବାହକ ହେଲେ ବୋଲି ଉଲ୍ଲେଖ କରାଯାଇଛି ।
ଦଳରେ ଥାଇ ଦଳର ଅନିଷ୍ଟ କରୁଥିବା ଶକ୍ତିଙ୍କ ଉଦ୍ଦେଶ୍ୟରେ ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ପଞ୍ଚାୟତ ସମ୍ମିଳନୀରେ ବର୍ଷୁଥିଲେ ନିରଞ୍ଜନ ପଟ୍ଟନାୟକ । ସେପଟେ ସ୍ୱାଧିନତା ସଂଗ୍ରାମୀ ପଡ଼ିଆରେ ସାମାଜିକ ନ୍ୟାୟ ଅଭିଯାନ ବ୍ୟାନରରେ ଦଳିତ,ଆଦିବାସୀ ଓ ପଛୁଆବର୍ଗଙ୍କ ଉପେକ୍ଷାକୁ ନେଇ ଭାଷଣରେ ଗର୍ଜୁଥିଲେ ଶ୍ରୀକାନ୍ତ ଜେନା ଓ କୃଷ୍ଣ ଶଗରିଆ । ଖଣି ଚୋର କଂଗ୍ରେସକୁ ଚଳାଇ ପାରିବେନି କହି ପଟ୍ଟନାୟକ ପରିବାରକୁ ଟାର୍ଗେଟ୍ କରୁଥିଲେ ଶ୍ରୀକାନ୍ତ । ଠିକ ଏତିକିବେଳକୁ ଏଆଇସିସି ପକ୍ଷରୁ ଆସିଥିଲା ଇସ୍ତାହାର କମିଟି ବିଜ୍ଞପ୍ତି । ଯେଉଁଥିରେ ଶ୍ରୀକାନ୍ତ ଜେନା ବଳି ପଡ଼ିଥିଲେ । ସାମ୍ବାଦିକଙ୍କଠାରୁ ଶ୍ରୀକାନ୍ତ ଏହା ଜାଣିଲା ପରେ କହିଥିଲେ, ମୁଁ ଦୁଃଖିତ ନୁହେଁ । ପଦବୀ ଯେତେବେଳେ ମାଗି ନ ଥିଲି ଚାଲିଗଲା ବୋଲି କାହିଁକି ଦୁଃଖ କରିବି । ନିରଞ୍ଜନ କହିଥିଲେ, ଏହା ଏଆଇସିସି ନିଷ୍ପତ୍ତି । ମୋର ସେଥିରେ କିଛି ଭୂମିକା ନାହିଁ ।