ଭୁବନେଶ୍ୱର: ସଂସଦ ଓ ବିଧାନସଭାମାନଙ୍କରେ ମହିଳାମାନଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ ଆଉ ପାଦେ ଆଗକୁ ବଢ଼ିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସମର୍ଥନ ଓ ସହଯୋଗ ଲଢ଼ିଛନ୍ତି । ୭ ଟି ଜାତୀୟ ଓ ୧୫ଟି ଆଞ୍ଚଳିକ ଦଳର ମୁଖ୍ୟମାନଙ୍କୁ ଭେଟି ଆଲୋଚନା କରିବାକୁ ଗତକାଲି ବିଜେଡ଼ି ନିଷ୍ପତ୍ତି ନେଇସାରିଛି ।
ଦୁଇଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଯାହା ଲେଖିଥିଲେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠିରେ ସମାନ କଥା ଲେଖିଛନ୍ତି । ନବୀନ ଲେଖିଛନ୍ତି, ଦେଶ ଓ ସମାଜ ଗଠନରେ ମହିଳାମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ମହିଳାମାନେ ସଶକ୍ତ ହେଲେ ଦେଶ ସଶକ୍ତ ହେବ ଏବଂ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ । ମହିଳାମାନେ ସଶକ୍ତ ନ ହେଲେ କୌଣସି ପରିବାର, କୌଣସି ସମାଜ, କୌଣସି ରାଜ୍ୟ ବା ଦେଶ ଅଗ୍ରଗତି କରିପାରିବ ନାହିଁ ।
ନବେ ଦଶକରେ ସ୍ୱର୍ଗତ ବିଜୁ ପଟ୍ଟନାୟକ ବିଭିନ୍ନ ପଞ୍ଚାୟତ,ପୌର ପରିଷଦ ସମେତ ଚାକିରିରେ ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ଆରମ୍ଭ କରିଥିଲେ । ଏହାର ସୁଫଳ ଦେଖିଲା ପରେ ୨୦୧୧ ରେ ରାଜ୍ୟ ସରକାର ଏହି ସ୍ଥାନ ସଂରକ୍ଷଣ ୫୦% କୁ ବୃଦ୍ଧି କରିଛନ୍ତି । ଆମ ସମ୍ବାଧାନ ଲିଙ୍ଗଗତ ବୈଷମ ଦୂର କରାଯିବା ଉପରେ ଗୁରୁତ୍ୱ ଦେଇଛନ୍ତି । ଏଥିପାଇଁ ଆମେ ସମସ୍ତେ ପ୍ରତିବଦ୍ଧତାର ସହ ଉଦ୍ୟମ ଜାରି ରଖିବା ଆବଶ୍ୟକ । ମହିଳାମାନଙ୍କୁ ସମାଜରେ ଉପଯୁକ୍ତ ସ୍ଥାନ ଦେବା ଉଦ୍ୟମରେ ମୁଖ୍ୟମନ୍ତ୍ରୀମାନଙ୍କର ସହଯୋଗ ମହିଳା ସଶକ୍ତିକରଣକୁ ନୂତ ମାର୍ଗ ଦେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।
ଧର୍ମେନ୍ଦ୍ରଙ୍କ ସମାଲୋଚନା: ନବୀନଙ୍କ ମହିଳା ସଂରକ୍ଷଣ ଉଦ୍ୟମକୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ରାଜ୍ୟ ସରକାରଙ୍କ ସୁଆଙ୍ଗ ବୋଲି ସେ କହିଛନ୍ତି । ରାଜ୍ୟରେ ମହିଳାଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ ହୋଇଛନ୍ତି । ଏବେ ନିର୍ବାଚନକୁ ଆଖିରେ ରଖି ବିଜେଡ଼ି ମହିଳା କାର୍ଡ ଖେଳୁଛି କହି ସେ ସମାଲୋଚନା କରିଛନ୍ତି ।