ଭୁବନେଶ୍ୱର: ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ଅଙ୍କକଷା ଜୋରଦାର ଚାଲିଛି । ସେ ବିଜେଡ଼ିରେ ଯୋଗଦେଉଛନ୍ତି ବୋଲି ପ୍ରଚାର ହେଉଛି । ଡିସେମ୍ବର ୨୬ ବିଜେଡ଼ିର ପ୍ରତିଷ୍ଠା ଦିବସରେ ଦିଲ୍ଲୀପ ରାୟଙ୍କ ସହ ବିଜୟ ବିଜେଡ଼ି ଘରବାହୁଡ଼ା ହେବେ ବୋଲି ନିର୍ଦ୍ଦିଷ୍ଟ ଭାବେ କୁହାଯାଉଛି । ତେବେ ଗତକାଲି ବିଜୟ ତାଙ୍କ ଫେସବୁକ୍ ଲାଇଭ୍ ରେ ଏହି ପ୍ରଚାରକୁ ମିଛ ଓ ଗୁଜବ ବୋଲି କହିବା ପରେ ସସପେନ୍ସ ବଢ଼ିଯାଇଛି । ବିଜୟ କାହିଁକି ଏମିତି କହିଲେ? ଯଦି ବିଜେଡ଼ିକୁ ଫେରିବା ମିଛ ତେବେ ଆଉ କେଉଁ ଦଳକୁ ଯିବେ? ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଛିଡ଼ାହୋଇଛି ।
ସାଙ୍ଗହୋଇ ବିଜେପିରୁ ଇସ୍ତଫା ଦେଇଛନ୍ତି ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ର । ବିଜେପିରୁ ଇସ୍ତଫା ଦେବାର ଇଙ୍ଗିତ କଲାଦିନୁ ସେମାନଙ୍କ ବିଜେଡ଼ି ଘରବାହୁଡ଼ା ନେଇ ଜୋର୍ ଚର୍ଚ୍ଚା ହେଉଛି । ଅବଶ୍ୟ ବହୁ ଦିନ ତଳୁ ଏହି ଚର୍ଚ୍ଚା ଆରମ୍ଭ ହୋଇଛି । ଏମିତି ବି ଚର୍ଚ୍ଚା ହେଲା, ଦିଲ୍ଲୀପଙ୍କୁ ବିଜେଡ଼ିର ଗ୍ରୀନ୍ ସିଗନାଲ୍ ମିଳୁଥିବା ବେଳେ ବିଜୟଙ୍କ କଥା ଛିଣ୍ଡୁ ନାହିଁ । ବିଜୟ ନଗଲେ ସେ ବିଜେଡ଼ିକୁ ଫେରିବେନି ବୋଲି ଦିଲ୍ଲୀପ ସର୍ତ୍ତ ରଖୁଛନ୍ତି । ତେବେ ପରବର୍ତ୍ତିତ ରାଜନୈତିକ ପାଣିପାଗ ଦେଖି ବିଜେଡ଼ି ସୁପ୍ରିମୋ ବିଜୟଙ୍କ ପାଇଁ ଦ୍ୱାର ଉନ୍ମୁକ୍ତ କରିବାକୁ ନିଷ୍ପତ୍ତି ନେଇଥିବା ଭଳି ଚର୍ଚ୍ଚା ବିଭିନ୍ନ ଗଣମାଧ୍ୟମରେ ଚାଲୁ ରହିଛି ।
ତେବେ ଏହା ଯେ ସତ ନୁହେଁ, ତାହା ବିଜୟ ପରୋକ୍ଷରେ ଜଣାଇ ଦେଇଛନ୍ତି । ବିଜୟ ଏହା ବି କହିଛନ୍ତି ଯେ ଦୀର୍ଘ ୧୮ ବର୍ଷ ଧରି ବହୁ କଷ୍ଟ, ଅତ୍ୟାଚାର ସହି ବହୁ ଲୋକ ରହିଛନ୍ତି । ଏହି ଯନ୍ତ୍ରଣାରୁ ମୁକ୍ତି ପାଇବା ଭଳି ସାମୂହିକ ରାଜନୈତିକ ନିଷ୍ପତ୍ତି ନେବାକୁ ସେ ଯାଉଛନ୍ତି । ବିଜୟଙ୍କ ଏହି ଟିପ୍ପଣୀ ନିଶ୍ଚିତ ଭାବେ ନବୀନ ପଟ୍ଟନାୟକଙ୍କ ଶାସନକାଳକୁ ଇଙ୍ଗିତ କରୁଛି । ଯେଉଁଠି ସେ ନବୀନଙ୍କ ଶାସନକାଳକୁ ସମାଲୋଚନା କରି ସେଥିରୁ ମୁକ୍ତି ପାଇବାର ଅଭିଳାଷ ରଖୁଛନ୍ତି ସେତେବେଳେ ସେ ଯେ ବିଜେଡ଼ିକୁ ଫେରିବେ ତାହା ବିଶ୍ୱାସ କହିହେଉନି ।
ବିଜୟଙ୍କ ଭଳି ଜଣେ ବିଚକ୍ଷଣ, ଚତୁର ଓ ଅଭିଜ୍ଞ ରାଜନେତା ସ୍ଲିପ୍ ଅଫ୍ ଟଙ୍ଗ୍ ରେ ଏକଥା କହିଦେଇଛନ୍ତି ତାହା ଗ୍ରହଣ କରିହେଉନି । ଆଉ ଟିକେ ନିରିଖେଇ ଦେଖିଲେ, ପୂର୍ବରୁ ବିଜେପିରୁ ଇସ୍ତଫା ଘୋଷଣା କଲା ଦିନ ସାମ୍ବାଦିକ ସମ୍ମିଳନୀରେ ବିଜୟ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ବିଜେଡ଼ି ସରକାରଙ୍କ ଆଭିମୁଖ୍ୟକୁ ବି ଖୋଲାଖୋଲି ସମାଲୋଚନା କରିଥିଲେ । ଗତକାଲି ତାଙ୍କ ଫେସବୁକ୍ ଲାଇଭରେ ବିଜୟ ଏହା ବି ଜଣାଇ ଦେଇଛନ୍ତି ଯେ ସେ ଛଳନାପୂର୍ଣ୍ଣ ରାଜନୀତି ଓ ସାଲିସ ରାଜନୀତି କେବେ କରନ୍ତି ନାହିଁ । ରାଜ୍ୟବାସୀଙ୍କୁ ଯନ୍ତ୍ରଣାରୁ ମୁକ୍ତି ଦେବା ପାଇଁ ନୂଆ ରାଜନୈତିକ ସୁର୍ଯେ୍ୟାଦୟର ଆଶା ଦେଖାଇଛନ୍ତି ବିଜୟ ।
ବିଜେପିରୁ ଇସ୍ତଫା ଦେଇ ପରବର୍ତ୍ତୀ ରାଜନୈତିକ ନିଷ୍ପତ୍ତି ପାଇଁ ୧୫ ଦିନରୁ ଅଧିକ ସମୟ ନେଇଥିବା ବିଜୟଙ୍କ ପାଇଁ ଫେସବୁକ୍ ଲାଇଭ୍ ର କ’ଣ ଆବଶ୍ୟକତା ପଡ଼ିଲା ସେ ସେ ଏହିସବୁ କଥା କହିଲେ ତାହା ସମସ୍ତଙ୍କୁ ଦ୍ୱନ୍ଦରେ ପକାଇଛି । ଯଦି ବିଜେଡ଼ିକୁ ତାଙ୍କର ଫେରିବା ସୁନିଶ୍ଚିତ ଏବଂ ନବୀନ ପଟ୍ଟନାୟକଙ୍କ ସହ କଥାବାର୍ତ୍ତା ଚୂଡ଼ାନ୍ତ ହୋଇସାରିଛି ତେବେ ବିଜୟ ଏଭଳି କହିଥାଆନ୍ତେ କି? ବିଜେପି ବାବଦରେ ସେ ଯାହା କହିଛନ୍ତି ଇସ୍ତଫା ଦିନ ସାମ୍ବାଦିକ ସମ୍ମିଳନୀରେ ସେ କଥା କହିସାରିଥିଲେ । ବିଜେପିର କେଉଁ ଅହଂକାରୀ ସର୍ବେସର୍ବା ନେତାଙ୍କ ଯୋଗୁଁ ଦଳ ଛାଡ଼ିବାକୁ ବାଧ୍ୟ ହେଲେ ତାହା ସେ ଇଙ୍ଗିତ କରିସାରିଛନ୍ତି । ପୁଣି ଯଦି ଲୋକଙ୍କୁ ଜଣାଇବାର ଥିଲା ତେବେ ନିର୍ଦ୍ଦିଷ୍ଟ ଭାବେ ସେହି ପ୍ରସଙ୍ଗରେ ରହିଥାଆନ୍ତେ । ମାତ୍ର ତା ଭିତରେ ୧୮ ବର୍ଷର ଶାସନକୁ ସମାଲୋଚନା କରି ବିଜେଡ଼ିକୁ ଫେରିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଚାହିଁନାହାନ୍ତି କି?
ଏହା ସତ ଯେ ବିଜୟ ବିଜେଡ଼ିକୁ ଫେରିବା ଏ ପର୍ଯ୍ୟନ୍ତ କେବଳ ଚର୍ଚ୍ଚାରେ ସୀମିତ ରହିଛି । ନା ବିଜୟ ଏହାର ସାମାନ୍ୟ ସୁରାକ୍ ଛାଡିଛନ୍ତି ନା ବିଜେଡ଼ି ପକ୍ଷରୁ ଏହାର ସୁରାକ୍ ଦିଆଯାଇଛି । କ’ଣ ଘଟୁଛି କ’ଣ ନାଇଁ ବିଜେଡ଼ିର ବରିଷ୍ଠ ନେତାମାନେ ବି ଅନ୍ଧାରରେ ଅଛନ୍ତି । ଏମିତିକା ବେଳେ ବିଜୟ ତାଙ୍କୁ ନେଇ ଚାଲିଥିବା ଚର୍ଚ୍ଚାକୁ ମିଛ ଓ ଗୁଜବ ବୋଲି କହିବା ସମସ୍ତଙ୍କୁ ଦ୍ୱନ୍ଦରେ ପକାଇଦେଇଛି । ତେବେ ରାଜନୀତିରେ କିଛି ବି ଅସମ୍ଭବ ନୁହେଁ । କୋଉ ପାଣି କେତେବେଳେ କୁଆଡ଼େ ଯିବ ତାହା ଆକଳନ କରିବା ମୁସ୍କିଲ । ତେଣୁ ବିଜୟ ଯେ ନୂଆ ସ୍ୱପ୍ନ ଓ ନୂଆ ସମ୍ଭାବନା ଧରି ବିଜେଡ଼ିକୁ ନ ଫେରିବେ ତାହା ବି ସମ୍ପୂର୍ଣ୍ଣ ଏଡ଼େଇ ହେବନି । ଆଉ ଏହା ନିଶ୍ଚିତ ଯେ ବିଜୟ ଯୁଆଡେ ଯିବେ ଦିଲ୍ଲୀପ ତାଙ୍କ ସାଙ୍ଗରେ ରହିବେ । ଯଦି ସେମାନଙ୍କ ବିଜେଡ଼ି ଫେରିବା ଯିବା ମିଛ ତେବେ କଂଗ୍ରେସ ନା ଆଉ କିଛି ବିକଳ୍ପ ରାସ୍ତା ଅଛି ତାହା ବି ଦ୍ୱନ୍ଦ ସୃଷ୍ଟି କରିଛି ।