ଭୁବନେଶ୍ୱର: ଏସିଆନ୍ ଗେମ୍ସରେ ଚମକିଛନ୍ତି ଓଡ଼ିଆ ଝିଅ ଦୂତି ଚାନ୍ଦ । ମହିଳା ୧୦୦ ମିଟର ଦୌଡ଼ରେ ତାଙ୍କୁ ମିଳିଛି ରୌପ୍ୟ ପଦକ । ଆଜି ଏହି ଦୌଡ଼ ପ୍ରତିଯୋଗିତାରେ ୧୦୦ ମିଟର ଦୂରତ୍ୱକୁ ଦୂତି ମାତ୍ର ୧୧.୩୨ ସେକେଣ୍ଡରେ ଅତିକ୍ରମ କରି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ବାହାରିନ୍ ର ଏଡ଼ିଡ଼ିଓଙ୍ଗ ୧୧.୩୦ ସେକେଣ୍ଡରେ ଏହି ଦୂରତ୍ୱ ଅତିକ୍ରମ କରି ଗୋଲଡ଼ ମେଡ଼ାଲ୍ ପାଇଛନ୍ତି । ପ୍ରଥମ ଓଡ଼ିଆ ଆଥଲେଟ୍ ଭାବେ ଏଥର ଏସିଆନ୍ ଗେମ୍ସରେ ଦୂତିଙ୍କୁ ମିଳିଛି ପଦକ । ସେହିଭଳି ଦୀର୍ଘ ୧୮ ବର୍ଷ ପରେ ଭାରତକୁ ମହିଳା ୧୦୦ ମିଟର ଦୌଡ଼ରେ ମିଳିଛି ପଦକ । ୧୯୯୮ ମସିହାରେ ଶେଷଥର ପାଇଁ ଭାରତକୁ ଏହି ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ମିଳିଥିଲା । ରଚିତା ମିସ୍ତ୍ରୀ ଆଣିଥିଲେ ସେହି ଗୌରବ ।
୨୨ ବର୍ଷୀୟା ଦୂତିଙ୍କ ଏହି ସଫଳତା ପାଇଁ ସାରା ରାଜ୍ୟରେ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ଦୂତିଙ୍କୁ ଚାରିଆଡୁ ଛୁଟିଛି ଶୁଭେଚ୍ଛାର ସୁଅ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଦୂତିଙ୍କୁ ତାଙ୍କର ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଦୂତିଙ୍କ ପାଇଁ ସବୁ ଓଡ଼ିଆ ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ ଜଣାଇଛନ୍ତି । ଓଡ଼ିଶା ଆଥଲେଟ୍ ଆସୋସିଏସନ୍ ପକ୍ଷରୁ ଦୂତିଙ୍କ ପାଇଁ ୫୦ ହଜାର ଟଙ୍କା ପୁରସ୍କାର ଘୋଷଣା କରାଯାଇଛି ।